ଭୁବନେଶ୍ବର: ଚିକିଟି ମଦମୃତ୍ୟୁକୁ ନେଇ ରାଜନୈତିକ ଦୃଷ୍ଟିକୋଣରୁ ସମାଲୋଚନା କରାଯାଉଛି। କିନ୍ତୁ ଏଥିରେ ରାଜନୀତି କରା ନଯାଉ। ପୂର୍ବରୁ ଅବକାରୀ ନୀତି ଥିଲା ସତ। କିନ୍ତୁ ଆଇନର ରାସ୍ତାକୁ ଅଙ୍କାବଙ୍କା କରିଦିଆଯାଇଥିଲା। ପୂର୍ବ ସରକାର ସମୟରେ ହୋଇଥିବା ପାପ ପ୍ରକ୍ଷାଳନ ଏବେ ଆରମ୍ଭ ହୋଇଛି। ଆଜି ବିଧାନସଭାରେ ବିରୋଧୀଙ୍କୁ ଏମିତି ଢଙ୍ଗରେ ଜବାବ ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।
ମନ୍ତ୍ରୀ ଆହୁରି କହିଥିଲେ, ନୂଆ ସରକାର ନୂଆ ଅବକାରୀ ନୀତି ଆଣିବେ। ବେଆଇନ ମଦ କାରବାରକୁ କଠୋର ହସ୍ତରେ ଦମନ କରାଯିବ। ମଦ ଭାଟି ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଆ ଅସ୍ମିତା ଓ ଓଡ଼ିଆ ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟରେ ଡ୍ୟାନ୍ସ ବାର୍ ବନ୍ଦ କରାଯିବ। ଯିଏ ବିଷାକ୍ତ ମଦ ବିକୁଛି  ସେ ଅପରାଧୀ। ତେଣୁ ଏମିତି ଅପରାଧୀଙ୍କୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତାଙ୍କ ପୃଷ୍ଠପୋଷକତା ମିଳୁଛି। ତାହା ବନ୍ଦ ହେଉ। 

Advertisment

ଚିକିଟି ମଦମୃତ୍ୟୁ ପ୍ରସଙ୍ଗରେ ଆସିଥିବା ମୁଲତବୀ ଆଲୋଚନାର ଉତ୍ତର ରଖି ଶ୍ରୀ ହରିଚନ୍ଦନ କହିଲେ, ଅଗଷ୍ଟ ୧୯ ତାରିଖରେ ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଅନ୍ତର୍ଗତ ମୌନ୍ଦପୁର ଗ୍ରାମରେ ବେଆଇନ ଦେଶୀ ମଦ ପିଇବା କାରଣରୁ ପେଟ ଯନ୍ତ୍ରଣା ଓ ବାନ୍ତି ପରି ଲକ୍ଷଣ ଦେଖାଯାଇଥିଲା। ଏହା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ଆଜି ସୁଦ୍ଧା ବ୍ରହ୍ମପୁର ଏମ୍‌କେସିଜିରେ ମୋଟ୍ ୧୭ ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି। ୧୩ ଜଣଙ୍କର ଅବସ୍ଥା ସ୍ଥିର ଥିଲା ବେଳେ ୪ ଜଣ ଆଇସିୟୁରେ ଅଛନ୍ତି। ଜେନାପୁର ଗ୍ରାମର ଜୁରା ବେହେରା ଓ ଲୋକନାଥ ବେହେରାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୬ ଜଣ ଅଭିଯୁକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ପରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରାଯାଉଛି। ଏହା ସହ ସାରା ରାଜ୍ୟରେ ବେଆଇନ ମଦ ବିରୋଧରେ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ରାଜ୍ୟର ସମସ୍ତ ଆଇଡି ଡିଷ୍ଟିଲେସନ୍ ପଏଣ୍ଟ୍ ଚିହ୍ନଟ କରି ନଷ୍ଟ ନହେବା ପର୍ଯ୍ୟନ୍ତ ଅଭିଯାନ ଜାରି ରହିବ।