ରାଉରକେଲା: ବର୍ଷକପରେ ରାଉରକେଲାକୁ ଫେରୁଛି ଅନ୍ତର୍ଜାତୀୟ ହକି। ଆସନ୍ତା ୧୦ ତାରିଖରୁ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି ପ୍ରୋ-ଲିଗ୍‌। ଏହାକୁ ଚାତକପରି ଚାହିଁବସିଛନ୍ତି ଜିଲ୍ଲାର ଅସଂଖ୍ୟ ହକିପ୍ରେମୀ। ତେବେ ଏଥର ଏହି ସମ୍ମାନଜନକ ପ୍ରତିଯୋଗିତା ସ୍ଥାନୀୟ ହକିପ୍ରେମୀଙ୍କ ଉତ୍କଣ୍ଠା ଓ ଉତ୍ସାହକୁ ଦ୍ବିଗୁଣିତ କରିଛି; କାରଣ ଏଥର ୨୪ ଜଣିଆ ଭାରତୀୟ ଦଳରେ ଅଛନ୍ତି ସୁନ୍ଦରଗଡ଼ ଜନ୍ମିତ ୫ ଜଣ ଖେଳାଳି। ଏହି ତାରକା ଖେଳାଳି ହେଉଛନ୍ତି ଅମିତ ରୋହିଦାସ, ଅମନଦୀପ ଲାକ୍ରା, ରୋଶନ କୁଜୁର, ଶୀଳାନନ୍ଦ ଲାକ୍ରା ଓ ନୀଳମ ସଞ୍ଜୀପ ଖେସ୍‌।

Advertisment

ଭାରତର ପ୍ରତିରକ୍ଷାର ଶକ୍ତିଶାଳୀ ସ୍ତମ୍ଭଭାବେ ପରିଚିତ ଅମିତ ସଦ୍ୟ ସମାପ୍ତ ହକି ଇଣ୍ଡିଆ ଲିଗ୍ (ଏଚ୍‌ଆଇଏଲ୍‌) ରେ ଉନ୍ନତ ପ୍ରଦର୍ଶନ କରିଥିଲେ। ସେ ରାଉରକେଲାରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ବିଶ୍ବକପ, ହକି ପ୍ରୋଲିଗ୍‌, ଏଚ୍‌ଆଇଏଲ୍‌ରେ ପଡ଼ିଆକୁ ଓହ୍ଲାଇ ନିଜର ଚମତ୍କାର କ୍ରୀଡ଼ାନୈପୁଣ୍ୟ ଦେଖାଇସାରିଛନ୍ତି। ତାଙ୍କ ସହ ପ୍ରତିରକ୍ଷା ଲାଇନ୍‌ରେ ଯୋଗଦେବେ ବ୍ରେକ୍‌ଆଉଟ୍ ସେନ୍‌ସେସନ୍ ଅମନଦୀପ ଲାକ୍ରା।। ଏହି ୨୧ ବର୍ଷୀୟ ଡ୍ରାଗ୍-ଫ୍ଲିକର୍‌ ନିକଟ ଅତିତରେ ଶେଷ ହୋଇଥିବା ହକି ଇଣ୍ଡିଆ ଲିଗ୍‌ରେ ‘ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି’ ପୁରସ୍କାର ଲାଭ କରିଥିଲେ। ଏତଦ୍‌ବ୍ୟତୀତ ମଧ୍ୟକ୍ଷେତ୍ରରେ ରୋଶନ କୁଜୁରଙ୍କ ବହୁ ପ୍ରତୀକ୍ଷିତ ପଦାର୍ପଣ ଦେଖିବାକୁ ମିଳିବ। ୨୦୨୫ କନିଷ୍ଠ ବିଶ୍ୱକପରେ ବ୍ରୋଞ୍ଜ ପଦକ ହାସଲ କରିବା ତଥା ଏଚ୍‌ଆଇଏଲ୍‌ ବିଜେତା ବେଦାନ୍ତ କଳିଙ୍ଗ ଲାନ୍ସର୍ସ ଦଳର ଅଭିନ୍ନ ଅଙ୍ଗ ଥିଲେ। ପ୍ରତିରକ୍ଷାରେ ନିର୍ଭରଯୋଗ୍ୟ ନୀଳମ ସଞ୍ଜୀପ ଖେସ୍‌ ଓ ଫରୱାର୍ଡ୍‌ ଲାଇନ୍‌ରେ ଶିଳାନନ୍ଦ ଲାକ୍ରା ଅଛନ୍ତି। ଉଭୟେ ପୂର୍ବରୁ ଅନ୍ତର୍ଜାତୀୟସ୍ତରରେ ସେମାନଙ୍କର ଦକ୍ଷତା ପ୍ରମାଣିତ କରିସାରିଛନ୍ତି।


