ବାଲିପାଟଣା (ବସନ୍ତ କୁମାର ଦାଶ): ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନାରୁ ଜଣେ ଗିରଫ ଅଭିଯୁକ୍ତ କୋର୍ଟ ଚାଲଣ ପୂର୍ବରୁ ପୁଲିସ ହାତରୁ ଫେରାର ହୋଇ ଯାଇଥିଲା। ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଯୁକ୍ତ ନମୁନା ସଂଗ୍ରହ କରିବାକୁ ଶୌଚାଳୟ ଭିତରକୁ ଯାଇ ସ୍କାଏ ଲାଇଟ ଭାଙ୍ଗି ଚମ୍ପଟ ମାରିଥିଲା ଗିରଫ ଅଭିଯୁକ୍ତ। ଅଭିଯୁକ୍ତ ଫେରାର ହେବା ଜାଣିବା ପରେ ପୁଲିସ ନିଦ ହଜି ଯାଇଥିଲା। ବହୁ ଖୋଜା ଖୋଜି ପରେ କୁଶଭୁଦ୍ରା ନଦୀ ପଠା ଜଙ୍ଗଲ ଭିତରୁ ଅଭିଯୁକ୍ତକୁ ପ୍ରାୟ ୩ ଘଣ୍ଟା ପରେ ପୁଲିସ ଧରିବା ରେ ସକ୍ଷମ ହୋଇଛି।
ସୂଚନା ଅନୁସାରେ ବାଲିପାଟଣା ଥାନା ଗଡ଼ବନ୍ତପୁର ଗ୍ରାମର ଦେବବ୍ରତ ଜେନା ଓରଫ ଦେବା (୨୯)କୁ ପୁଲିସ ତାଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଥାନାରେ ମାମଲା ରୁଜୁ କରି ଗତକାଲି ଗିରଫ କରିଥିଲା। ଆଜି କୋର୍ଟ ଚାଲଣ ପାଇଁ ପ୍ରକିୟା ଜାରି ରହିଥିଲା। ସେଥିପାଇଁ ପୂର୍ବାହ୍ନ ପ୍ରାୟ ୧୨ଟାରେ ପୁଲିସ ଦେବାକୁ ସାଙ୍ଗରେ ନେଇ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ। ଡାକ୍ତରୀ ପରୀକ୍ଷା ପରେ ନମୁନା ସଂଗ୍ରହ ପାଇଁ କୁହାଯାଇଥିଲା। ପୁଲିସ ଦେବାକୁ ସାଙ୍ଗରେ ନେଇ ଶୌଚାଳୟକୁ ଯାଇଥିଲା। ହେଲେ ଧୂର୍ତ୍ତ ଦେବା ଶୌଚାଳୟ ସ୍କାଏ ଲାଇଟ କାଚ ଭାଙ୍ଗି ଔଷଧୀୟ ଉଦ୍ୟାନ ବାଟେ ଫେରାର ହୋଇ ଯାଇଥିଲା।
ଅଭିଯୁକ୍ତ ଦେବା ନାଁରେ ବାଲିପାଟଣା ସହିତ ଅନ୍ୟ ଥାନାରେ ମଧ୍ୟ ପୂର୍ବରୁ ଚୋରି, ଡକାୟତି, ଲୁଟ୍, ଛିନ୍ତାଇ, ରାହାଜାନୀ ଭଳି ସଂଗୀନ ଅପରାଧିକ ମାମଲା ରହିଛି। ସେ ପୂର୍ବରୁ ଏକାଧିକ ଥର ଜେଲ୍ ମଧ୍ୟ ଯାଇଛି।
ଶୌଚାଳୟରୁ ଦେବାର ଆସିବାରେ ବିଳମ୍ୱ ହେବାରୁ ବାହାରେ ଜଗିଥିବା ପୁଲିସର ସନ୍ଦେହ ହୋଇଥିଲା। କବାଟ ପାଖରେ ଜଗିଥିବା ପୁଲିସ କର୍ମଚାରୀ କବାଟ ଖୋଲି ଦେଖିଲା ବେଳେ ଶୌଚାଳୟ ଭିତରେ ଅଭିଯୁକ୍ତ ନ ଥିଲା। ସ୍କାଏ ଲାଇଟ ଭାଙ୍ଗି ଫେରାର ହୋଇ ଥିବା ଜଣା ପଡ଼ିଥିଲା। ବିଳମ୍ବ ନକରି ପୁରା ଟିମ ଅଭିଯୁକ୍ତକୁ ଖୋଜିବାରେ ଲାଗି ପଡ଼ିଥିଲେ। ଆଙ୍କୁଶପୁର କେନାଲ ବନ୍ଧ ଓ କୁଶଭୁଦ୍ରା ନଦୀ ପଠାରେ ଖୋଜିଥିଲେ। ବାଉଁଶ, ଠେଙ୍ଗା, ବାଡ଼ି ଧରି ପୁଲିସ କିଆ ବୁଦା, ବଣ ଜଙ୍ଗଲ ଖୋଜି ନାକେଦମ ହୋଇଥିଲା। ଶେଷରେ ଅଠାନ୍ତର ନିକଟ କୁଶଭୁଦ୍ରା ନଦୀ ପଠା ଜଙ୍ଗଲରେ ଛପିଥିବା ବେଳେ ଅଭିଯୁକ୍ତକୁ ପୁଲିସ ଧରିଥିଲା।
Khordha | Crime