ଉଦଳା: ଛାତିଥରା ଦୁର୍ଘଟଣା। ପୁଲିସ ଗାଡ଼ିକୁ ଧକ୍କା ଦେଲା ୧୦୮ ଆମ୍ୱୁଲାନ୍ସ।୧୦୮ ଧକ୍କାରେ ୩ ରାଉଣ୍ଡ ଓଲଟିଲା ପୁଲିସ ଗାଡ଼ି। ଗାଡ଼ି ତଳେ ଚାପି ହୋଇ ଚାଲିଗଲା ହୋମଗାର୍ଡଙ୍କ ଜୀବନ, ଆଇଆଇସି ଓ ପୁଲିସ ଡ୍ରାଇଭରଙ୍କ ଅବସ୍ଥା ସଂକଟାପନ୍ନ। ଗତକାଲି ବିଳମ୍ବିତ ରାତିରେ ଉଦଳା ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ସାମ୍ନାରେ ରାଜ୍ୟ ରାଜପଥରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା।

Advertisment

ବିଳମ୍ବିତ ରାତିରେ ଉଦଳା ଆଇଆଇସି ବନମାଳୀ ବାରିକ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଧରି ପାଟ୍ରୋଲିଙ୍ଗ ଏବଂ ଚେକିଂ କରୁଥିଲେ। ଇଣ୍ଡିଆନ ଓଏଲ ପେଟ୍ରୋଲ ପମ୍ପ ନିକଟରେ ପୁଲିସ ଗାଡ଼ି ଛିଡା କରି ବାଇକରେ ଯାଉଥିବା ଯୁବକଙ୍କ ତନଖି ନିମନ୍ତେ ଅନ୍ୟ କର୍ମଚାରୀ ଓହ୍ଲାଇଥିବା ବେଳେ ହଠାତ ବାରିପଦାରୁ କପ୍ତିପଦା ଅଭିମୁଖେ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ଆସି ପୁଲିସ ଗାଡ଼ିକୁ ଦ୍ରୁତ ବେଗରେ ଧକ୍କା ଦେଇଥିଲା। କେବଳ ସେତିକି ନୁହେଁ, ଏତେ ଜୋରରେ ଧକ୍କା ଦେଇଥିଲା ଯେ ପୁଲିସ ଗାଡ଼ିଟି ୩ ରାଉଣ୍ଡ ଓଲଟି ଥିଲା ଏବଂ ତତପରେ ମଧ୍ୟ ୧୦୮ ଆମ୍ବୁଲାନ୍ସଟି ପୁଲିସ ଗାଡ଼ିକୁ ଘୋଷାଡ଼ି ନେଇଥିଲା। ପୁଲିସ ଗାଡ଼ି ଓଲଟିବା ଫଳରେ ଗାଡ଼ିରେ ଥିବା ଉଦଳା ଆଇଆଇସି ବନମାଳୀ ବାରିକ, ଡ୍ରାଇଭର ସଦାନନ୍ଦ ସିଂ ଗାଡ଼ି ଭିତରେ ଗୁରୁତର ହୋଇଥିଲେ। ଅନ୍ୟପଟେ ଗାଡ଼ି ଭିତରେ ଥିବା ହୋମଗାର୍ଡ ଲକ୍ଷ୍ମୀଧର ମହାନ୍ତ ପୁଲିସ ଗାଡ଼ି ତଳେ ଚାପି ହେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ୧୦୮ ଆମ୍ବୁଲାନ୍ସର ହେଲ୍ପର ହେମନ୍ତ ନାଏକ, ଫାର୍ମାସିଷ୍ଟ ସତ୍ୟଜିତ ପଣ୍ଡାଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇଛି। ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି।

 ଖବର ପାଇ ତୁରନ୍ତ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପୁଲିସ ଗାଡ଼ି ଡ୍ରାଇଭର ସଦାନନ୍ଦ ଏବଂ ଆଇଆଇସି ବନମାଳୀ ବାରିକଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ସେମାନଙ୍କୁ ତୁରନ୍ତ ବାରିପଦା ସ୍ଥାନାନ୍ତର କରାଯାଇଥିଲା, କିନ୍ତୁ ପରେ କଟକ ବଡ଼ ମେଡିକାଲକୁ ପଠାଯାଇଛି। ପୁଲିସ ଗାଡ଼ିକୁ ଦେଖିଲେ ଦୁର୍ଘଟଣା ଯେ କେତେ ଭୟଙ୍କର ଥିଲା ତାହା ସ୍ପଷ୍ଟ ବାରି ହୋଇ ପଡୁଛି। ଦୁର୍ଘଟଣାରେ ପୁଲିସ ଗାଡି ଏବଂ ୧୦୮ ଉଭୟ ଚୁରମାର। ଖବର ପାଇଁ ଏସଡିପିଓ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ପୁରା ଘଟଣା ଉପରେ ନଜର ରଖିଛନ୍ତି।