ଭଦ୍ରକ (ହରିହର ନାୟକ): ଜିଲ୍ଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିକାଶର ସବୁଠାରୁ ପଛରେ ପଡ଼ିଛି। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ତ ବ୍ଲକର ସଦର ମହକୁମାକୁ ଏନ୍ଏସି ମାନ୍ୟତା ଦେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘ ୧୫ ବର୍ଷ ଧରି ଦାବି କରି ଆସୁଛନ୍ତି। ଆଗରପଡ଼ା ସହରକୁ ଉଭୟ ବ୍ଲକ ଓ ଏନ୍ଏସି ମାନ୍ୟତା ପାଇବା ପାଇଁ ଦାବି ହୋଇଆସୁଛି। ଅଞ୍ଚଳବାସୀ ଦୀର୍ଘ ବର୍ଷ ଧରି ଦାବି କରି ଆସୁଥିଲେ ମଧ୍ୟ ଏହି ଅଞ୍ଚଳର ରାଜନୈତିକ ବ୍ୟକ୍ତି ବିଶେଷ ଓ ନିର୍ବାଚିତ ଲୋକ ପ୍ରତିନିଧିମାନେ ବନ୍ତ ଓ ଆଗରପଡ଼ା ଅଞ୍ଚଳର ବିକାଶ ପାଇଁ ଉଦ୍ୟମ କାଟି ନାହାନ୍ତି।
ବିଧାନସଭା କିମ୍ବା ଲୋକସଭାରେ ଦାବି ଉଠାଇ ନାହାଁନ୍ତି। ବିଜେଡି ସରକାର ଅମଳରେ ଏହି ଦୁଇଟି ପ୍ରମୁଖ ଦାବି ଏଇ ଅଞ୍ଚଳ ପାଇଁ ଉଠିଥିଲା। ବନ୍ତରେ ଲୋକସଂଖ୍ୟା ଓ ବନ୍ତ ସହରର ବିକାଶକୁ ଲକ୍ଷ କରି ଲୋକେ ବନ୍ତକୁ ଏନ୍ଏସି ମାନ୍ୟତା ଦେବା ପାଇଁ ଦାବି କରିଥିଲେ। ଅନୁରୂପ ଭାବରେ ଆଗରପଡ଼ା ସହରର କ୍ରମ ବିକାଶ ଓ ଏହି ସହର ଉପରେ ନିର୍ଭର କରି ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ ଓ କେନ୍ଦୁଝର ଆଦି ୪ଟି ଜିଲ୍ଲାର ଲୋକମାନେ ଏଠାକୁ ବିଭିନ୍ନ ବ୍ୟବସାୟ ଓ ମାର୍କେଟ କରିବାକୁ ଆସୁଛନ୍ତି।
ଆଗରପଡ଼ା ହାଟ, ଆଗରପଡ଼ା କଲେଜ, ମହିଳା କଲେଜ, ସିଟି ସ୍କୁଲ, ଡ଼ାଏଟ, ଜଳସମ୍ପଦ ବିଭାଗର ଅଫିସ, ସହ ଅନ୍ୟାନ୍ୟ ସ୍କୁଲ, କଲେଜ ରହିଛି। ଆଗରପଡ଼ା ଦେଇ ବାଲେଶ୍ଵର ଓ କେନ୍ଦୁଝର ଜିଲ୍ଲାର ପର୍ଯ୍ୟଟନ ସ୍ଥାନ ହଦଗଡ଼ ଡ୍ୟାମ୍କୁ ଶୀତ ଦିନରେ ଲୋକମାନେ ବହୁଳ ଭାବରେ ଯାତାୟାତ କରିଥାନ୍ତି। ଆଗରପଡ଼ା ଅଞ୍ଚଳ ଏକ ପ୍ରମୁଖ ସହର ଭାବରେ ଭଦ୍ରକ ଜିଲ୍ଲାରେ ପରିଗଣିତ ହେଉଥିବା ବେକେ ଏହି ଅଞ୍ଚଳର ପ୍ରତି ଏଠାକାର ଲୋକ ପ୍ରତିନିଧିମାନେ ଗୁରୁତ୍ଵ ଦେଇ ନାହାନ୍ତି।
