ରାଇରଙ୍ଗପୁର: ବାମନଘାଟି ଉପଖଣ୍ଡରେ ଚଳିତ ପାର୍ବଣ ଋତୁରେ ମା ଦୁର୍ଗା, ମା ଲକ୍ଷ୍ମୀ ଓ ମା କାଳୀଙ୍କ ପୂଜା ତଥା ବିସର୍ଜନ ଉତ୍ସବ ସହିତ ଅନ୍ୟାନ୍ୟ ପର୍ବକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ ନିମନ୍ତେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ସୌମ୍ୟରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଇରଙ୍ଗପୁର ଉପଖଣ୍ଡ ପୁଲିସ ଅଧିକାରୀ ଗୋକୁଳାନନ୍ଦ ସାହୁ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ରବୀନ୍ଦ୍ର ମାରାଣ୍ଡି ଯୋଗଦେଇଥିବା ବେଳେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ, ଟାଟା ପାୱାର କତୃପକ୍ଷ, ୱାଟକୋ କର୍ତ୍ତୃପକ୍ଷ, ଅଗ୍ନିଶମ ଅଧିକାରୀ, ବିଭିନ୍ନ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଓ ସଦସ୍ୟବୃନ୍ଦ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ବୈଠକରେ ଉପସ୍ଥିତ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇ ସ୍ୱାଗତ କରିଥିଲେ ଏବଂ ଉକ୍ତ ବୈଠକର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ପ୍ରକାଶ କରିଥିଲେ। ଉପଜିଲ୍ଲାପାଳ ୨୦୨୩ରେ ଅନୁଷ୍ଠିତ ହୋଇଥିବା ଶାନ୍ତି କମିଟି ବୈଠକର ବିବରଣୀକୁ ଅନୁଧ୍ୟାନ କରିଥିଲେ। ଏହାକୁ ଭିତ୍ତି କରି ସମସ୍ତ ବିଷୟବସ୍ତୁ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଓ ପର୍ଯ୍ୟାଲୋଚନା ତଥା ସମସ୍ତ ଦିଗ ପ୍ରତି ଦୃଷ୍ଟି ରଖି ସର୍ବ ସମ୍ମତି କ୍ରମେ ଶାନ୍ତି ଶୃଙ୍ଖଳା ସହିତ ସୌହାର୍ଦ୍ଧପୂର୍ଣ୍ଣ ବାତାବରଣ ଭିତରେ ଯେପରି ପାର୍ବଣ ପାଳନ ହେବ ସେ ସମ୍ଭନ୍ଧରେ ସମ୍ପୃକ୍ତ ବିଭାଗୀୟ ଅଧିକାରଙ୍କୁ ନିଜ ନିଜ ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ ପାଇଁ ନିଷ୍ପତ୍ତି ହୋଇଛି ।ନିଷ୍ପତ୍ତି ଅନୁଯାୟୀ ପୂଜା ସମୟରେ ଟ୍ରାଫିକ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୂଜା ମଣ୍ଡପ ନିକଟରେ ତଥା ସହର ରେ ଆବଶ୍ୟକ ସଂଖ୍ୟକ ପୁଲିସ ମୃତୟନ ପାଇଁ ପୁଲିସ ବିଭାଗକୁ, ପୂଜା ପୂର୍ବରୁ ରାସ୍ତାଘାଟ ମରାମତି,ପୂଜା ସମୟରେ ପାନୀୟ ଜଳ ଯୋଗାଣ, ସହରରେ ଉପଯୁକ୍ତ ଆଲୋକୀକରଣ, ପରିଷ୍କାର ପରିଚ୍ଛନ୍ନ,ପଚା ସଢ଼ା ଅସ୍ୱାସ୍ଥ୍ୟକର ଖାଦ୍ୟ ଦ୍ରବ୍ୟ ବିକ୍ରୟକୁ ନିଷେଧ କରିବା ସହ ଏହାର ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ମୂର୍ତ୍ତି ବିସର୍ଜନ ପାଇଁ ଅସ୍ଥାୟୀ ପୋଖରୀ ନିର୍ମାଣ କରିବା ପାଇଁ ପୌରପାଳିକାକୁ ଦାୟିତ୍ୱ ଦିଆଯାଇଛି।
ପୂଜା ସମୟରେ ନିରବିଛିନ୍ନ ବିଦ୍ୟୁତ ସରାବରାହ ଯୋଗାଇଦେବା ତଥା ପୂଜା କମିଟିମାନଙ୍କୁ ଆବଶ୍ୟକୀୟ ବୈଦ୍ୟୁତିକ ପ୍ରମାଣ ପତ୍ର ଯୋଗାଇଦେବା ପାଇଁ ଟିପିଏନଓଡିଏଲକୁ ନିର୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ସବୁ ପ୍ରକାର ବ୍ୟବସ୍ଥା ପ୍ରସ୍ତୁତ ରଖିବା ପାଇଁ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ପୂଜା ମଣ୍ଡପ ଗୁଡିକ ନିକଟରେ ପାନୀୟ ଜଳ ଟାଙ୍କି ଯୋଗାଇବା ପାଇଁ ୱାଟକୋ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି।
ପୂଜା ସମୟରେ ମଦ ଓ ମାଦକ ଦ୍ରବ୍ୟ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଇବା ପାଇଁ ଅବକାରୀ କର୍ତ୍ତୃପକ୍ଷଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅଗ୍ନିଶମ ଅଧିକାରୀଙ୍କୁ ଆବଶ୍ୟକ ପରିମାଣର ଅଗ୍ନିନିର୍ବାପକ ଉପକରଣ ପ୍ରସ୍ତୁତ ରଖିବା ଓ ପୂଜା କମିଟିମାନଙ୍କୁ ଅଗ୍ନିନିରାପଦ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ପରାମର୍ଶ ଦିଆଯାଇଛି। ପୂଜା ମଣ୍ଡପ ସ୍ଥାନରେ ଅଗ୍ନିନିର୍ବାପକ ଉପକରଣ ରଖିବା ସହିତ ପୂଜା ଓ ଭସାଣି ଉତ୍ସବ ସମୟରେ ରୋଗୀ ଓ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ କମ ଶବ୍ଦରେ ଡାକବାଜି ଓ ଅନ୍ୟାନ୍ୟ ଶବ୍ଦ ଉପକରଣ ବ୍ୟବହାର କରିବା ପାଇଁ ପୂଜା କମିଟି ମାନଙ୍କୁ ଉପଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/0hS9bQ3IFdpFYEgXMQ5K.jpg)