କୋରାପୁଟ: ଜୈବିକ ପଦ୍ଧତିରେ ହେଉଥିବା ଚାଷ ଓ ଏଥିରେ ଉତ୍ପାଦିତ ଦ୍ରବ୍ୟକୁ ନେଇ ବିଶ୍ବରେ କୋରାପୁଟ ସ୍ବତନ୍ତ୍ର ସ୍ଥାନ ପାଇଛି। ଏହାକୁ ବଜାୟ ରଖନ୍ତୁ। ରାସୟନିକ ସାର ବ୍ୟବହାରକୁ ନାଁ କରନ୍ତୁ। ଚାଷୀ ଓ ଚାଷର ଭିତ୍ତିଭୂମିକୁ ସଜାଡ଼ିବା ଓ ବଜାର ଯୋଗାଇବା ପାଇଁ ରାଜ୍ୟ ସରକାର, ଜିଲ୍ଲାପ୍ରଶାସନ ସବୁ ବେଳେ ପ୍ରସ୍ତୁତ ବୋଲି କୋରାପୁଟ ଗସ୍ତରେ ଆସିଥିବା ରାଜ୍ୟ ପ୍ରମୁଖକୃଷି ସଚିବ ଡ.ଅରବିନ୍ଦ ପାଢ଼ୀ ଚାଷୀଙ୍କୁ କହିଛନ୍ତି।

Advertisment

କୋରାପୁଟ ଜିଲ୍ଲା ଗସ୍ତରେ ଆସି ଦୟାନିଧିଗୁଡାରେ ଥିବା ଜୈବିକ ଶ୍ରୀର ଫାର୍ମକୁ ଗସ୍ତରେ ଯାଇଥିଲେ। ଏଠାରୁ ଆଜି ଅଦା ପ୍ରକ୍ରିୟାକରଣ କରାଯାଇ ଜୈବିକ ଶ୍ରୀ ପକ୍ଷରୁ ଜେଟି ଭାରତ ଓପାଲେଡିନା ସହଯୋଗରେ ରାୟପୁରକୁ ୧୫ ମେଟ୍ରିକଟନ୍ ଓ ପଂଜାବକୁ  ୩୦ମେଟ୍ରିକ ଟନ୍ ଅଦା ବିକ୍ରି ପାଇଁ ଟ୍ରକରେ ପଠାଯାଇଥିଲା। ଏହି ଦୁଇ ଟ୍ରକକୁ ଡ. ପାଢ଼ୀ, ରାଜ୍ୟ ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ନିଖିଲ ପୱନ୍ କଲ୍ୟାଣ, ଜିଲ୍ଲାପାଳ ଭି.କୀର୍ତ୍ତିୱାସନ, ଆଦି ସବୁଜ ପତାକା ଦେଖାଇ ପଠାଇଥିଲେ।

 

ପ୍ରଗତିର ସମ୍ପାଦକ ପ୍ରଭାକର ଅଧିକାରୀ, ଜୈବିକଶ୍ରୀର ସିଇଓ ମୁରଲୀ ଅଧିକାରୀ, ନିର୍ଦ୍ଦେଶକ ସୁରେନ୍ଦ୍ର ମସ୍ତି, କାର୍ଯ୍ୟକ୍ରମ ଅଧିକାରୀ ଡ.ଲୁନା ପଣ୍ଡା, ଜିଲ୍ଲା ଉଦ୍ୟନା ବିଭାଗ ଉପନିର୍ଦ୍ଦେଶକ ସୁଦାମ ଚରଣ ବିଶ୍ବାଳ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ପ୍ରଧାନ, କାର୍ଯ୍ୟକ୍ରମ ଅଧିକାରୀ ତାପସ ରଂଜନ ରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ପ୍ରମୁଖ କୃଷି ସଚିବ ଜୈବିକ ଶ୍ରୀ ଫାର୍ମ ପରିସରକୁ ଯାଇ ପ୍ରକ୍ରିୟାକରଣ କରାଯାଇଥିବା ଅଦା, କଫି ମଂଜି ଆଦିର ତଦାରଖ କରିବା ସହ ଯନ୍ତ୍ରାଂଶର ନିରୀକ୍ଷଣ କରିଥିଲେ। ଉପସ୍ଥିତ ଚାଷୀଙ୍କ ବୈଠକରେ ଯୋଗ‌ ଦେଇଥିଲେ। ଶ୍ରୀ ଅଧିକାରୀ ଜୈବିକ ଶ୍ରୀ ସଂସ୍ଥା କିଭଳି ଆରମ୍ଭ ହୋଇଥିଲା ତାହାର ସମ୍ପୁର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ। ଜ‌ୈବିକ ଶ୍ରୀ  ସିଇଓ ମୁରଲୀ ଅଧିକାରୀ, ନିର୍ଦ୍ଦେଶକ ଶ୍ରୀ ମସ୍ତି, ଚାଷୀ ଦୀନବନ୍ଧୁ ଜାନୀ, ଉଆଁଶୀ ମାଝୀ ଆଦିଙ୍କ ସହ କଳାଜୀରା ଧାନ, ଅଦା, ମକା, ଓ କଫି ଚାଷ ସମ୍ପର୍କରେ ବିସ୍ତୃତରେ ଆଲୋଚନା କରିଥିଲେ।

