ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫ୍ ନର୍ସ ସନ୍ତୋଷିନୀ ଦଳେଇ ଗତକାଲି ସନ୍ଧ୍ୟା ସମୟରେ ଭଦ୍ରକ ଚରମ୍ପା ରେଳ ଷ୍ଟେସନ ନିକଟରେ ଟ୍ରେନ୍‌ଲାଇନକୁ ଡେଇଁ ଜୀବନ ହାରିବା ଉଦ୍ୟମ କରିବା ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ସଂପୃକ୍ତ ଷ୍ଟାଫ ନର୍ସଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରତ ଡାକ୍ତର ଅମୂଲ୍ୟ ଦାସ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ କରିବା ତାଙ୍କ ପାଖକୁ ବିଭିନ୍ନ ଫଟୋ ପଠାଇ ଅନେକ ସମୟରେ ମାନସିକ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ କରିଛନ୍ତି। କେବଳ ଡାକ୍ତର ଅମୂଲ୍ୟ ଦାସ ତାଙ୍କୁ ନିର୍ଯାତନା ଦେଇ ନାହାନ୍ତି। ମେଡିକାଲର ଦୁଇଜଣ ଷ୍ଟାଫ ନର୍ସ ମଧ୍ୟ ତାଙ୍କୁ ମାନସିକ ଭାବରେ ନିର୍ଯାତନା ଦେଇଛନ୍ତି। ଏଭଳି ବାରମ୍ବାର ନିର୍ଯାତନା ସେ ସହି ନପାରି ଗତକାଲି ମେଡିକାଲ ଡିଉଟିକୁ ଆସି ସେଠାରୁ ସେ ଜୀବନ ହାରିବା ପାଇଁ ଟ୍ରେନ୍ ଲାଇନ୍‌କୁ ପଳାଇ ଯାଇଥିଲେ। ତାଙ୍କୁ ଏଭଳି ବାରମ୍ବାର ନିର୍ଯାତନା ଦିଆଯିବାରୁ ସେ ବାଧ୍ୟ ହୋଇ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସମ୍ପୁକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାୁନୁଷ୍ଠାନ ଗ୍ରହଣ କରାଯାଇ ବୋଲି ସେ  ଭଦ୍ରକ ସିଡିଏମଓ ଡ. ସୁଧାଂଶୁ ଶେଖର ବଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।  

Advertisment

ପୀଡ଼ିତା ମହିଳା ନର୍ସଙ୍କ ନିକଟରୁ ଏଭଳି ଅଭିଯୋଗ ପାଇବା ପରେ ସଂପୃକ୍ତ ଡାକ୍ତର ଅମୂଲ୍ୟ ଦାସଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ କହିଲେ, ମୁଁ ଏଭଳି କୌଣସି ଘଟଣାରେ ସଂପୃକ୍ତ ନୁହେଁ। ଏହା ଏକ ମିଥ୍ୟା ଅଭିଯୋଗ। ମୁଁ କାହା ପାଖକୁ ଫଟୋ ପଠାଇ ବ୍ଲକମେଲ କରିନାହିଁ। ଏଭଳି ଘଟଣା ସମ୍ପର୍କରେ ଭଦ୍ରକ ସିଡିଏମଓ  ଡ ସୁଧାଂଶୁଶେଖର ବଳଙ୍କୁ ପଚାରିବାରୁ ସେ କହିଲେ ଏଭଳି ଘଟଣା ସମ୍ପର୍କରେ ଜାଣିବା ପରେ ଆଜି ସକାଳୁ ମେଡ଼ିକାଲକୁ ଆସି ପୀଡ଼ିତା ନର୍ସ ଯେଉଁ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ସେଠାକୁ ଯାଇ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ତାଙ୍କ ନିକଟରୁ ଯେଉଁ ଅଭିଯୋଗ ଶୁଣିଛି। ସେ ଦିଗରେ ତଦନ୍ତ କରାଯିବ। ତଦନ୍ତ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବ। ଯେଉଁ କମିଟିରେ ଜଣେ ମହିଳା ଡାକ୍ତର ରହିବେ। ତଦନ୍ତର ସତ୍ୟାସତ୍ୟ ମିଳିବା ପରେ ସଂପୃକ୍ତ ଡାକ୍ତର ଓ ମାନସିକ ନିର୍ଯାତନା ଦେଉଥିବା ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।  

ଭଦ୍ରକ ମେଡିକରେ ରୋଗୀ ସେବା ପାଇଁ ନିୟୋଜିତ ଷ୍ଟାଫ ନର୍ସଙ୍କୁ ଯଦି ବାସ୍ତବରେ ଏଭଳି ନିର୍ଯାତନା ଦିଆଯାଉଥିବା ଏହାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବୋଲି ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ପରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଏହି ଘଟଣାର ତଦନ୍ତ ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ଭଦ୍ରକ ମେଡିକାଲ୍‌ର ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।  

ପ୍ରକାଶ ଯେ, ଡାକ୍ତର ଓ ଷ୍ଟାଫଙ୍କ ବ୍ଲାକମେଲ କାରଣରୁ ସନ୍ତୋଷିନୀ ପଲାଇ ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ଚିକିତ୍ସା ଜାରି ରହିଛି।  

Bhadrak