ଭୁବନେଶ୍ବର: ସେନାବାହିନୀର ମେଜର ଗୁରୁବନ୍ତ ସିଂଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ କମିସନରେଟ୍‌ ପୁଲିସ ଅନ୍ତର୍ଗତ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଗିରଫ ୭ ଅଭିଯୁକ୍ତଙ୍କୁ ଆଜି ସନ୍ଧ୍ୟାରେ ଜାମିନ୍ ମିଳିଛି। ଭୁବନେଶ୍ବର ଜେଏମ୍‌ଏଫ୍‌ସି କୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ୍‌ ପ୍ରଦାନ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ଅଭିଯୁକ୍ତମାନଙ୍କୁ ଗିରଫର କରାଯିବାର ପ୍ରାୟ ୪ ଘଣ୍ଟା ମଧ୍ୟରେ ଜାମିନ୍ ମିଳିଛି।

Advertisment

ଭରତପୁର ଥାନା ଅଞ୍ଚଳରେ ଗତ ୧୫ ତାରିଖ ରାତିରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଦୁର୍ବ୍ୟବହାର କରାଯିବା ଘଟଣାରେ ଚନ୍ଦକା ପୁଲିସ ୭ ଅଭିଯୁକ୍ତମାନଙ୍କୁ ଅଟକ ରଖିଥିଲା। ବିଭିନ୍ନ ଦୃଷ୍ଟିକୋଣରୁ ଦୀର୍ଘ ସମୟ ପଚରାଉଚରା ପରେ ଆଜି ଅପରାହ୍‌ଣରେ ଗିରଫ କରିଥିଲା। ଆଜି ସନ୍ଧ୍ୟାରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ତେବେ କୋର୍ଟ ପଚରାଉଚରା ପରେ ଅଭିଯୁକ୍ତମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। 

ସୂଚନା ଅନୁସାରେ ସେନାବାହିନୀର ମେଜର୍ ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କୁ ଗତ ୧୫ ତାରିଖ ରାତି  ୨ଟାରେ ଗାଡ଼ିରେ ଯାଉଥିବା ବେଳେ ଅଭିଯୁକ୍ତମାନେ ସେମାନଙ୍କୁ ଅଟକାଇ ଗଣ୍ଡଗୋଳ କରିଥିଲେ। ଅଭିଯୁକ୍ତମାନେ ସୁନ୍ଦରପୁର ରାସ୍ତାରେ ଦୁର୍ବ୍ୟବହାର କରିଥିଲେ। ଅଭିଯୋଗ ଓ ଭରତପୁର ଥାନା ଆଇଆଇସିଙ୍କ ଏତଲା ଆଧାରରେ ପୁଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କ ଠାରୁ ୧୧ଟି ମୋବାଇଲ ଓ ଗୋଟିଏ ଗାଡ଼ି ଜବତ ହୋଇଛି। ଅତିରିକ୍ତ ଡିସିପି କୃଷ୍ଣ ପ୍ରସାଦ ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।  

ଗିରଫ ଅଭିଯୁକ୍ତମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲା। ଏହାରି ମଧ୍ୟରେ ଅଭିଯୁକ୍ତ ଛାତ୍ରମାନେ କହିଥିଲେ, ଆମେ କାହାରିକୁ ମାଡ଼ ମାରି ନାହିଁ। ତାଙ୍କୁ କିପରି ଆଘାତ ଲାଗିତ ତାହା ଜାଣିନାହୁଁ। 

ତେବେ ଅଭିଯୁକ୍ତମାନେ ଗିରଫ ହେବା ପୂର୍ବରୁ ପୁଲିସ ଡିଜି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ଭରତପୁର ଥାନାର ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ କର୍ମଚାରୀମାନେ ହେଲେ  ଭରତପୁର ଥାନାର ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଏସଆଇ ବୈଶାଳିନୀ ପଣ୍ଡା ଏଏସଆଇ ସଲିଳମୟୀ ସାହୁ, ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଁସଦା।