ଵ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଓଭରବ୍ରିଜ୍‌ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ମୃତ୍ୟୁୁ ସହ ସଂଗ୍ରାମ କରୁଥିବା ଜଣାଯାଇଛି। ଟ୍ରକ୍‌ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ସମେତ ଆହତଙ୍କୁ ଏମ୍‌କେସିଜି ମେଡିକାଲକୁ ପଠାଇଛି। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଚମ୍ପଟ ମାରିଛି। ରିପୋର୍ଟ ଲେଖାହେବା ବେଳକୁ ମୃତକଙ୍କ ମଧ୍ୟରେ ଅଯୋଧ୍ୟାନଗର ଅଞ୍ଚଳର ସୂର୍ଯ୍ୟନାରାୟଣ ପଣ୍ଡା, ଫୁଲ୍‌ଟାର ଜଗନ ନାୟକ, ଦକ୍ଷିଣପୁରର ଶିବରାମ ଜେନା ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଦୁଇଜଣ ମୃତକ ଓ ଗୁରୁତରଙ୍କ ପରିଚୟ ମିଳିପାରିନାହିଁ।

Advertisment

ଆଜି ମଧ୍ୟାହ୍ନରେ ଦୁଇଟି ବାଇକ୍‌ ଆଗପଛ ହୋଇ ବ୍ରହ୍ମପୁରରୁ ହଳଦିଆପଦର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରକ୍‌ (ଓଡି-୦୭ଜେଡ୍‌-୭୨୫୯) ଆସୁଥିଲା। ଟ୍ରକ୍‌ ଡ୍ରାଇଭର ଜଣକ ବେପରୁଆ ଭାବେ ବାଇକ୍‌ ଉପରେ ଚଢ଼ିଯାଇଥିଲା। ଟ୍ରକ୍‌ ଧକ୍କାରେ ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। କିଏ ରାସ୍ତାରେ କଚାଡ଼ି ପଡ଼ିଥିଲା ତ କିଏ ଟ୍ରକ୍‌ ତଳେ ପଡ଼ିଥିଲା। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଜାମ୍‌ ହୋଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଏକାଧିକ ଲୋକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସେଭଳି ଆହତଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।  

ଆହୁରି ପଢ଼ନ୍ତୁ Cow Loaded Trailer Seized ଝାରସୁଗୁଡ଼ାରୁ ରାଜସ୍ଥାନ ଚାଲାଣ ହେଉଥିବା ଗୋରୁ ବୋଝେଇ ଟ୍ରେଲର୍ ଜବତ: ୨୫ ବଳଦ ଉଦ୍ଧାର, ଜଣେ ଗିରଫ

୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟ ହଳଦିଆପଦରଠାରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଏକାଧିକ ଲୋକଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହି ଦୁର୍ଘଟଣାରେ ସମସ୍ତ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।