ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ପୁରୁଣାପାଣି ଗ୍ରାମ ପଞ୍ଚାୟତର ଦାଣ୍ଡବୋଷ ଠାରେ ଥିବା ବିମାନବନ୍ଦର (ଏୟାରଷ୍ଟ୍ରିପ)ର ଉନ୍ନତୀକରଣ ଓ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ପକ୍ଷରୁ କରାଯାଉଥିବା ଜବରଦଖଲ ଉଚ୍ଛେଦକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଏହି ପ୍ରକ୍ରିୟାରେ ମୁର୍ଗାଘୁଟୁ ଏବଂ ପୋଖରିଆ ଗାଁର ଦୀର୍ଘବର୍ଷ ହେଲା ବସବାସ କରୁଥିବା ପ୍ରାୟ ୪୨ ଟି ପରିବାର ବାସହରା ହୋଇଯିବେ ବୋଲି ଅଭିଯୋଗ କରିଛନ୍ତି। ତେଣୁ ଗ୍ରାମବାସୀ ନିଜ ଭିଟାମାଟିରୁ ଉଚ୍ଛେଦ ବିରୋଧରେ ଉପଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ।
ସୂଚନା ଅନୁଯାୟୀ ଦାଣ୍ଡବୋଷ ବିମାନବନ୍ଦରର ଉନ୍ନତୀକରଣ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୪ ଡିସେମ୍ବର ୭ ତାରିଖରେ ଆଭାସୀ ମାଧ୍ୟମରେ ଭିଭିପ୍ରସ୍ତର ସ୍ଥାପନ କରିଥିଲେ। ପରେ ରାଇରଙ୍ଗପୁର ବିଡ଼ିଓଙ୍କ ଚିଠି ସଂଖ୍ୟା ୩୯୨ ତାରିଖ ୨୦ ଫେବ୍ରୁଆରି ୨୦୨୫ ଅନୁସାରେ ୮ ମାର୍ଚ୍ଚ ୨୦୨୫ ରେ ପୋଖରିଆ ଏବଂ ମୁର୍ଗାଘଟୁ ଗ୍ରାମବାସୀଙ୍କୁ ନେଇ ଏକ ଗ୍ରାମସଭା ଆୟୋଜନ କରିବା ପାଇଁ ନିଷ୍ପରି ହୋଇଥିଲା। କିନ୍ତୁ ସେହିଦିନ ଆଦିବାସୀ ସମ୍ପ୍ରଦାୟର ବାହାବଙ୍ଗା ପର୍ବର ପୂଜାର୍ଚ୍ଚନା ହେଉଥିବା ଯୋଗୁଁ ଲୋକେ ଗ୍ରାମସଭାରେ ଯୋଗଦେଇ ପାରିନଥିଲେ ବୋଲି ଗ୍ରାମବାସୀ କହିଛନ୍ତି।
ତେବେ ୧୩ ମାର୍ଚ୍ଚ ୨୦୨୫ ତାରିଖ ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ଵାଳ ସରକାରୀ ଜମିରେ ଜବରଦଖଲ କରି ବସବାସ କରୁଥିବା ପରିବାରଙ୍କୁ ଉଚ୍ଛେଦ ପାଇଁ ନୋଟିସ ଦେଇଥିଲେI ଏହା ପରେ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଘର ଘରଗୁଡିକୁ ସଂଯୋଗ ହୋଇଥିବା ବିଦ୍ୟୁତ ଲାଇନ କାଟି ଦେଇଥିଲେ। ତେବେ ପରୀକ୍ଷା ପୂର୍ବରୁ ବିଦ୍ୟୁତ ଲାଇନ କଟିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେଣୁ ପ୍ରଶାସନ ପୁଣି ଗ୍ରାମସଭା ଆୟୋଜନ କରିବା ବ୍ୟତୀତ ଉଚ୍ଛେଦ ହେଉଥିବା ଲୋକଙ୍କୁ ଥଇଥାନ କରିବା ପାଇଁ ଦାବି କରିଥିଲେ। ଏହି ସମ୍ପର୍କରେ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇଥିଲେ।
/sambad/media/media_files/2025/03/20/img-20250320-wa1377-483173.jpg)
ଆଜି ଦାଣ୍ଡବୋଷ ଏଆରଷ୍ଟ୍ରିପର ସମ୍ପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ସମୟରେ ଗ୍ରାମବାସୀଙ୍କ ଦ୍ୱାରା ଲକ୍ଷ୍ମଣ ରେଖା ପକାଇଥିବା ଦେଖିବାକୁ ମିଳିଥିଲା। ଦାଣ୍ଡବୋଷ ଏଆରଷ୍ଟ୍ରିପ ନିକଟସ୍ଥ ଦୁଇଟି ଗ୍ରାମର ୪୨ଟି ଘରକୁ ସ୍ଥାନୀୟ ତହସିଲ ପ୍ରଶାସନ ଏବଂ ପୁଲିସ ପ୍ରଶାସନ ଜବର ଦଖଲଉଚ୍ଛେଦ ପାଇଁ ଯାଇଥିଲେ। କିନ୍ତୁ ସେହି ସମୟରେ ଗ୍ରାମବାସୀ ମାନେ ପ୍ରଶାସନକୁ ବିରୋଧ କରିଥିବାର ଦେଖା ଯାଇଥିଲା।
ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଜବରଦଖଲକାରୀଙ୍କୁ ହସ୍ତଗତ ହୋଇଥିବା ନୋଟିସ ଅନୁସାରେ ଜବରଦଖଲ କାରୀଙ୍କୁ ୩୦ ଦିନ ଘର ଛାଡିବା ପାଇଁ ସମୟ ଦିଆଯାଇଛି ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ ତହସିଲ ପ୍ରଶାସନ ନୋଟିସ ଦେବାର ଗୋଟିଏ ଦିନ ପରେ ଜେସିବି ଧରି ଜବରଦଖଲ ଉଚ୍ଛେଦ କରିବା ପାଇଁ ଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀମାନେ ତାଙ୍କୁ ବିରୋଧ କରିବା ସହିତ ଠେଙ୍ଗା ବାଡ଼ିଧରି ପ୍ରଶାସନକୁ ତଡ଼ିଦେବା ସହିତ ରାସ୍ତାରେ ଏକ ଧଳା ଗାର ( ଲକ୍ଷ୍ମଣ ରେଖା) ପକାଇ ଦେଇଥିଲେ ଏବଂ ପ୍ରଶାସନ ଅଧିକାରୀ ଉକ୍ତ ଗାର ପାରି କଲେ ଠେଙ୍ଗା ବାଡ଼ି ସାହାଯ୍ୟରେ ମାଡ଼ ମାରିବେ ବୋଲି ଚେତାବନୀ ଦେଇଥିଲେ। ତେବେ ଉକ୍ତ ସ୍ଥାନରୁ ତହସିଲ ଓ ପୁଲିସ ପ୍ରଶାସନ ପଳାଇଥିଲେ। ତେବେ ଗ୍ରାମବାସୀ ଉକ୍ତ ସ୍ଥାନରୁ ଧାରଣାରୁ ହତିବେ ନାହିଁ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/03/20/img-20250320-wa1375-903053.jpg)