publive-image

ଗୁଣାତ୍ମକ ମାନ ସହ ସଫା ସୁତରା ଅଦା ବଜାରରେ ବିକ୍ରୀ କରିବା ସହ ଏହାକୁ ବଜାୟ ରଖିବାକୁ ଡ. ପାଢ଼ୀ ପରାମର୍ଶ ଦେଇଥିଲେ। ବଜାରରେ ବିକ୍ରୀବଟାର ମାନ ସହ ବିଶ୍ବାସ ବଜାୟ ରଖିବାକୁ ପଢ଼ିବ ବୋଲି କହିଥିଲେ। ଆମ୍ବରୁ ଆମ୍ବସୋଡା, ଆମ୍ବ ଜୁସ୍ ବାହାର କରିବା ଭଳି କୋରାପୁଟ ଜିଲ୍ଲାରୁ ଉତ୍ପାଦିକ ବିଭିନ୍ନ କ୍ଷୁଦ୍ର ଓ ଅନ୍ୟ ଖାଦ୍ୟ ଶସ୍ୟରୁ ଖାଦ୍ୟ ପ୍ରକ୍ରିୟାକରଣ କରି ବଜାରରେ ବିକ୍ରୀ ବଟା କରିବାକୁ ପରାମର୍ଶ ଦେଇଥିଲେ ଡ.ପାଢ଼ୀ। ଯେତେ ପରିମାଣର ଚାଷୀ ଉତ୍ପାଦିତ ସାମଗ୍ରୀକୁ ପ୍ରକ୍ରିୟାକରଣ କରି ବଜାରରେ ବିକ୍ରି କରିବା ଚାଷୀ ଲାଭ ପାଇବା ସହ ତାହାର ଭିତ୍ତିଭୂମିରେ ସୁଦୃଢ଼ ହେବା ଚାଷୀ ଆର୍ଥିକସ୍ତରରେ ସଶକ୍ତ ହୋଇପାରିବ ବୋଲି ଡ. ପାଢ଼ୀ କହିଥିଲେ। 

ଜୈବିକ ଶ୍ରୀକୁ ୧୨କୋଟି ବ୍ୟୟରେ ଶୀତଳଭଣ୍ଡାର ନିର୍ମାଣ କରିବାକୁ ଡ.ପାଢ଼ୀ ପ୍ରସ୍ତାବ ଦେଇଥିଲେ। ଏଥିରେ ରାଜ୍ୟ ସରକାର ୮କୋଟିର ସବସିଡି ଦେବ ବୋଲି କହିଥିଲେ। ଜୈବିକ ପଦ୍ଧତିରେ କୋରାପୁଟରୁ ଉତ୍ପାଦିକ ଚାଉଳ, କଳାଜୀରା ଚାଉଳ ଆଦିକୁ ପୁରୀ ଶ୍ରୀମନ୍ଦିରରେ ପ୍ରସାଦରେ ବ୍ୟବହାର କରିବାକୁ ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବ ପାରିତ ହେଲେ କୋରାପୁଟ ଜିଲ୍ଲା ପାଇଁ ଏହା ନିଶ୍ଚିତ ରୁପେ ଗର୍ବ ଓ ଗୌରବର ବିଷୟ ପାଲଟିବ ବୋଲି ଡ. ପାଢ଼ୀ ଚାଷୀ ଓ ଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ।