କୋରାପୁଟ: ଜିଲ୍ଲାବାସୀ ଏବର୍ଷ ବି ପିଇବାକୁ ପାଇବେନି ପର୍ଯ୍ୟାପ୍ତ ପାଣି। ଏମିତି ସଙ୍କେତ ଜଳଜଳ ଦିଶିଲାଣି। ମେଗା ଜଳଯୋଗାଣ ପ୍ରକଳ୍ପ ୧୪ଟି ବ୍ଲକ ପାଇଁ ୮ଟି ସ୍ଥାନରୁ ଏହି ଯୋଜନାରେ ପାଣି ଘରକୁ ଘର ଯୋଗାଇବାକୁ ଲକ୍ଷ୍ୟ ଗତ ୭ବର୍ଷ ହେବ କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାର ଏଥି ପାଇଁ ୩ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ତେବେ ଏହି ପ୍ରକଳ୍ପ ଗୁଡିକର କାମ ସରିବା ନାଁ ନେଉନି।
ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ଜିଲ୍ଲାରେ କାର୍ଯ୍ୟାକାରୀ ହେବାକୁ ଯାଉଥିବା ୮ଟି ମେଗା ଜଳଯୋଗାଣ ପ୍ରକଳ୍ପ ଓପାନୀୟ ଜଳଯୋଗାଣ ପ୍ରକଳ୍ପ ଗୁଡିକର ଅଗ୍ରଗତିର ସମୀକ୍ଷା କରିଛନ୍ତି। ପ୍ରକଳ୍ପ ଗୁଡିକ ନିର୍ମାଣ ଅତ୍ୟନ୍ତ ମନ୍ଥ୍ରତାକୁ ନେଇ ଜିଲ୍ଲାପାଳ ଚିନ୍ତା ପ୍ରକଟ କରିଥିଲେ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଠିକା ସଂସ୍ଥା କାମନ ସାରିଲେ କାର୍ଯ୍ୟାନୁଷ୍ଟାନ ନେବା ପାଇଁ ଜିଲ୍ଲାପାଳ ଦେଇଥିଲେ ନିର୍ଦ୍ଦେଶ।
ଜିଲ୍ଲାରେ ଏବେ ୧୭,୭୮୦ଟି ନଳକୂଅ ରହିଛି। ଏହା ସହିତ ୬୪୫ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି। ଜିଲ୍ଲାରେ ଥିବା ସମୁଦାୟ ୪୪୦୪ଟି ଜନବସତି ଭିତରୁ ପ୍ରାୟ ୧୦୩୦ଟି ଏହି ପ୍ରକଳ୍ପ ଗୁଡିକରୁ ପାଇପ ପାଣି ଯୋଗାଇ ଦିଆଯାଉଛି। ୨୦ହଜାର ଘର ଏଥିରୁ ଫାଇଦା ପାଇଥାନ୍ତି। କିନ୍ତୁ ବାକି ଜନବସତିରେ ଥିବା ୨ ଲକ୍ଷ ୭୫ ହଜାର ଘର ନଳକୂଅ କିମ୍ବା କୂଅ ଉପରେ ନିର୍ଭର କରିଥାନ୍ତି। କିଛି ସ୍ଥାନରେ ଲୋକେ ଝରଣା, ନଦୀ, ନାଳର ପାଣି ବ୍ୟବହାର କରନ୍ତି। ଜିଲ୍ଳାରେ ଭୁତଳ ଜଳସ୍ତର ଅତି ବିପଦଜନକ ଭାବେ ତଳକୁ ଖସି ଯାଇଛି।
ବୈପାରିଗୁଡ଼ା, ପଟାଙ୍ଗି, ନାରାୟଣପାଟଣା ଆଦି ବ୍ଲକର ଅଧିକାଂଶ ଅଂଚଳରେ ନଳକୂପରୁ ଖରାଦିନେ ପାଣି ବାହାରୁନି ବୋଲି ଆଲୋଚନା ହୋଇଥିଲା। କୋଲାବ ଜଳଭଣ୍ଡାରର ବିଭିନ୍ନ ସ୍ଥାନରେ ୬ଟି ଓ ଇନ୍ଦ୍ରାବତୀ ପ୍ରକଳ୍ପରେ ୨ଟି ଏପରି ୮ଟି ପ୍ରକଳ୍ପ ନିର୍ମାଣ ଜାରି ରହିଛି। ମୁରାନରେ ପ୍ରକଳ୍ପ ଦ୍ବାରା ବୋରିଗୁମ୍ମା, ଜୟପୁର ଓ କୋଟପାଡ ବ୍ଲକର ୫୧ଟି ପଞ୍ଚାୟତକୁ ପାଣି ଯୋଗାଇବାକୁ ଲକ୍ଷ୍ୟ। ୮ରୁ ମୁରାନ ହିଁ ପ୍ରାରମ୍ଭିକ ଭାବେ ଆଂଶିକ ଯୋଗାଣ ଆରମ୍ଭ ହୋଇଛି।
ଏହି ପ୍ରକଳ୍ପ ଆସିବା ପରେ ନୂଆ ନଳକୁଅ ଆଉ ଖନନ୍ ହେଉନି। ପ୍ରକଳ୍ପ କାମ ସରୁନି, ଏହି ସ୍ଥିତିରେ ଲୋକେ ପାଣି ପାଇଁ ହଇରାଣ ହେବେ। ତେଣୁ ଏହି ସମସ୍ୟା ଦୁର କରିବା ପାଇଁ ଗ୍ରାମ୍ୟ ଜଳଯୋଗାଣ ବିଭାଗ ସବୁ ପରିସ୍ଥିତିକୁ ନେଇ ପ୍ରସ୍ତୁତ ରହିବା ଏବଂ ସବୁ ବିଭାଗ ସମନ୍ବୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।
ବୈଠକରେ ଡିଏଫଓ କେଭି ଭାସ୍କର ରାଓ, ପ୍ରତାପ ବେହେରା, ପୂର୍ତ୍ତ ବିଭାଗ, ଟାଟାପାୱାରର ନିର୍ବାହୀ ଯନ୍ତ୍ରୀ ଇଂ ଭଗବାନ ପ୍ରଧାନ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକାରୀ ମାନେ ଭାଗ ନେଇଥିଲେ। କେବଳ ଗୋଟିଏ ମୁରାନ ପ୍ରକଳ୍ପରୁ କୋଟପାଡ଼,ଜୟପୁର ଓ ବୋରିଗୁ୍ମ୍ମା ବ୍ଲକରେ ଆଂଶିକ ଯୋଗାଣ ଆରମ୍ଭ ହୋଇଛି। ମୁରାନ ମେଗା ଜଳ ଯୋଗାଣ ପ୍ରକଳ୍ପର ଠିକାସଂସ୍ଥାକୁ ମନ୍ଥରତା ପାଇଁ ୩୦ଲକ୍ଷର ଜରିମାନା ପକାଯାଇଥିବା କହିଥିଲେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଜଗବନ୍ଧୁ ଚୌଧୁରୀ।
Koraput