ଓଡ଼ିଶାର ନବ ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ ହରେକୃଷ୍ଣ ମହତାବଙ୍କ ଜନ୍ମମାଟି ହେଉଛି ଆଗରପଡ଼ା। ତଥାପି ଏ ମାଟି ହେଉଛି ଅବହେଳିତ। ବିଜେଡି ଦୀର୍ଘ ବର୍ଷ ସରକାରରେ ରହିଥିବା ବେଳେ ଏ ଠାରେ ବିଧାୟକ ଓ ସାଂସଦ ହେଉଥିବା ଲୋକ ପ୍ରତିନିଧିମାନେ ଏହି ଅଞ୍ଚଳର ବିକାଶ ଓ ଏ ଅଞ୍ଚଳକୁ ଏନ୍ଏସି ମାନ୍ୟତା ଦେବା ପାଇଁ ପାଟି ଖୋଲିଲେ ନାହିଁ। ଏବେ ବିଜେପି ସରକାର କ୍ଷମତାକୁ ଆସିଥିବା ବେଳେ ଏଠାରେ ସାଂସଦ ଅଛନ୍ତି ଓଡ଼ଙ୍ଗ ପଞ୍ଚାୟତର ବାସିନ୍ଦା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀଙ୍କ ପୁତ୍ର ଅଭିମନ୍ୟୁ ସେଠୀ। ଅଭିମନ୍ୟୁ ବିଜେପି ଦଳରୁ ସାଂସଦ ଭାବରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଉଥିବା ବେଳେ ବନ୍ତ ବାସିନ୍ଦା ଭାବରେ ବନ୍ତ ଓ ଆଗରପଡ଼ାକୁ ଏନ୍ଏସି ଘୋଷଣା କରିବା ପାଇଁ ତାଙ୍କର ଆତନ୍ତିକଟା ଅଧିକ ରହିବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଅଞ୍ଚଳର ଲୋକମାନେ ଆଲୋଚନା କରୁଛନ୍ତି।
ସାଂସଦ ଅଭିମନ୍ୟୁ ସେଠୀ ଏହି ଅଞ୍ଚଳର ଲୋକ ପ୍ରତିନିଧି ଭାବରେ ନିର୍ବାଚିତ ହୋଉଥିବା ବେଳେ ଅଞ୍ଚଳର ବିକାଶ ପାଇଁ ସ୍ବର ଉଠାଇବା ଉଚିତ ମନେହୁଏ। ସେହିପରି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ଏବେ ବିଧାୟକ ଅଞ୍ଚନ୍ତି ବିଜେଡି ଦଳର ସଂଜୀବ ମଲ୍ଲିକ। ଏହା ପୂର୍ବରୁ ୩ ଥର ବିଧାୟକ ଓ ମନ୍ତ୍ରୀ ଥିବା ପ୍ରଫୁଲ୍ଲ ସାମଲ ଏହି ପ୍ରସଙ୍ଗରେ ସ୍ୱର ଉଠାଇ ନଥିବା ବେକେ ଏବେ ସଂଜୀବ ବିଧାନସଭାରେ ସ୍ବର ଉଠାଇବା ପାଇଁ ଲୋକେ ଦାବି କରିଛନ୍ତି।
ଆଗରପଡ଼ା ଅଞ୍ଚଳର ନେତା ଭଦ୍ରକ ଜିଲ୍ଲା ପରିଷଦ ର ଅଧ୍ୟକ୍ଷ ଅଛନ୍ତି ପ୍ରଫୁଲ୍ଲ ଜେନା। ଶ୍ରୀ ଜେନା ମଧ୍ୟ ଏହି ପ୍ରସଙ୍ଗକୁ ନେଇ ନିଜର ସ୍ଵର ଶାଣିତ କରିବାର ଆବଶ୍ୟକତା ରହିଛି। ସେହିପରି କଂଗ୍ରେସ ଦଳ ମୁଖ୍ୟ ବିରୋଧୀ ଦଳ ଭାବରେ ଏହି ଅଞ୍ଚଳରେ ଠିଆ ହୋଇଥିବା ବେଳେ ଏହି ଦୁଇ ପ୍ରମୁଖ ପ୍ରସଙ୍ଗକୁ ନେଇ ଜୋରଦାର ଆନ୍ଦୋଳନ କରିବାର ଉଚିତ। ସରକାର ବନ୍ତ ଓ ଆଗରପଡ଼ାକୁ ଏନ୍ଏସି ଘୋଷଣା ନକଲେ କଂଗ୍ରେସ ଆଗାମୀ ଦିନରେ ବଡ଼ଧରଣର ଆନ୍ଦୋଳନ କରିବ ବୋଲି ବନ୍ତ ବ୍ଲକର କଂଗ୍ରେସ କମିଟିର ସଭାପତି ରାଜକିଶୋର ସ୍ୱାଇଁ ଚେତାବନୀ ଦେଇଛନ୍ତି। ବନ୍ତ ବ୍ଲକର ସ୍ଵଭିମାନ ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି କଂଗ୍ରେସ ଦଳ ପକ୍ଷରୁ ଶ୍ରୀ ସ୍ବାଇଁ ଚେତାବନୀ ଦେଇଛନ୍ତି।
Bhadrak