ତୁମୁଡ଼ିବନ୍ଧ: ଲଗାମ ବିହୀନ ହେଉଛି ସରକାରୀ ପରିବହନ ବ୍ୟବସ୍ଥା। ବିଶେଷ ଭାବରେ ସରକାରୀ ଗାଡ଼ି ଚଳାଉଥିବା ଚାଳକମାନେ ବ୍ୟାପକ ଭାବେ ଅବହେଳାର ସହିତ ପରିଚାଳିତ ହେଉଛନ୍ତି। ବିଗତ କିଛି ଦିନ ମଧ୍ୟରେ ଏକାଧିକ ସ୍ଥାନରେ ସରକାରୀ ଗାଡ଼ିର ବେପାରୁଆ ଚାଳନା ଯୋଗୁଁ ସାଧାରଣ ଜନତାଙ୍କର ମୃତ୍ୟୁ ହେଉଚି। ଆଜି ଅପରାହ୍ଣରେ ସରକାରୀ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ହୋଇଛି। ଏହି କାରଣରୁ ଜଣେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଉଷାବାଲି ଅଙ୍ଗନୱାଡି କର୍ମୀ ସ୍ନେହଲତା ସେଠ୍ ଏହି ମୃତ୍ୟୁର ଶିକାର ହୋଇଛନ୍ତି।
ସୂଚନା ଅନୁସାରେ ସ୍ନେହଲତା କୌଣସି କାମରେ ତୁମୁଡିବନ୍ଧ ବଜାରକୁ ଯିବା ପାଇଁ ଉଷାବାଲି ଛକରେ ବସ୍କୁ ଅପେକ୍ଷା କରିଥିଲେ। ଏହି ସମୟରେ ତାଙ୍କ ଆଖି ସାମ୍ନାରେ ସରକାରୀ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ହୋଇଥିଲା। ଆଉ ସେଠାରେ ଛିଡା ହୋଇଥିବା ସ୍ନେହଲତା ବି ଦୁର୍ଘଟଣାର ଶିକାର ହୋଇଥିଲେ। ଫଳରେ ଘଟଣାସ୍ଥଳରେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ହୋଇଥିଲା।
ପୁଲିସ ପହଞ୍ଚି ମୃତଦେହ ଜବତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି। ଏହାକୁ ନେଇ ସ୍ଥାନୀୟ ଲୋକ ଉତ୍ୟକ୍ତ ହୋଇ ତୁମୁଡ଼ିବନ୍ଧରେ ୫୯ ଜାତୀୟ ରାଜପଥ ଅବରୋଧ କରିଛନ୍ତି।
ସୂଚନାଯୋଗ୍ୟ, ଗତକାଲି ସକାଳ ପ୍ରାୟ ୯ଟାରେ ସରକାରୀ ବସ୍ ‘ଲକ୍ଷ୍ମୀ’ ଚଢ଼ିଯିବାରୁ ବାଇକ୍ ଆରୋହୀ ପ୍ରଭଞ୍ଜନ ସାହୁ (୪୨)ଙ୍କ ମୃତ୍ୟୁ ହୋଇଥିଲା। ସେ ଘରୁ ଖାଇ ପିଇ ଆବଶ୍ୟକୀୟ ସଉଦା ପାଇଁ ବାଇକ୍ (ଓଆର ୨୧ଇ ୦୭୩୧) ନେଇ ଜଗତସିଂହପୁର ଜିଲ୍ଲା ବାଲିକୁଦା ବଜାର ଆସୁଥିଲେ। ଏହି ସମୟରେ ବାଲିକୁଦା ବଜାରରୁ ନିୟମିତ ପରି ଭାୟା ନାଗପୁର, କୂଳଉପର ଦେଇ ବାନାମ୍ବର ପର୍ଯ୍ୟନ୍ତ ଯାଉଥିବା ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ (ଓଡି୨୧ ଆର ୧୬୧୩) ନାଗପୁର ପୋଲ ନିକଟରେ ସିଧାସଳଖ ପ୍ରଭଞ୍ଜନର ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେ ସେହିଠାରେ ହିଁ ପ୍ରଭଞ୍ଜନଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା। ସ୍ଥାନୀୟ ଲୋକେ ବସ୍କୁ ଅଟକ ରଖିବା ସହ ବାଲିକୁଦା ପୁଲିସକୁ ସୂଚନା ଦେଇଥିଲେ। ଏପରିକି ଆମ୍ବୁଲାନ୍ସ ମାଧ୍ୟମରେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ ସୁଦ୍ଧା ଡାକ୍ତର ସେଠାରେ ମୃତ ହୋଇଥିବା ସୂଚନା ଦେଇଥିଲେ।