ବୀରମହାରାଜପୁର: ବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର। ଏହି ମନ୍ଦିରରେ ପିଲାମାନେ ହେଉଛନ୍ତି ଭଗବାନ, ଯେଉଁମାନେ ନିଷ୍କପଟ ଓ ନିଷ୍କଳଙ୍କ। ବିଦ୍ୟାଳୟର ପିଲାମାନେ ଅନ୍ୟମାନଙ୍କ ପ୍ରତି କୌଣସି ଖରାପ ଦୃଷ୍ଟି ନଥାଏ। ଏଭଳି ଦେବତାମାନଙ୍କର ଭବିଷ୍ୟତକୁ କିଭଳି ଗଢ଼ାଯାଇ ପାରିବ, ସେଥିପାଇଁ ଶିକ୍ଷକମାନେ ପୂଜାରୀ ଭାବେ ସେବା ପ୍ରଦାନ କରିଥାନ୍ତି। ଭଗବାନ ରୂପୀ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଢ଼ିବା ପାଇଁ ଶିକ୍ଷକମାନେ ଅନବରତ କାମ ଜାରି ରଖିଥାନ୍ତି। ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଏହା କହିଛନ୍ତି।
ଅମରପାଲି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଭୋଇ କହିଥିଲେ, ୩୪ ବର୍ଷ ପୂର୍ବେ ଅମରପାଲି ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ହୋଇଥିଲା। ସେହିଦିନ ଠାର ଏଠାରୁ ୨୬୬୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଦେଶ-ବିଦେଶର ବିଭିନ୍ନ ସ୍ଥାନରେ ନିୟୋଜିତ ଅଛନ୍ତି। ସେମାନେ ନିଜନିଜ କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ସୁନାମ ଅର୍ଜନ କରୁଛନ୍ତି। ଏହି ଅନୁଷ୍ଠାନ ହେଉଛି ଏକ ମଣିଷଗଢ଼ା କାରଖାନା। ସେଥି ପାଇଁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡ଼ିଯିବ। କେବଳ ବୀରମହାରାଜପୁର ନୁହେଁ କି ସୁବର୍ଣ୍ଣପୁର ନୁହେଁ। ବରଂ ଏଠାକାର ଉଚ୍ଚମାନର ଶିକ୍ଷାଦାନ ବ୍ୟବସ୍ଥା ଏବଂ ପିଲାମାନଙ୍କର ଲକ୍ଷ୍ୟ ଯୋଗୁଁ ଏହି ବିଦ୍ୟାଳୟ ରାଜ୍ୟରେ ଏକ ଛାପ ଛାଡ଼ି ଯାଇଛି।
ଏହା ପୂର୍ବରୁ ଶ୍ରୀ ଭୋଇ ବାର୍ଷିକ ଉତ୍ସବର ତାତ୍ପର୍ଯ୍ୟ ନେଇ କହିଥିଲେ, ଏହା କୌଣସି ଅନୁଷ୍ଠାନ ପାଇଁ ଏକ ଗୌରବ ତଥା ଐତିହାସିକ ବିଷୟ ଅଟେ। ଏହି ଉତ୍ସବ ମାଧ୍ୟମରେ ଗୋଟିଏ ବର୍ଷ ଭିତରେ ଅନୁଷ୍ଠାନର ଗୋଟିଏ ବର୍ଷ ଭିତରେ ଯାହା ସବୁ କାର୍ଯ୍ୟକ୍ରମ ହାତକୁ ନେଇଥାଏ, ଏସୁବର ବିଷଦବିବରଣୀ ଉପସ୍ଥାପନା କରାଯାଇଥାଏ।
ସମାରୋହର ମୁଖ୍ୟବକ୍ତା ତଥା ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ହିମାଂଶୁ ପାଢ଼ୀ କହିଥିଲେ, ପିଲାମାନେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ରହିଥାନ୍ତି। ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲା ପରେ ଯେତେବେଳେ ଏକାଦଶ ଶ୍ରେଣୀକୁ ଯାଆନ୍ତି, ସେହି ସମୟରେ ସ୍ବାଧୀନ ମନେ କରିଥାନ୍ତି। ଯୁକ୍ତ ୨ ପ୍ରଥମ ବର୍ଷର ଶ୍ରେଣୀର ପିଲାଙ୍କ ଠାରେ ସାମାନ୍ୟ ବିଶୃଙ୍ଖଳା ଦେଖାଯାଇଥାଏ। କିନ୍ତୁ ଦ୍ବିତୀୟ ବର୍ଷ ବେଳକୁ ସେମାନେ ସୁଧୁରି ଯାଆନ୍ତି। ସ୍ନାତକ ଓ ସ୍ନାତ୍ତୋକତ୍ତର ତଥା ଉଚ୍ଚଶିକ୍ଷା ଶ୍ରେଣୀରେ ପ୍ରବେଶ କଲା ପରେ ସେମାନେ ଦାୟିତ୍ବବାନ୍ ହୋଇଯାଆନ୍ତି। ତିନି ଦଶନ୍ଧି ପୂର୍ବର ଶିକ୍ଷା ଓ ଆଜିର ବ୍ୟବସ୍ଥା ମଧ୍ୟରେ ଅନେକ ପାର୍ଥକ୍ୟ ଦେଖାଯାଇଛି। ସମୟ ବଦଳିଛି। ଏହି ପରିବର୍ତ୍ତୀତ ସମୟ ଅନୁସାରେ ପିଲାମାନଙ୍କୁ ଭବିଷ୍ୟତ ଗଢ଼ିବାକୁ ହେବ।
