ଭୁବନେଶ୍ୱର: ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ୨ ଦିନିଆ ଜିଲ୍ଲାପାଳ ସମ୍ମିଳନୀର ଉଦ୍‌ଘଶଟନୀ ଅଧିବେଶନ ପରେ ଦ୍ୱିତୀୟ ଅଧିବେଶନରେ ‘ସୁଭଦ୍ରା’ ଯୋଜନାର କାର୍ଯ୍ୟକାରିତା ସମ୍ବନ୍ଧରେ ଉପସ୍ଥାପନା କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ଏସଂପର୍କିତ ଉପସ୍ଥାପନ କରିଥିଲେ। ‘ସୁଭଦ୍ରା’ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ସେ ସମସ୍ତ ଜିଲ୍ଲାପାଳକୁ ଧନ୍ୟବାଦ ଜଣାଇଥିଲେ। ଏଥିରେ ଦର୍ଶାଯାଇଥିଲା ଯେ ଅଦ୍ୟାବଧି ଛପା ଯାଇଥିବା ୧ କୋଟି ୮୯ ଲକ୍ଷ ୩୪ ହଜାର ୧୭୬ ସୁଭଦ୍ରା ଆବେଦନ ଫର୍ମ ମଧ୍ୟରୁ ୧ କୋଟି ୫୭ ଲକ୍ଷ ୧ ହଜାର ୫୫  ଫର୍ମ ବଣ୍ଟନ କରାଯାଇଛି।
Advertisment
ଆଜି ପର୍ଯ୍ୟନ୍ତ ୯୫ ଲକ୍ଷରୁ ଅଧିକ ଆବେଦନ ପଞ୍ଜିକୃତ ହୋଇସାରିଛି। ସମୁଦାୟ ୨୫ ଲକ୍ଷ ୨୯ ହଜାର ୭୨୦ ‘ସୁଭଦ୍ରା’ ହିତାଧିକାରୀଙ୍କୁ  ଅର୍ଥରାଶି ପ୍ରଦାନ କରାଯାଇଛି। ଏଥି ମଧ୍ୟରୁ ୨୫ ଲକ୍ଷ ୧୭ ହଜାର ୫୪୫ ଜଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଏବଂ  ୧୨ ହଜାର ୧୭୫ ଜଣଙ୍କୁ ସିବିଡିସି  ଜରିଆରେ  ଅର୍ଥରାଶି  ପଠାଯାଇଛି। 
ବିଭିନ୍ନ ସୂଚନା, ଶିକ୍ଷା ଓ ଯୋଗାଯୋଗ ପଦ୍ଧତିରେ ଓଡ଼ିଶାର ଗାଁଗାଁରେ ସୁଭଦ୍ରା ଯୋଜନା ସମ୍ବନ୍ଧରେ ସଚେତନତା ସୃଷ୍ଟି କରାଯାଇଛି। ସୋସିଆଲ ପ୍ରୋଟେକସନ ଡେଲିଭେରୀ ପ୍ଲାଟଫର୍ମ(ଏସପିଡିପି) ମାଧ୍ୟମରେ ଜାତୀୟ ଖାଦ୍ୟସୁରକ୍ଷା ଯୋଜନା (ଏନଏଫଏସ୍ଏସ୍) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା(ଏସଏଫଏସଏସ)ର ହିତାଧିକାରୀଙ୍କୁ ଯାଞ୍ଚ କରାଯାଉଛି। ଏନଏଫଏସ୍ଏସ୍ ଓ ଏସଏଫଏସଏସରୁ ବାଦ ପଡିଥିବା ହିତାଧିକାରୀଙ୍କୁ କ୍ଷେତ୍ର ଅନୁଧ୍ୟାନ ଦ୍ୱାରା ଯାଞ୍ଚ କରାଯିବ। ସମସ୍ତ ଅନୁମୋଦନ ଓ  ଖାରଜ ଫର୍ମର ତାଲିକା କାରଣ ସହ ସୁଭଦ୍ରା ୱେବ୍ ପୋର୍ଟାଲରେ ଦର୍ଶାଯିବ। ଏସଏମସ ଦ୍ୱାରା ମଧ୍ୟ  ସମସ୍ତଙ୍କୁ ଜଣାଇ ଦିଆଯିବ।
ରାଜ୍ୟସାରା ଯେଉଁ ଗୁଜବ ଚାଲିଛି ଯେ ବ୍ୟାଙ୍କ ଆକଉଣ୍ଟରୁ ପଇସା ନ ଉଠେଇଲେ ପଇସା ଆପେଆପେ ଫେରସ୍ତ ହେଇଯିବ, ଏପରି  କିଛି ବି ବ୍ୟବସ୍ଥା କରାଯାଇ ନାହିଁ ଓ ହିତାଧିକାରୀଙ୍କ ଅର୍ଥ ରାଶି ସେମାନଙ୍କର ବ୍ୟାଙ୍କ ଆକଉଣ୍ଟରେ ସୁରକ୍ଷିତ ରହିବ ବୋଲି ମହିଳା ଓ ଶିଶୁ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ବିଭାଗର ସମସ୍ତ ଅଧିକାରୀ ଓ ସମସ୍ତ ଜିଲ୍ଲାପାଳକୁ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଧନ୍ୟବାଦ ଜଣେଇବା ସହ ଜନଜାତି ବହୁଳ ଅଞ୍ଚଳମାନଙ୍କରେ ସୁଭଦ୍ରା କାର୍ଯ୍ୟକ୍ରମକୁ ପହଁଚାଇବା ପାଇଁ ବ୍ୟାପକ ଜନସଚେତନତାକୁ ପ୍ରାଥମିକତା ଦେବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ। ଖୁବ୍ ଶୀଘ୍ର ସୁଭଦ୍ରା ଯୋଜନାରେ ଓଡ଼ିଶାର ଏକ କୋଟି ମହିଳାଙ୍କ ପଞ୍ଜିକରଣ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏକ ସରକାରୀ ଯୋଜନାରେ ଏକ କୋଟି ହିତାଧିକାରୀଙ୍କୁ ଯୋଡିବା ଆମ ପାଇଁ ଏକ ବଡ ଉପଲବ୍ଧି ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଉଲ୍ଲେଖ କରିଥିଲେ। 

ସୂଚନାଯୋଗ୍ୟ କି, ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଯଥାଶୀଘ୍ର ପ୍ରଦାନ କରାଯିବ। ୨୦୨୫  ମାର୍ଚ୍ଚ ୮ ତାରିଖ ପୂର୍ବରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ  ପ୍ରଥମ କିସ୍ତି ମିଳିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।