ଅମିତ ରୋହିଦାସ (ଡିଫେଣ୍ଡର)

ଅମିତ ରୋହିଦାସ ହେଉଛନ୍ତି ଭାରତୀୟ ବ୍ୟାକଲାଇନ୍‌ର ଅଭିଜ୍ଞ ସ୍ତମ୍ଭ ଓ ଦୁଇ ଥର ଅଲିମ୍ପିକ୍ (ଟୋକିଓ ୨୦୨୦ ଓ ପ୍ୟାରିସ୍‌ ୨୦୨୪) କାଂସ୍ୟ ପଦକ ବିଜେତା। ସେ ହକି ଇଣ୍ଡିଆ ଲିଗ୍‌ରେ ତାମିଲନାଡୁ ଡ୍ରାଗନ୍ସର ନେତୃତ୍ୱ ନେଇଥିଲେ, ଯେଉଁଠାରେ ତାଙ୍କର ନେତୃତ୍ୱ ଓ ପ୍ରତିରକ୍ଷା ପାଇଁ ପ୍ରଶଂସିତ ହୋଇଥିଲେ। ପେନାଲ୍ଟି କର୍ଣ୍ଣର, ଡ୍ରାଗ୍-ଫ୍ଲିକ୍ ପାଇଁ ଜଣାଶୁଣା, ଅମିତ ହେଉଛନ୍ତି ଭାରତୀୟ ଦଳର ସବୁଠାରୁ ଅଭିଜ୍ଞ ଓ ନିର୍ଭରଯୋଗ୍ୟ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ସେ ଗତ ୨୦୨୫ରେ ଦ୍ୱାଦଶ ପୁରୁଷ ଏସିଆ କପ୍‌ରେ ସ୍ୱର୍ଣ୍ଣପଦକ ଓ ସୁଲତାନ ଆଜଲାନ ଶାହ କପ୍‌ରେ ଭାରତୀୟ ଦଳ ରୌପ୍ୟପଦକ ଜିତିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଅମିତ ପୂର୍ବରୁ ଏକାଧିକ ମ୍ୟାଚ୍‌ ଏହି ଷ୍ଟାଡିୟମରେ ଖେଳିଛନ୍ତି। ଏମିତିକି ତାଙ୍କୁ ଭରପୂର ସମର୍ଥନ ମିଳିଥିବାବେଳେ ଏଥର ମଧ୍ୟ ଏହା ବଳବତ୍ତର ରହିବ।

ଆହୁରି ପଢ଼ନ୍ତୁ: Rahul Gandhi with Kid: ରାହୁଲଙ୍କ କୋଳରେ ଛୋଟ ପିଲା କିଏ: ଫଟୋ କାହିଁକି ସେୟାର କରିଛି କଂଗ୍ରେସ


ଅମନଦୀପ ଲାକ୍ରା (ଡିଫେଣ୍ଡର)

