ରାଉରକେଲା: ନୂଆଗାଁ ଲ୍ୟାମ୍ପସ୍ରେ ଜମା ଟଙ୍କା ଆତ୍ମସାତ୍ ମାମଲାର ରାୟ ପ୍ରକାଶ ପାଇଛି। ରାଉରକେଲା ଏସିଜେଏମ୍ ଗୀତାଞ୍ଜଳି ନନ୍ଦ ମାମଲାର ଶୁଣାଣୀ କରି ଅଭିଯୁକ୍ତ ହିସାବରକ୍ଷକ ଶୁକଦେବ ଓରାମଙ୍କୁ ୩ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୬ ମାସ ଜେଲ୍ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ୩୦ ଜଣ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ ଓ ସରକାରୀ ଓକିଲଙ୍କ ବଳିଷ୍ଠ ଯୁକ୍ତିପ୍ରମାଣ ଆଧାରରେ ବିଚାରପତି ଏହି ରାୟ ଶୁଣାଇଛନ୍ତି। ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ପୂର୍ବତନ ହିସାବରକ୍ଷକ ଜକ୍ତୁ ସିଂହ ଓ ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଖେଲବନ୍ତ ସାହୁଙ୍କର କୋର୍ଟରେ ମାମଲା ଚାଲିଥିବାବେଳେ ମୃତ୍ୟୁ ହୋଇଯାଇଥିଲା।
ସହକାରୀ ପିପି ନିରଞ୍ଜନ ମହାନ୍ତ ଓ ସନ୍ତୋଷ ନାୟକ ମାମଲା ପରିଚାଳନା କରୁଥିଲେ। ନୂଆଗାଁ ଲ୍ୟାମ୍ପସ୍ରେ ଜକ୍ତୁ ସିଂହ ହିସାବରକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ଜମା କରି ଆସୁଥିବା ଚାଷୀଙ୍କ ଟଙ୍କା ଜମାଖାତାରେ ଲେଖାଯାଉଥିଲା। କିନ୍ତୁ ହିସାବରକ୍ଷକ ତାଙ୍କ ଆକାଉଣ୍ଟରେ ଜମା କରୁନଥିଲେ। ଆକାଉଣ୍ଟରେ ଟଙ୍କା ନଥିବା ଜାଣିବା ପରେ ଚାଷୀମାନେ ଲ୍ୟାମ୍ପସ୍ରେ ଅଭିଯୋଗ କରିଥିଲେ।
ଅଭିଯୋଗ ପରେ ଲ୍ୟାମ୍ପସର ହିସାବରକ୍ଷକ ଜକ୍ତୁ ସିଂହ ନିଜ ପଦବୀ ଛାଡି ଦେଇଥିଲେ। ତାଙ୍କ ସ୍ଥାନରେ ଯୋଗଦେଇଥିଲେ ଶୁକଦେବ ଓରାମ। ତିନି ଅଧିକାରୀ ମିଶି ମୋଟ ୪ ଲକ୍ଷ ୩୫ ହଜାର ୭୫୩ ଟଙ୍କା ଆତ୍ମସାତ୍ କରି ଦେଇଥିଲେ। ଏ ସଂକ୍ରାନ୍ତରେ ଲ୍ୟାମ୍ପସ୍ର ଅଧିକାରୀ ବାସୁଦେବ ଧନୱାର ଗତ ୧୨.୦୮.୨୦୦୦ରେ ନୂଆଗାଁ ଫାଣ୍ଡିରେ ହିସାବରକ୍ଷକ ଜକ୍ତୁ ସିଂହ, ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଖେଳବନ୍ତ ସାହୁ ଓ ଶୁକଦେବ ଓରାମଙ୍କ ନାଁରେ ଲିଖିତ ଏତଲା ଦେଇଥିଲେ।
ମାମଲା ହାତୀବାରି ଥାନାକୁ ସ୍ଥାନାନ୍ତର ହୋଇଥିଲା। କୋର୍ଟ ମାମଲାରେ ମାମଲା ବିଚାଧୀନ ଥିବାବେଳେ ପ୍ରଥମେ ଜକ୍ତୁ ସିଂହ ଓ ପରେ ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଖେଳବନ୍ତ ସାହୁଙ୍କର ମୃତ୍ୟୁ ହୋଇଯାଇଥିଲା। ହିସାବରକ୍ଷକ ଶୁକେଦବ ଓରାମଙ୍କୁ କୋର୍ଟରେ ହାଜର ହେବାକୁ ବାରମ୍ବାର ନୋଟିସ୍ ହୋଇଥିଲା। ହେଲେ ସେ ଚାରିବର୍ଷ ଧରି କୋର୍ଟରେ ହାଜର ନ ହେବାରୁ ତାଙ୍କ ନାଁରେ ଜାମିନବିହୀନ ଗିରଫପରୱାନା ଜାରି କରାଯାଇଥିଲା।