ଭୁବନେଶ୍ବର/ଜଗତସିଂହପୁର/ଝାରସୁଗୁଡ଼ା: ଭୁବନେଶ୍ବର ମହାନନଗର ନିଗମ (ବିଏମ୍‌ସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଆକ୍ରମଣ ମାମଲାରେ ରାଜ୍ୟର ବିଭିନ୍ନ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି। ଏଥିରେ ଜଗତସିଂହପୁର ଓ ଝାରସୁଗୁଡ଼ା ମଧ୍ୟ ଯୋଡ଼ି ହୋଇଯାଇଛି। ବାଲେଶ୍ବର, ସୁବର୍ଣ୍ଣପୁର, ଗଂଜାମ ଜିଲ୍ଲାର ଓଏଏସ୍‌ ଅଧିକାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। 

Advertisment

ଜଗତସିଂହପୁର ଜ଼ିଲ୍ଲାରେ ସମସ୍ତ ଓଏଏସ୍‌ ଅଧିକାରୀମାନେ ସମୂହ ଛୁଟିରେ ରହିଛନ୍ତି ଓ କଲମ ଛାଡ଼ିଛନ୍ତି। ଏନେଇ ଅଧିକାରୀମାନେ ଆଜି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି। ସେମାନେ ଏକ ବୈଠକ କରି ଜ଼ିଲ୍ଲାପାଳଙ୍କୁ ଏକ ଲିଖିତ ଦରଖIସ୍ତ ଦେଇଛନ୍ତି। ଏଥିରେ ଜ଼ିଲ୍ଲାର ସମସ୍ତ ଡେପୁଟି କଲେକ୍ଟର, ଅତିରିକ୍ତ ଜ଼ିଲ୍ଲାପାଳ, ଉପଜ଼ିଲ୍ଲାପାଳ, ପିଡିଡିଆରଡିଏ, ବିଡ଼ିଓ, ତହସିଲଦାର ପ୍ରଭୁତି ଅଧିକାରୀମାନେ ସମୂହ କଲମ ଛାଡ଼ ସହିତ ଅନିଦ୍ଧିଷ୍ଟ କଲା ପାଇଁ ସମୂହ ଛୁଟିରେ ରହିଛନ୍ତି। ଏଥି ନେଇ ଜ଼ିଲ୍ଲାରେ ସମସ୍ତ କାର୍ଯ୍ୟ ଠପ ହୋଇଯାଇଛି। ଜନସାଧାରଣ ନାହିଁ ନଥିବା ହଇରାଣର ସାମ୍ନା କରୁଛନ୍ତି। 

ସେହିପରି ଝାରସୁଗୁଡ଼ାରେ ମଧ୍ୟ ସମସ୍ତ ଓଏଏସ ଅଧିକାରୀ ସମୂହ ଛୁଟିରେ ଯାଇଛନ୍ତି। ଏହି କାରଣରୁ ଜନସାଧାରଣଙ୍କ ବିଭିନ୍ନ କାମ ଅଟକି ରହିଛି। ସୁନ୍ଦରଗଡ଼ ଓଏଏସ୍ ସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଲମ ଛାଡ଼  ଆନ୍ଦୋଳନ ଡ଼ାକରା ଦିଆଯାଇଛି। ଓଏଏସ ସଙ୍ଘ ପକ୍ଷରୁ ଜିଲ୍ଲା ଶାଖା ସଭାପତି ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀଙ୍କ ନେତୃତ୍ବରେ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।  ଏହାକୁ ଅମାନୁଷିକ, ବର୍ବରୋଚିତ ବୋଲି କହି ଜିଲ୍ଲା ଓଏଏସ ସଂଘ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। 

ପୁରୀରେ ଓଏଏସ ସଂଘର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏନେଇ ସଂଘ ଗୋଟିଏ ଦିନ ସମୟ ଦେଇଛି। ଆସନ୍ତାକାଲି (ବୁଧବାର) ସୁଦ୍ଧା କାର୍ଯ୍ୟାନୁଷ୍ଠାନ ନହେଲେ ସବୁ ଅଫିସର ସମୂହ ଛୁଟିରେ ଯିବେ ବୋଲି ସଂଘ କହିଛି। ରଥଯାତ୍ରାରେ କାମ ବନ୍ଦ ନିଷ୍ପତ୍ତିକୁ ଅଧିକାଂଶ ଅଫିସର ଗ୍ରହଣ କଲେନି। ଏଣୁ ଗୋଟିଏ ଦିନ ସମୟ ଦେବାକୁ ସାମୂହିକ ନିଷ୍ପତ୍ତି ଗ୍ରହଣ କରାଯାଇଛି। 

 

ଏହି ଘଟଣାକୁ ବିରୋଧ କରି ଭଦ୍ରକ ଓଏଏସ ତଥା ଓଆର୍‌ଏସ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ କରାଯାଇଛି। ଏଭଳି ନିନ୍ଦନୀୟ କାର୍ଯ୍ୟକୁ ସଂଘ  ପକ୍ଷରୁ ନିନ୍ଦା କରାଯାଇ ଜିଲ୍ଲାପାଳଙ୍କୁ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି। ନବରଙ୍ଗପୁର ଓଏଏସ ସଂଘ ମଧ୍ୟ ଛୁଟିରେ ଯାଇଛନ୍ତି।

Bhubaneswar Municipal Corporation (BMC)