ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଜ୍ଞାନିକ ବିଶ୍ୱବିଦ୍ୟାଳୟର ୬୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା କୁଳପତି ଡକ୍ଟର୍ ହରିବାବୁ କମ୍ଭମପତି, ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ ବାବୁ ସିଂ ଓ ଓୟୁଏଟିର କୁଳପତି ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ।
ଏଥିରେ ଉଦବୋଧନ ଦେଇ ମନ୍ତ୍ରୀ ଗୋକୁକାନନ୍ଦ ମଲ୍ଲିକ କହିଛନ୍ତି, ଭାରତ ତଥା ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବାକୁ କୃଷି ସଂକଳ୍ପ ଯାତ୍ରା ଆରମ୍ଭ କରାଯାଇଛି। ମିଶ୍ରିତ ଚାଷ ପାଇଁ ସରକାର ସବୁ ସୁବିଧା ଯୋଗାଇ ଦେଇଛନ୍ତି। କାମଧେନୁ ଯୋଜନାରେ ୭୦ ପ୍ରତିଶତ ସବସିଡ଼ି ଦେଇ ଚାଷୀମାନଙ୍କୁ ଦୁଇଟି ଗାଈ ଦିଆଯାଉଛି। ପୂର୍ବରୁ ଯୋଜନା ବାଟମାରଣା ହେଉଥିଲା। ନିର୍ଦ୍ଧିଷ୍ଟ ଚାଷୀଙ୍କ ହାତରେ ଯୋଜନା ବନ୍ଧା ପଡିଥିଲା। ଆଜି ସମସ୍ତଙ୍କୁ ଯୋଜନାର ଲାଭ ମିଳୁଛି।
ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ନିଜର ଅଭିଭାଷଣରେ କହିଥିଲେ, ଚାଷୀ ଆତ୍ମହତ୍ୟାକୁ ନେଇ ବଦନାମ ଥିଲା କଳାହାଣ୍ଡି। ଏବେ ଓଡ଼ିଶାର ଭାତ ହାଣ୍ଡି କଳାହାଣ୍ଡି। ରାଜ୍ୟର ଆମ୍ବ ଏବେ ବିଦେଶକୁ ରାପ୍ତାନି ହେଉଛି। କିଲୋଗ୍ରାମ ପିଛା ୨୦ ଟଙ୍କାରେ ଆମ୍ବ ଓଡ଼ିଶାରେ ବିକ୍ରି ହେଉଥିଲା। ଏବେ ୫୫ ଟଙ୍କା କେଜି ଅନୁସାରେ ୟୁ ଏ ଇ, ଦୁବାଇ, ଲଣ୍ଡନ ଓ ପ୍ୟାରିସକୁ ରପ୍ତାନି ହୋଇଛି। କୃଷି ବଜେଟ ଅର୍ଥ ଖର୍ଚ୍ଚରେ ଦେଶରେ ନମ୍ବର ୧ ଓଡ଼ିଶା। ଗତ ବର୍ଷ ୮୫ ପ୍ରତିଶତ ଖର୍ଚ୍ଚ ହୋଇଛି। ଚଳିତ ବର୍ଷ ୮୧ ପ୍ରତିଶତ ଖର୍ଚ୍ଚ ହୋଇ ସାରିଛି।
ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ, ଚାଷୀଙ୍କୁ ଦିଆଯାଉଛି ଟ୍ରେନିଂ, ହେଲେ କୃଷି ବିଜ୍ଞାନ କେନ୍ଦ୍ର ଟ୍ରେନିଂ ପାଇବା ପରେ କାର୍ଯ୍ୟରେ ଲଗାଇ ପାରୁ ନାହାନ୍ତି ଚାଷୀ। ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିବା ବେଳେ ଏଭଳି ସମସ୍ୟା ଉପଲବ୍ଧି କରିଥିବା ନେଇ ଉଦବେଗ ପ୍ରକାଶ କରି ରାଜ୍ୟପାଳ ଏହାର ସମାଧାନ ପାଇଁ ବିଭିନ୍ନ ଚାଷକୁ ନେଇ ପ୍ରୋଜେକ୍ଟ ପ୍ରୋଫାଇଲ ବିଶ୍ୱବିଦ୍ୟାଳୟ ଉନ୍ମୋଚନ କରୁ ବୋଲି କହିଛନ୍ତି। ରାଜ୍ୟ ପାଖରେ ସବୁ ସାଧନ ଥାଇ କାହିଁକି ମାଛ ଉତ୍ପାଦନ ରେ ପଛରେ ଓଡ଼ିଶା ବୋଲି ପ୍ରଶ୍ନ କରିଥିଲେ ରାଜ୍ୟପାଳ। ଭଦ୍ରକ ଗସ୍ତ ସମୟର ଉଦାହରଣ ଦେଇ ରାଜ୍ୟପାଳ କହିଥିଲେ ଯେ ଭଦ୍ରକର କିଛି ବ୍ଲକ ଗସ୍ତ ବେଳେ ଧାନ ଚାଷ ହେଉଥିବା ଦେଖିଲି ହେଲେ ମାଛ ଚାଷ ଦେଖି ପାରିଲି ନାହିଁ। ରାଜ୍ୟପାଳ କହିଛନ୍ତି ୪୦ ପ୍ରତିଶତ ମାଛ ବାହାର ରାଜ୍ୟରୁ ଆସୁଛି। ଓଡ଼ିଶାରେ ମାଛ ଉତ୍ପାଦନ ବୃଦ୍ଧି କରିବାର ଆବଶ୍ୟକତା ରହିଛି। କେମିତି ମାଛ ଚାଷ ବୃଦ୍ଧି ହେବ ସେ ନେଇ ଏକ ପ୍ରୋଜେକ୍ଟ ତିଆରି କରାଯାଉ। ଓୟୁଏଟିରେ ଦେଶ ୬୨ ହଜାର କୋଟି ମେରାଇନ ଫୁଡ ଅନ୍ୟ ବିଦେଶକୁ ରପ୍ତାନି କରିଥିବା ବେଳେ କେବଳ ଆନ୍ଧ୍ରପ୍ରଦେଶରୁ ୨୦ହଜାର କୋଟି ରପ୍ତାନି ହୋଇଛି। ଅଣ୍ଡା ଉତ୍ପାଦନରେ ମଧ୍ୟ ଓଡ଼ିଶା ପଛରେ ଥିବା ହେତୁ ଓୟୁଏଟି ଓ ରାଜ୍ୟ ସରକାର ମିଳିତ ଭାବେ ଏ ଦିଗରେ କାର୍ଯ୍ୟ କରିବାକୁ ରାଜ୍ୟପାଳ ତଥା କୁଳପତି ଡକ୍ଟର୍ ହରିବାବୁ କମ୍ଭମପତି ପରାମର୍ଶ ଦେଇଥିଲେ।
କନକ ବର୍ଦ୍ଧନ ସିଂଦେଓ ନିଜର ଅଭିଭାଷଣରେ କହିଥିଲେ, ଚାଷୀ ଆତ୍ମହତ୍ୟାକୁ ନେଇ ବଦନାମ ଥିଲା କଳାହାଣ୍ଡି। ଏବେ ଓଡ଼ିଶାର ଭାତ ହାଣ୍ଡି କଳାହାଣ୍ଡି। ରାଜ୍ୟର ଆମ୍ବ ଏବେ ବିଦେଶକୁ ରାପ୍ତାନି ହେଉଛି। କିଲୋଗ୍ରାମ ପିଛା ୨୦ ଟଙ୍କାରେ ଆମ୍ବ ଓଡ଼ିଶାରେ ବିକ୍ରି ହେଉଥିଲା। ଏବେ ୫୫ ଟଙ୍କା କେଜି ଅନୁସାରେ ୟୁ ଏ ଇ, ଦୁବାଇ, ଲଣ୍ଡନ ଓ ପ୍ୟାରିସକୁ ରପ୍ତାନି ହୋଇଛି। କୃଷି ବଜେଟ ଅର୍ଥ ଖର୍ଚ୍ଚରେ ଦେଶରେ ନମ୍ବର ୧ ଓଡ଼ିଶା। ଗତ ବର୍ଷ ୮୫ ପ୍ରତିଶତ ଖର୍ଚ୍ଚ ହୋଇଛି। ଚଳିତ ବର୍ଷ ୮୧ ପ୍ରତିଶତ ଖର୍ଚ୍ଚ ହୋଇ ସାରିଛି।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଦ୍ଧତିରେ ଚାଷ ସହ ଜୈବିକ ଚାଷ ଓ କୁକୁଡ଼ା ଚାଷକୁ ନେଇ ବୈଜ୍ଞାନିକମାନେ ରଚନା କରିଥିବା ବିଭିନ୍ନ ବୁଲେଟିନ ଓ ପୁସ୍ତିକାର ଉନ୍ମୋଚନ କରାଯାଇଥିଲା।