ପ୍ରଧାନଶିକ୍ଷକ ଉମେଶ ଚନ୍ଦ୍ର ପଣ୍ଡା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଶ୍ରୀ ପଣ୍ଡାଙ୍କର ପୌରୋହିତ୍ୟରେ ଅନୁଷ୍ଠିତ ସାଧାରଣସଭାରେ ବୀରମହାରାଜପୁର ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର କୁମ୍ଭକାର, ମୁର୍ଷୁଣ୍ଢିସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କାଳିଆ କର୍ମୀ, ସ୍ଥାନୀୟ ସରପଞ୍ଚ ନିରୁପମା ସେଠୀ, ସମିତିସଭ୍ୟା ସୁଗନ୍ଧା ଘିବିଲା, ବିଧାୟକଙ୍କ ପ୍ରତିନିଧି ଅଶୋକ କୁମାର ସାହୁ, ସିଆରସିସି କମ୍ଭୁ ପ୍ରସାଦ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଓଡ଼ିଆ ଭାଷା ଓ ସାହିତ୍ୟ ଶିକ୍ଷକ ଶ୍ୟାମ ସୁନ୍ଦର ସେଠୀ ଅତିଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଗତ ମାଟ୍ରିକ ପରୀକ୍ଷାରେ ଜିଲ୍ଲା ଓ ବ୍ଲକରେ ସର୍ବାଧିକ ନମ୍ବର ରଖିଥିବା ବିଦ୍ୟାଳୟର ୧୬ ଜଣ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ବାର୍ଷିକ କ୍ରୀଡ଼ାରେ ଚାମ୍ପିଅନ ହୋଇଥିବା ବାଳିକା ବିଭାଗର ଫିଜା ବାଘ ଓ ବାଳକ ବିଭାଗର ଆକାଶ ମାଝୀଙ୍କ ସମତେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରି ପୁରସ୍କୃତ କରାଯାଇଥିଲା। ଶ୍ରେଷ୍ଠ ଉପସ୍ଥାନ ପାଇଁ ଗୋପିକୃଷ୍ଣ ସେଠୀ, ପ୍ରମୋଦିନୀ ରଣା, ସିଦ୍ଧାନ୍ତ ଶଙ୍କର ସେଠୀ ଓ ନିକିତା ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ସମ୍ବିତ ପ୍ରଧାନ ଓ କହ୍ନେଇ ଚରଣ ପ୍ରଧାନ ସହଯୋଗ କରିଥିଲେ। ଶେଷରେ ବ୍ରହ୍ମାନନ୍ଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ପଦ୍ମନାଭ ପ୍ରଧାନଙ୍କ ସଂଯୋଜନାରେ ଛାତ୍ରୀଛାତ୍ରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସମ୍ବଲପୁରୀ କୋଶଳୀ ସଚେତନତାତ୍ମକାଧର୍ମୀ ନାଟକ ନିଶା ନିବାରଣ ଛାତ୍ରୀମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା। ନଟବର ରଣା, ନଟିଆ ଚରଣ ସାହୁ, ଜଗନ୍ନାଥ ସାହୁ, ଗୋବର୍ଦ୍ଧନ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ସ୍କୁଲର ସମସ୍ତ ଛାତ୍ରୀଛାତ୍ର, ଶିକ୍ଷକ, ସ୍କୁଲ ପରିଚାଳନା କମିଟିର ସଭ୍ୟ ଓ ଅଭିଭାବକ ଉପସ୍ଥିତ ଥିଲେ।