ଭୁବନେଶ୍ବର: ଭିଡ଼.. ଭିଡ଼… ଭିଡ଼… ଭୁବନେଶ୍ବରରେ ଭିଡ଼ ନା ଭିଡ଼ରେ ଫସିଛି ଭୁବନେଶ୍ବର । ସେ ଯାହା ବି ହେଉ କଥା କିନ୍ତୁ ଏକା, ଯନ୍ତ୍ରଣା କିନ୍ତୁ ଏକା, ହନ୍ତସନ୍ତ ବି ସମାନ ଆଉ ସ୍ଥିତି ବି ସମାନ । ସାରା ଭୁବନେଶ୍ବରରେ ଗତ ୩ ଦିନ ହେବ ଯେଉଁ ସ୍ଥିତି ଉପୁଜୁଛି ତାହା ଆକଳନ ବାହାରେ । କିନ୍ତୁ ଆଜିର ସ୍ଥିତି ଯାହା ହେଲା ସେଥିରେ ଭୁଲ କାହାର ଆଉ କିଏ ଦାୟୀ ଆପଣ ପୂରା କାହାଣୀ ପଢି ସାରିଲା ପରେ ହିଁ ବିଚାର କରିବେ ।
ଆଜି ଭୁବନେଶ୍ବରରେ ଅସରାଏ ବର୍ଷା ପରେ ରାଜଧାନୀ ରାସ୍ତାରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଭିଡ଼ । ବର୍ଷା ପାଇଁ ଲୋକେ ତ ଏକରେ ଦୋକାନ ବଜାର କି ବ୍ରିଜ ତଳେ କିଛି ସମୟ ପାଇଁ ଅଟକି ରହି ବର୍ଷା ଛାଡିଲା ପରେ ବାହାରିଥିଲେ କିନ୍ତୁ ସେପଟେ ପୂଜା ପାଇଁ କାଉଁଳିଆ ପାଗ ଦେଖି ଘରୁ ବାହାରି ଆସିଥିଲେ ଲୋକେ । ଯାହାର ଭୟଙ୍କର ପରିଣାମ ରାସ୍ତା ଜାମ୍ ହୋଇଥିଲା । ହଂସପାଳରୁ ଜାମ ଲାଗି ରହିଥିଲେ ବି ପଳାସୁଣୀ ଓଭରବ୍ରିଜ ପାଖରେ ଯଦିଓ ଭିଡ ଟିକେ ଅଧିକ ଥିଲା ମାତ୍ର ରସୁଲଗଡ଼ ଛକରେ ସ୍ଥିତି ପୂରା ବିଗିଡି ଯାଇଥିଲା । ଟ୍ରାଫିକ ବ୍ୟବସ୍ଥା ପୂରା ଭୁଶୁଡ଼ି ପଡିଥିଲା । ନା ଭି-ଟୁ ସାମ୍ନାରେ ଥିବା ଛକରେ ଟ୍ରାଫିକ କର୍ମଚାରୀ ଥିଲେ ନା କେହି ନିୟନ୍ତ୍ରଣ ପାଇଁ ଥିଲା । ବାଘ ଘରେ ମିରିଗ ନାଟ ପରି… ଟାଫିକକୁ ନଖାତିର କରି ଲୋକେ ଯିଏ ଯୁଆଡେ ପାରିଲେ ଗାଡ଼ି ପୂରାଉଥିଲେ ।
କିଏ ଥାନା ପଟୁ ପଳାଶୁଣୀ ଅଭିମୁଖେ ବାହାରୁଥିଲା ତ ପୁଣି କିଏ ଉର୍ମି ହୋଟେଲ ଆଡୁ ରଙ୍ଗ ରୁଟରେ ଭିସାଲ ଆଡେ ମାଡୁଥିଲା । କାର ଚାଳକ ଯଦି ବଡ଼ ଗାଡି ଧରି ଗୋଟେ ଢଙ୍ଗରେ ଯାଉଥିଲେ କିନ୍ତୁ ବାଇକ୍- ସ୍କୁଟି ଧାରି ମନଇଚ୍ଛା ଗାଡ଼ି ଚଳାଉଥିଲେ । ଚାରିଛକରେ କିଛି ସମୟ ଭିତରେ ଏକଦମ୍ ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ପଳାଇଗଲା । ଅଧଘଣ୍ଟା ପୂରା ସେହି ଛକରେ ଗାଡ଼ି ଅଟକିବା ପରେ କିଛି ଲୋକ ଆସି ନିଜ ଆଡୁ ଟ୍ରାଫିକ ପରିଚାଳନାର ଭାର ନିଜ କାନ୍ଧକୁ ନେଇ ବ୍ୟାରିକେଡ୍ ଟାଣିଥିଲେ । ପରେ ସ୍ଥିତିରେ ଟିକେ ସୁଧାର ଆସିଥିଲା ।
- ରସୁଲଗଡ଼ ଛକରେ ଭୁଶୁଡ଼ିଲା ଟ୍ରାଫିକ ବ୍ୟବସ୍ଥା
— Sambad (ସମ୍ବାଦ) (@sambad_odisha) October 1, 2025
- ବର୍ଷା ପରେ ପ୍ରବଳ ଜାମ୍ #Sambad#TrafficJam#Bhubaneswar#Rasulgarh#Odishapic.twitter.com/tg1EOOFxTE
ଅନେକ ମଣ୍ଡପ ରାସ୍ତା ପାଖରେ ଥିବାରୁ ଲୋକେ ମଣ୍ଡପ ପାଖରେ ଗାଡ଼ି ଥୋଇ ଦର୍ଶନ କରିବାକୁ ପଳାଇ ଯାଉଥିବାରୁ ଭିଡ଼ ଜମୁଥିବା କୁହାଯାଉଛି । ଆଉ କିଛି ନିୟମ ନମାନିବା କାରଣରୁ, ଏଣେତେଣେ ଗାଡ଼ି ପଶେଇ ଦେବା କାରଣରୁ ଏମିତି ଅସମ୍ଭାଳ ଭିଡ଼ ହେଉଥିବାରୁ ଏଠି ପ୍ରଶ୍ନ ଉଠୁଛି ଅଯଥା ଭିଡ଼ ପାଇଁ ଦାୟୀ କିଏ ?
#ବର୍ଷା_ପରେ_ପ୍ରବଳ_ଜାମ
— Sambad (ସମ୍ବାଦ) (@sambad_odisha) October 1, 2025
- ପଳାସୁଣୀରୁ ରସୁଲଗଡ଼ ନାହିଁ ନଥିବା ଭିଡ଼
- ଅଧଘଣ୍ଟା ହେଲା ଗଡୁନି ଗାଡ଼ି#Sambad#TrafficJam#Bhubaneswar#Rasulgarh#Odishapic.twitter.com/RJYrEqAEnY