ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସିଏଏଫ କ୍ୟାମ୍ପରେ ଏକ ଅଭାବନୀୟ ଘଟଣା ଘଟିଛି। ସିଏଏଫ ଯବାନ ଦ୍ୱାରା ସାଥି ଯବାନ ଉପରେ ଗୁଳି ଚାଳନା। ୨ ଚଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣ ଆହତ ହୋଇଛନ୍ତି। ଘଟଣା ଅନୁଯାୟୀ ଛତିଶଗଡ଼ର ଅମ୍ବିକାପୁର ଜିଲ୍ଲାର ସରଗୁଜା ରେଞ୍ଜ ଆଇଜିଙ୍କ କହିବା ଅନୁଯାୟୀ ଆଜି ଦିନ ୧୧ଟା ବେଳେ ଚୂନଚୁନା ପୁନଦାଗ ଅଂଚଳରେ ଥିବା ସିଏଏଫ କ୍ୟାମ୍ପରେ ଅଜୟ ସିଦ୍ଧାର୍ଥ ନାମକ କନେଷ୍ଟବଳ ନିଜ ସାଥୀଙ୍କ ଉପରେ ଅଚାନକ ଗୁଳି ବର୍ଷଣ କରିଥିଲା। ଯଦ୍ୱାରା କନେଷ୍ଟବଳ ରୂପେଶ ପାଟିଲ ଏବଂ ସନ୍ଦିପ ପାଣ୍ଡେଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇ ଯବାନ ଆହତ ହୋଇଥିଲେ।

Advertisment

ଗୁଳି ଚଳାଇଥିବା ଯବାନଙ୍କୁ ଗିରଫ କରାଯାଇଥିବା ବେଳେ ଆହତ ଯବାନଙ୍କୁ ସ୍ଥାନୀୟ ମେଡ଼ିକାଲକୁ ପଠାଯାଇଛି। ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଆଇଜି କହିଛନ୍ତି। ଗୁଳି ଚଳାଇଥିବା ଯବାନକୁ ଧରି ପଚରାଉଚରା କରାଯାଉଛି। ତଦନ୍ତ ପରେ ହିଁ ସଠିକ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ ମିଳିବ ବୋଲି କୁହାଯାଇଛି। 

ତେବେ ଦୁର୍ଗମ ଅଂଚଳରେ ଘର ଠାରୁ ବହୁ ଦୁରରେ ନେଟଵର୍କ ନଥିବା ସ୍ଥାନରେ ଏହି ଯବାନ ରହୁଥିବାରୁ, ଯବାନମାନେ ଏକ ପ୍ରକାର ମାନସିକ ଭାରସାମ୍ୟ ହରାଇଥାନ୍ତି। ତେବେ ଏମାନଙ୍କୁ କିନ୍ତୁ କିପରି ସତେଜ ରହିବେ ଏବଂ ମାନସିକ ଭାରସାମ୍ୟ ସମାନ ରହିବ ସେଥିପାଇଁ ବିଭାଗ ତରଫରୁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଘଟଣା କାହିଁକି ଘଟିଲା ଏବଂ କେଉଁ କାରଣରୁ ଘଟିଲା ତଦନ୍ତ ପରେ ସବୁ ତଥ୍ୟ ପଦାକୁ ଆସିବ।