ଭଦ୍ରକ: ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ଶୁକ୍ରବାର ଅପରାହ୍ନରେ ଭଦ୍ରକ ସହରର ସନ୍ଥିଆଠାରେ ଉପୁଜିଥିବା ତୁମୁଳକାଣ୍ଡ ଘଟଣାରେ ପୁଲିସ ଶନିବାର ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥି ସହିତ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ବାନ୍ଧିବା ପାଇଁ ପୁଲିସ ଛାନଭିନ୍ ଜାରି ରଖିଛି। ଭଦ୍ରକ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ନଜର ରଖିତିବା ବେଳେ ସହରରେ ଫୋର୍ସ ମୁତୟନ କରିଛି। ଏଥି ସହିତ ସନ୍ଥିଆରେ ୧୬୩ ଧାରା ଲାଗୁ କରିଛି। ସହରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ସ୍ଥଗିତ ରଖିଛି।
ଆରକ୍ଷୀ ଅଧୀକ୍ଷକ କହିଛନ୍ତି, ସୋଶାଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିବା ଯୁବକ ଗିରଫ ହୋଇଛି। ବିବାଦୀୟ ପୋଷ୍ଟ ପାଇଁ କାଲି ଭଦ୍ରକରେ ଉତ୍ତେଜନା ଦେଖା ଦେଇଥିଲା ବୋଲି ସେ କହିଛନ୍ତି।
ଭଦ୍ରକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାଧାରଣ ଜନତାଙ୍କ ନିକଟରେ ଅପିଲ୍ କରିଛନ୍ତି। ସେ ଆଜି ଭଦ୍ରକ ଏସ୍ପି କାର୍ଯ୍ୟାଳୟରେ ଭଦ୍ରକ ସାଂସଦ, ବିଧାୟକ, ଡିଆଇଜିଙ୍କ ସହ ସ୍ଥିତି ଉପରେ ଆଲୋଚନା କରିଛନ୍ତି।
ସୂଚନାଯୋଗ୍ୟ, ସାମାଜିକ ଗଣମାଧ୍ୟମରେ ଜଣେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଏକ ସମ୍ପ୍ରଦାୟ ବିରୋଧୀ ପୋଷ୍ଟ କରିଥିଲେ, ଯାହାକୁ ସଂପୃକ୍ତ ସଂପ୍ରଦାୟର ଲୋକମାନେ ବିରୋଧ ସହ ପୁରୁଣା ବଜାର ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା। ଫଳରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବି କରି ସନ୍ଥିଆ ପୋଲ ନିକଟରେ ଟାୟାର୍ ଜାଳି ରାସ୍ତା ଅବରୋଧ କରାଯାଇଥିଲା। ସୂଚନା ପାଇ ଭଦ୍ରକ ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଣ୍ଟିଆଙ୍କ ସହ ଟାଉନ୍ ଓ ପୁରୁଣା ବଜାର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ରାସ୍ତାରୋକ ଓ ପଦଯାତ୍ରାରୁ ବିରତ ହେବାକୁ କହିଥିଲେ। ହେଲେ ଆନ୍ଦୋଳନକାରୀ କିଛି ଶୁଣି ନଥିଲେ। ଗିରଫଦାରୀ ନେଇ ଅଡ଼ିବସିଥିଲେ। ଏପରି ସମୟରେ ଆନ୍ଦୋଳନକାରୀ ଓ ପୁଲିସ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ପ୍ରଥମେ ଠେଲାପେଲା ଏବଂ ପରେ କଥା ଆକ୍ରମଣ ଯାଏ ଯାଇଥିଲା। ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ଆଖିବୁଜା ପଥର ଓ ଇଟା ମାଡ଼ କରିଥିଲେ। ଏମିତି କି ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ। ଫଳରେ ଟାଉନ୍ ଥାନା ଏସ୍ଆଇ ରୋଜେନ ମୁର୍ମୁଙ୍କ ମୁଣ୍ଡ ଫାଟିଯିବା ସହ ସେ ଗୁରୁତର ହୋଇଥିଲେ।
ସେହିପରି ସିଟି ଡିଏସ୍ପି ଅଂଶୁମାନ ଦ୍ଵିବେଦୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଭଦ୍ରକ ଟାଉନ୍ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେଙ୍କ ସହ ଏକାଧିକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଭଦ୍ରକ ତହସିଲଦାରଙ୍କ ଗାଡ଼ି ସହ ରାସ୍ତାରେ ଥିବା କିଛି ବାଇକ୍ ଓ ସାଇକେଲ୍କୁ ଆନ୍ଦୋଳନକାରୀମାନେ ଭାଙ୍ଗି ଦେଇଥିଲେ। ସ୍ଥିତି ଅଣାୟତ ହେଉଥିବା ଦେଖି ପୁଲିସ ଲାଠିଚାର୍ଜ କରିଥିଲା। ଆନ୍ଦୋଳନକାରୀମାନେ ଛତ୍ରଭଙ୍ଗ ଦେବାରୁ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ତେବେ ସମ୍ଭାବ୍ୟ ଗଣ୍ଡାଗୋଳକୁ ଦୃଷ୍ଟିରେ ରଖି ଭଦ୍ରକ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସନ୍ଥିଆ ଅଞ୍ଚଳରେ ୧୬୩ ଧାରା ଲାଗୁ କରାଯାଇଛି। ଯାହା ଅନିର୍ଦ୍ଦିଷ୍ଟ ସମୟ ଯାଏ ବଳବତ୍ତର ରହିବ ବୋଲି କୁହାଯାଇଛି। ସେହପିରି ୭ ପ୍ଲାଟୁନ୍ରୁ ଅଧିକ ପୁଲିସ୍ ଫୋର୍ସ ମଧ୍ୟ ମୁତୟନ ଅଛନ୍ତି।
ଅଧିକ ପଢ଼ନ୍ତୁ: ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ବନ୍ଦ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/Lx21xS6vDxQ4k7xw1wRR.jpeg)