କରଞ୍ଜିଆ: ଜଙ୍ଗଲରେ ଚଳପ୍ରଚଳ କରୁଥିବା ପ୍ରାଣୀଙ୍କ ମଧ୍ୟରୁ ବାଘ ହେଉଛି ଅନ୍ୟତମ ଶକ୍ତିଶାଳୀ ଜନ୍ତୁ। କିନ୍ତୁ ଏହି ଶକ୍ତିଶାଳୀ ଜନ୍ତୁମାନେ ମଧ୍ୟ ଶିକାରୀଙ୍କ ନିକଟରେ ଦିନକୁଦିନ ଦୁର୍ବଳ ହୋଇଯାଉଛନ୍ତି। ଶିମିଳିପାଳ ଅଭୟାରଣ୍ୟର କରଞ୍ଜିଆ ବନଖଣ୍ଡ ଅଂଚଳ କରଞ୍ଜିଆ ରେଞ୍ଜର ମଣ୍ଡୁଆ ଗ୍ରାମରୁ ବାଘଛାଲ ଜବତ ହୋଇଛି। ଏହି ଘଟଣାରେ ସଂପୃକ୍ତ ୬ ଜଣଙ୍କୁ ବନ ବିଭାଗ ଅଟକ ରଖି ପଚରାଉଚରା କରୁଛି।

Advertisment

ମଣ୍ଡୁଆ ଗାଁରେ ବାଘଛାଲ ଥିବା ନେଇ ବନ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ବନବିଭାଗର କର୍ମଚାରୀମାନେ ଅଭିଯୁକ୍ତଙ୍କ ଘରେ ଅତର୍କିତ ଚଢ଼ାଉ କରିଥିଲେ। 

 

କରଞ୍ଜିଆ ବନ ବିଭାଗ ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଲେ ଯେ, କିଛି ବ୍ୟକ୍ତି ଏକ ବାଘଛାଲ ବିକ୍ରି କରିବା ଉଦେଶ୍ୟରେ ରଖିଛନ୍ତି। କରଞ୍ଜିଆ ଡିଏଫଓ ଶ୍ରୀକାନ୍ତ ନାୟକଙ୍କ ନିର୍ଦେଶରେ ଏସିଏଫ୍‌ ମଦନ ମୋହନ ମହାନ୍ତ, ପ୍ରଭାତ କୁଅଁର, ପ୍ରଶାନ୍ତ କୁମାର ସ୍ୱାଇଁ, ସୁର ମୋହନ ବେହେରା ଓ ଅନ୍ୟ କର୍ମଚାରୀମାନେ ମଣ୍ଡୁଆ ଗ୍ରାମର ନାୟକସାହି ଉପରେ ଚଢାଉ କରିଥିଲେ। ଏହି ଚଢ଼ାଉ ବେଳେ ୬ ଜଣ ବ୍ୟକ୍ତିଙ୍କୁ ଧରିଥିଲେ। ସେମାନଙ୍କ ଠାରୁ ଏକ କଲରାପତରିଆ ବାଘ ଛାଲ ଜବତ କରାଯାଇଛି।

ବାଘଛାଲ ଜବତ ପରେ ବନବିଭାଗ ତଦନ୍ତ ଜାରି ରଖିଛିl ବାଘକୁ କେଉଁଠାରେ ମରାଯାଇଥିଲା। କେଉଁଠାରେ ବିକ୍ରି ପାଇଁ ଯୋଜନା ପ୍ରସ୍ତୁତ ହେଉଥିଲା? ଏହି କାମରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ତଦନ୍ତ ଜାରି ରହିଛିl ବାରମ୍ବାର ଶିକାର ହେଉଥିବାରୁ ଶିମିଳିପାଳ ଆଉ ସୁରକ୍ଷିତ ରହୁ ନଥିବାର ଅଭିଯୋଗ ହେଉଛି।