ଛତ୍ରପୁର: ଆସିଲେ ଓ ବସିଲେ। କିନ୍ତୁ ବୈଠକ ଆରମ୍ଭ ହେବା ପୂର୍ବରୁ କକ୍ଷ ତ୍ୟାଗ କରି ଚାଲିଗଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ। ଗୁରୁବାର ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ ୧୨୬୪ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକାର ଅନୁମୋଦନ ନେଇ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲ।। କିନ୍ତୁ ଏହି ବୈଠକରୁ  ଗଞ୍ଜାମ ଜିଲ୍ଲା ପରିଷଦର ଅଧ୍ୟକ୍ଷା, ଉପାଧ୍ୟକ୍ଷାଙ୍କ ସମେତ ବହୁ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନେ କକ୍ଷ ତ୍ୟାଗ କରିଥିବା ଦେଖିବାକୁ ମିଳିଛି।

Advertisment

ଜ଼ିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାମାନେ କକ୍ଷ ତ୍ୟାଗ କରିଥିବାରୁ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକା ଅନୁମୋଦନ ହୋଇପାରିଲା ନାହିଁ। ପରେ ଆସିକା ବିଧାୟକ ସରୋଜ ପାଢ଼ୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ, ଜ଼ିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜ଼ିଲ୍ଲା ପରିଷଦର ସିଡିଓ ମଧୁମିତା, ଜ଼ିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ ପ୍ରମୁଖ ଜ଼ିଲ୍ଲାର ଶିକ୍ଷା କ୍ଷେତ୍ରରେ ଆଲୋଚନା କରିଥିଲେ।

ଆଜିର ସ୍ୱତନ୍ତ୍ର ବୈଠକ ନିମନ୍ତେ ସେମାନଙ୍କୁ ୭ ଦିନ ପୂର୍ବରୁ ସେମାନଙ୍କୁ ନୋଟିସ୍ ପ୍ରଦାନ କରାଯାଇନାହିଁ ଏବଂ ପ୍ରଥମେ ଜିଲ୍ଲା ପରିଷଦ ବୈଠକ କରାଯାଉ, ପରେ ଏଭଳି କାର୍ଯ୍ୟକ୍ରମ ସବୁ ଆୟୋଜନ କରାଯାଉ ବୋଲି ବହୁ ସଭ୍ୟ/ ସଭ୍ୟାମାନେ କହିଥିଲେ। ପରେ ସମସ୍ତେ ମିଶି କକ୍ଷତ୍ୟାଗ କରିଥିଲେ।  

ଏନେଇ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଓ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କକ୍ଷତ୍ୟାଗ କରିଥିବା ଦେଖିବାକୁ ମିଳିଛି। ବୈଠକ ନିମନ୍ତେ ସେମାନଙ୍କୁ ପୂର୍ବରୁ ସୂଚନା ପ୍ରଦାନ କରାଯାଇଥିବା ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି। ଆସନ୍ତା ୨୭ ତାରିଖ ଦିନ ଏନେଇ ଆଉ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ମଧ୍ୟ ଜିଲ୍ଲାପାଳ ଶ୍ରୀ ପରିଡା କହିଛନ୍ତି। କକ୍ଷ ତ୍ୟାଗ କରି ସମସ୍ତ ବିଜେଡି ଜ଼ିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାମାନେ ଛତ୍ରପୁର ସ୍ଥିତ ଉଜଳେଶ୍ୱରୀ ମନ୍ଦିର ଠାରେ ବସି ଆଲୋଚନା କରିଥିଲେ।

publive-image

ସରକାର ବଦଳିବା ପରେ ଜ଼ିଲ୍ଲା ପରିଷଦ ବୈଠକ ଆଜି ପର୍ଯ୍ୟନ୍ତ କରାଯାଉ ନାହିଁ। ଏହା ସହିତ ଜ଼ିଲ୍ଲା ପରିଷଦ ସଭ୍ୟ ଓ ସଭ୍ୟାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଣଦେଖା କରାଯାଉଛି ବୋଲି ଅଭିଯୋଗ କରିଛନ୍ତିl ଶିକ୍ଷକ ନିଯୁକ୍ତି ହୋଇଥିଲେ ସ୍କୁଲ ମାନଙ୍କରେ ଅଭାବ ଥିବା ପଦବି ପୂରଣ ହୋଇପାରିଥାନ୍ତା। କିନ୍ତୁ ବିଜୁୁ ଜନତା ଦଳର ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନେ ଏହାକୁ ସହଯୋଗ ନ କରି କକ୍ଷତ୍ୟାଗ କରିବା ଏକ ନିନ୍ଦନୀୟ ଘଟଣା ବୋଲି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।