ଅମନଦୀପ ଏଚ୍‌ଆଇଏଲ୍‌ ୨୦୨୫-୨୬ ସିଜିନ୍‌ରେ ସର୍ବଶ୍ରେଷ୍ଠ ଖେଳାଳିଭାବେ ଉଭା ହୋଇଛନ୍ତି। ଏଥିରେ ହାଇଦ୍ରାବାଦ ତୁଫାନ୍ସର ପ୍ରତିନିଧିତ୍ୱ କରିଥିବା ଅମନଦୀପ ପ୍ରତିଯୋଗିତାର ଶ୍ରେଷ୍ଠ ପୁରସ୍କାର ଲାଭ କରିବାସହ ୯ଟି ଗୋଲ୍‌ ଦେଇ ଶୀର୍ଷ ଭାରତୀୟ ସ୍କୋରର୍‌ ଭାବେ ଲିଗ୍ ଶେଷ କରିଥିଲେ। ତୁଫାନ୍ସର କାଂସ୍ୟ ପଦକ ଜିତିବାରେ ତାଙ୍କର ପ୍ରଦର୍ଶନ ଗୁରୁତ୍ୱପୂର୍ଣ୍ଣ ଥିଲା, ବିଶେଷକରି ତୃତୀୟ/ଚତୁର୍ଥ ସ୍ଥାନ ପ୍ଲେ’ଅଫ୍‌ରେ ତାଙ୍କର ପ୍ରଦର୍ଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସୁନ୍ଦରଗଡ଼ରେ ଜନ୍ମିତ ଅମନଦୀପ ତାଙ୍କ ପିତା, ଜଣେ ହକି ପ୍ରଶିକ୍ଷକଙ୍କ ଐତିହ୍ୟକୁ ଅନୁସରଣ କରୁଛନ୍ତି ଓ କନିଷ୍ଠ ବିଶ୍ୱକପ୍ ଦଳରୁ ବରିଷ୍ଠ ଭାରତୀୟ ଦଳକୁ ଲମ୍ଫ ପ୍ରଦାନ କରିଛନ୍ତି।

ଆହୁରି ପଢ଼ନ୍ତୁ: Cricket: ଭାରତ ବିପକ୍ଷ ମ୍ୟାଚ୍‌ ବର୍ଜନ ବିବାଦ: ଲାହୋରରେ ‘ବିସିବି’ ମୁଖ୍ୟ

ରୋଶନ କୁଜୁର (ମିଡ୍‌ଫିଲ୍‌ଡର୍‌)

ମାତ୍ର ୨୧ ବର୍ଷ ବୟସରେ ରୋଶନ ପ୍ରଥମଥର ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ରାଉରକେଲାରେ ହେବାକୁଥିବା ପ୍ରୋ-ଲିଗ୍‌ରେ ସେ ଅନ୍ତର୍ଜାତୀୟ ପଦାର୍ପଣ କରିବେ। ସଦ୍ୟ ସମାପ୍ତ ଏଚ୍‌ଆଇଏଲ୍‌ରେ ବିଜେତା ବେଦାନ୍ତ କଳିଙ୍ଗ ଲାନ୍ସର୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମଧ୍ୟକ୍ଷେତ୍ରରେ ଅସାଧାରଣ ଗତି, ପ୍ରତିରକ୍ଷା ରେଖା ଭେଦ କରିବାର କ୍ଷମତା ତଥା ସୃଜନଶୀଳ ଖେଳ ପାଇଁ ସେ ପରିଚିତ। ଏହାସହ ଚାପମୁକ୍ତ ହୋଇ ଖେଳିବାର କଳା, ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି। ଏଚ୍‌ଆଇଏଲ୍‌ ସଫଳତା ପୂର୍ବରୁ, ସେ ଚେନ୍ନାଇରେ ଅନୁଷ୍ଠିତ କନିଷ୍ଠ ବିଶ୍ୱକପ୍‌ରେ ବ୍ରୋଞ୍ଜ୍‌ ପଦକ ହାସଲ କରିଥିବା ଭାରତୀୟ କନିଷ୍ଠ ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ। ଏହି ଉଦୀୟମାନ ଖେଲାଳି କନିଷ୍ଠରୁ ବରିଷ୍ଠ ଦଳରେ ସାମିଲହେବା ଜିଲ୍ଲାର ହକିପ୍ରେମୀଙ୍କୁ ଖୁସି ଆଣିଦେଇଛି। ତେବେ ବେଲଜିୟମ ଓ ଆର୍ଜେଣ୍ଟିନା ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଭାରତୀୟ ଦଳକୁ ଆହୁରି ମଜବୁତ୍‌ କରିବାସହ ନୂତନ ଶକ୍ତି ଯୋଗାଇବେବୋଲି ଆଶା ରଖିଛନ୍ତି।