ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଅଳଙ୍କାର ସହ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପରେ ଗୁପ୍ତ ସୁଡ଼ଙ୍ଗ, କୋଠରି ଆଦିର ଅନୁଧ୍ୟାନ କରାଯିବ। ବହୁଦିନରୁ ଭକ୍ତଙ୍କ ମନରେ ସନ୍ଦେହ ରହିଛି କି ବାହାର ଓ ଭିତର ରତ୍ନଭଣ୍ଡାର ବାଦ ଆଉ ଏକ ଭଣ୍ଡାର ଘର ଅଛି। ଯେଉଁ ଭଣ୍ଡାରକୁ କେହି ଯାଇନାହାନ୍ତି ଏବଂ ସେଠାରେ ବହୁ ପରିମାଣର ଅଳଙ୍କାର ଗଚ୍ଛିତ ରହିଛି। ଏହି ସନ୍ଦେହ ଦୂର ପାଇଁ ଗୁପ୍ତ ସୁଡ଼ଙ୍ଗ ଓ କୋଠରି ଖୋଜାଯିବ। ଏଥିପାଇଁ ରତ୍ନଭଣ୍ଡାରର ଜିପିଆର୍ ସର୍ଭେ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ ଏ ପ୍ରସଙ୍ଗରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ତୁରନ୍ତ ସର୍ଭେ କାମ ସାରିବାକୁ ଅନୁରୋଧ କରିଛନ୍ତି।
ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ରତ୍ନଭଣ୍ଡାରର ଯାଞ୍ଚ, ମରାମତି
ସାରିବାକୁ କଲେ ଅନୁରୋଧ
ପୂର୍ବରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ କମିଟି ବାରମ୍ବାର କହି ଆସିଛନ୍ତି, ରତ୍ନଭଣ୍ଡାରରୁ ଠାକୁରଙ୍କ ଅଳଙ୍କାର, ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପରେ ରହସ୍ୟମୟ ଭଣ୍ଡାର ଘର ଖୋଜାଯିବ। ମରାମତି ଶେଷ ପରେ ଅଳଙ୍କାର ଗଣତିମଣତି ହେବ। ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (ଏସ୍ଓପି) ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଓ ଆସବାବ ସ୍ଥାନାନ୍ତର ଶେଷ ହେବା ପରେ ଏଏସ୍ଆଇକୁ ଅନୁଧ୍ୟାନ ଓ ସଂରକ୍ଷଣ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ ଏଏସ୍ଆଇ ଡିଜିଙ୍କୁ ରତ୍ନଭଣ୍ଡାରର ସାମଗ୍ରିକ ବୈଷୟିକ ଯାଞ୍ଚ କରାଯିବାକୁ ଚିଠି ଲେଖିଛନ୍ତି। ଚିଠିରେ ମୁଖ୍ୟ ପ୍ରଶାସକ କହିଛନ୍ତି, ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହି ସର୍ଭେ କରାଯାଉ। ଯାଞ୍ଚ ଦ୍ବାରା ଶ୍ରୀମନ୍ଦିର ଉପରେ ଯେପରି କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବନି, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି।
ଏଥିସହ ସାମଗ୍ରିକ ବୈଷୟିକ ସର୍ଭେ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ମାର୍ଗଦର୍ଶିକ ମଧ୍ୟ ଏଏସ୍ଆଇକୁ ପ୍ରଦାନ କରାଯାଇଛି। ଏହି ବୈଷୟିକ ଯାଞ୍ଚ ଆଇଆଇଟି (ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି) ଏବଂ ସିବିଆର୍ଆଇ (ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍) ଭଳି ଉଚ୍ଚମାନର ଅନୁଷ୍ଠାନଙ୍କ ଦ୍ବାରା କରିବାକୁ ସେ ପରାମର୍ଶ ଦେଇଛନ୍ତି। ରତ୍ନଭଣ୍ଡାରର ବୈଷୟିକ ଯାଞ୍ଚ ଶେଷ ହେବା ପରେ ତୁରନ୍ତ ସଂରକ୍ଷଣ ଓ ମରାମତି କାମ ହାତକୁ ନେବାକୁ ଏଏସ୍ଆଇକୁ ଅନୁରୋଧ କରାଯାଇଛି। ଯାହାଫଳରେ ଅସ୍ଥାୟୀ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀଗୁଡ଼ିକର ଗଣତିମଣତି କରାଯାଇପାରିବ ଏବଂ ପୁଣି ଥରେ ମୂଳ ରତ୍ନଭଣ୍ଡାରକୁ ସବୁ ଅଳଙ୍କାର ସୁରକ୍ଷିତ ଫେରାଇ ନିଆଯାଇପାରିବ ବୋଲି ଡ.ପାଢ଼ୀ ଚିଠିରେ ଉଲ୍ଲେଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/jagannath-temple-the-financial-express.jpg)