ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରାଘାତ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନଙ୍କ ମଧ୍ୟରେ ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର ଓ ଗଂଜାମ ଜିଲ୍ଲାର ମହିଳା, ଚାଷୀ ଓ ଶ୍ରମିକ ସାମିଲ ଅଛନ୍ତି। 

Advertisment

ଅନୁଗୁଳ ଓ ଢେଙ୍କାନଳ ଜିଲ୍ଲାରେ ଆଜି ଅପରାହ୍‌ଣରେ ଭିନ୍ନ ଭିନ୍ନ ସ୍ଥାନରେ ବଜ୍ରପାତ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୨ ଜଣ ଗୁରୁତର ହୋଇଥିବା ସୂଚନା ରହିଛି। ଢେଙ୍କାନାଳ ସହର ଉପକଣ୍ଠ ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ବଳଦିଆବନ୍ଧ ଅଞ୍ଚଳରେ ବଜ୍ରପାତରେ ପଥରେ ଖଣିରେ କାମ କରି ଫେରୁଥିବା ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ କୃଷ୍ଣଚନ୍ଦ୍ର ଦେଦୁରୀଙ୍କ ଦୁଇ ପୁଅ କମଳକାନ୍ତ(୩୭) ଓ ନରେଶ (୩୩)। ବଜ୍ରପାତରେ ଅନ୍ୟ ଦୁଇଜଣ ଦିବାଇ ଜରିକା ଓ ମିଥୁନ କିସୁଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

କଟକ ଜିଲ୍ଲା ଖୁଣ୍ଟୁଣି ଥାନା ଅନ୍ତର୍ଗତ କଣ୍ଡରେଇ ପଞ୍ଚାୟତର ଅନନ୍ତପୁର ଅଞ୍ଚଳର ଏହି ଶ୍ରମିକମାନେ ସଦର ଥାନାର ମହୁଲପଡ଼ା ଅଞ୍ଚଳରେ ଥିବା ଏକ ପଥର ଖାଦାନରୁ କାମ ସାରି ଘରକୁ ଫେରୁଥିଲେ। ଅପରାହ୍‌ଣରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ସେମାନେ ପାଖରେ ଥିବା ଏକ ଗଛମୂଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ କମଳକାନ୍ତ ଓ ନରେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗ୍ରାମବାସୀମାନେ ଅନ୍ୟ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଫାଣ୍ଡି ଅଧିକାରୀ ଘନିଷ୍ଠ ବେହେରା ସୂଚନା ଦେଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାର ୨ ଜଣ ଚାଷୀଙ୍କ ମୃତ୍ୟୁ ହୋଇଛି। ବିଲରେ କାମ କରିବା ସମୟରେ ହଠାତ୍‌ ବଜ୍ରପାତ ହେବାରୁ ଅନୁଗୁଳ ସଦର ଥାନା ଅନ୍ତର୍ଗତ ନତଡ଼ା ଗ୍ରାମରେ ହରିହର ସାହୁ(୫୦)ଙ୍କ ମୃତ୍ୟୁ ହୋଇଛି। ସେ ତାଙ୍କ ପତ୍ନୀଙ୍କ ସହ ଅପରାହ୍‌ଣ‌ରେ ବିଲରେ କାମ କରୁଥିଲା ସମୟରେ ବଜ୍ରପାତ ହୋଇଥିଲା। ‌ଅନ୍ୟପକ୍ଷରେ ଛେଣ୍ଡିପଦା ବ୍ଲକ୍‌ ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗ୍ରାମର ଛୋଟବେରେଣୀ ଗାଁରେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ଅପରାହ୍‌ଣ ପ୍ରାୟ ୪ଟା ବେଳକୁ କଙ୍କରେଇ ଗ୍ରାମର ପଙ୍କଜ ନାଏକ(୩୦) ବିଲରେ ଚାଷ କରୁଥିଲେ। ଏହି ସମୟରେ ବର୍ଷା ଘଡ଼ଘଡି ସହିତ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ପଙ୍କଜଙ୍କ ମୃତ୍ୟୁ ହୋଇଛି।

ପୁରୀ ଜିଲ୍ଲା ଡେଲାଙ୍ଗ କଅଁଳପଡ଼ା ଗାଁ ବିଲରେ କାମ କରୁଥିବା ବେଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କେନ୍ଦୁଝର ହରିଚନ୍ଦନପୁର ବ୍ଲକ୍‌ ହଳଦିଆପଦାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଆହତ ଅଛନ୍ତି। କଟକ ଚୌଦ୍ବାର ବ୍ରହ୍ମପୁର ପଞ୍ଚାୟତ କାଞ୍ଜିଆ ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। 

Lightning