ରାଉରକେଲା: ପ୍ରାୟ ୫୦ ଦିନ, ଅର୍ଥାତ୍ ଜୁଲାଇ ୧୬ ତାରିଖରୁ ରାଉରକେଲା-ଭୁବନେଶ୍ବର ବିମାନସେବା ବନ୍ଦ ହୋଇଯାଇଛି। ସେହିଭଳି ଜୁନ୍ ୧୫ରୁ ରାଉରକେଲା-କୋଲକାତା ବିମାନସେବା ମଧ୍ୟ ବନ୍ଦ। ଅତଏବ, ରାଉରକେଲାରୁ ଯେଉଁ ଦୁଇ ସହରକୁ ବିମାନ ଉଡ଼ୁଥିଲା, ତାହା ବନ୍ଦ ହୋଇଯାଇଥିବାରୁ ସହରବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିମାନ ପରିଚାଳନାକାରୀ ସଂସ୍ଥା ଆଲିଆନ୍ସ ଏୟାର୍ର ଅପାରଗତା ଯୋଗୁ ଏହି ସମସ୍ୟା ଉପୁଜିଥିବା ଆଉ କାହାକୁ ଅଛପା ନାହିଁ।
ଏହି ସଂସ୍ଥାକୁ ପରିବର୍ତ୍ତନକରି ଅନ୍ୟ ସଂସ୍ଥା ନିୟୋଜନ ହିଁ ଏକମାତ୍ର ବିକଳ୍ପ ପାଲଟିଛି। ସମ୍ଭବତଃ ଏହାକୁ ହୃଦୟଙ୍ଗମକରି ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ମାର୍ଚ୍ଚ ମାସରେ ନୂତନ ବାଣିଜ୍ୟିକ ବିମାନ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକଠାରୁ ପ୍ରସ୍ତାବ ଆହ୍ଵାନ କରି ଏକ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ବିମାନସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ ଆକର୍ଷିତ କରିବା ତଥା ସ୍ଥାୟୀ କାର୍ଯ୍ୟ ସୁନିଶ୍ଚିତ କରିବା ପାଇଁ ଭାଏବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ଓ ଅନ୍ୟାନ୍ୟ ପ୍ରୋତ୍ସାହନ ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା। କିନ୍ତୁ ଏନେଇ ଏ ପର୍ଯ୍ୟନ୍ତ ପ୍ରକ୍ରିୟା ଆରମ୍ଭ ହୋଇପାରିଲାନି। ସଂପୃକ୍ତ ବିଜ୍ଞାପନ କେବଳ ଲୋକଦେଖାଣିଆ ଥିବା ମତ ରଖିଛନ୍ତି ବୁଦ୍ଧିଜୀବୀ।
ରାଉରକେଲାରେ ବିମାନସେବା ଅବ୍ୟାହତ ରଖିବାକୁ ରାଜ୍ୟ ସରକାର ମଧ୍ୟ ଆବଶ୍ୟକ ତତ୍ପରତା ଦେଖାଉନାହାନ୍ତି। ବିଭିନ୍ନ ସମସ୍ୟା ଯୋଗୁ ଗତ ସପ୍ତାହରୁ ଆଲିଆନ୍ସ ଏୟାର୍ ୮୦% ବିମାନ ବନ୍ଦ ରହିଛି। ଉଲ୍ଲେଖଯୋଗ୍ୟ, ଆଲିଆନ୍ସ ଏୟାର୍ ପାଖରେ ୨୧ଟି ବିମାନ ରହିଛି। ଏଥି ମଧ୍ୟରୁ ଏଟିଆର୍ ୭୨-୬୦୦ ବିମାନ ୧୮ଟି, ଏଟିଆର୍ ୪୨-୬୦୦ ବିମାନ ୨ଟି ଓ ଗୋଟିଏ ଡୋର୍ନିଅର ୨୨୮ ବିମାନ ରହିଛି। ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ରାଡାର ୨୪ର ସୂଚନା ଅନୁସାରେ, ଗତ ଅଗଷ୍ଟ ୨୪ ତାରିଖରୁ ଆଲିଆନ୍ସ ଏୟାର୍ର କେବଳ ୪ଟି ବିମାନ କାର୍ଯ୍ୟକ୍ଷମ।
ଗତ ମାର୍ଚ୍ଚ ମାସସୁଦ୍ଧା ଦଶଟି ବିମାନ କାର୍ଯ୍ୟକ୍ଷମ ଥିବାବେଳେ ଯୋଗାଣ ଶୃଙ୍ଖଳା ସମସ୍ୟା ଯୋଗୁ ଅନ୍ୟଗୁଡ଼ିକ ମରାମତି ଅପେକ୍ଷାରେ ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟସଭାକୁ ସୂଚନା ଦିଆଯାଇଥିଲା। ଆର୍ଥିକ ବର୍ଷ ୨୨ ରୁ ୨୪ ମଧ୍ୟରେ ଏହି ବିମାନ କମ୍ପାନି ୧୬୩୩ କୋଟି ଟଙ୍କା କ୍ଷତି ସହିଥିବାବେଳେ ଆର୍ଥିକ ବର୍ଷ ୨୫ର ପ୍ରଥମ ଦଶ ମାସର କ୍ଷତି ପରିମାଣ ୫୩୫.୪୫ କୋଟି ଥିବା ମନ୍ତ୍ରାଳୟ ସୂଚୀତ କରିଥିଲା। କେବଳ ଏତିକି ନୁହେଁ, ବିମାନ ବାତିଲ କରିବା କ୍ଷେତ୍ରରେ ମଧ୍ୟ ଏହି ସଂସ୍ଥା ଆଗରେ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ବାର୍ଟର୍ରେ ବିମାନ ବାତିଲ ହାର ତାଲିକାରେ ଆଲିଆନ୍ସ ଏୟାର୍ ଦ୍ୱିତୀୟ ସ୍ଥାନରେ ରହିଥିଲା। ଏହାର ଅଧିକାଂଶ ରୁଟ୍ ଉଡାନ୍ ଯୋଜନା ଅଧୀନରେ ରହିଥିବାବେଳେ ରାଉରକେଲା ଭଳି ଅମରାବତି, ବିଳାସପୁର, ହିସାର ଆଦି ବିମାନବନ୍ଦର ପାଇଁ ଏହା ଏକମାତ୍ର ବାହକ। ଏଣୁ ଆଲିଆନ୍ସ ଏୟାର୍ ଉପରେ ନିର୍ଭରଶୀଳ ନହୋଇ ଅନ୍ୟ ସଂସ୍ଥାକୁ ନିୟୋଜନ, ବର୍ତ୍ତମାନର ଆବଶ୍ୟକତା।
Rourkela