ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ସ୍ୱଚ୍ଛ ସହରଗୁଡ଼ିକର ତାଲିକା ପ୍ରକାଶ ପାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ମନୋହର ଲାଲ ଏବଂ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁଙ୍କ ଉପସ୍ଥିତିରେ ୨୩ଟି ସୁପର ସ୍ୱଚ୍ଛ ଲିଗ୍ ସହରକୁ ପୁରସ୍କାର ଦିଆଯାଇଛି। ଅହମ୍ମଦାବାଦ, ଭୋପାଳ ଏବଂ ଲକ୍ଷ୍ନୌ ଶ୍ରେଷ୍ଠ ସ୍ୱଚ୍ଛ ସହର ଭାବରେ ଉଭା ହେବା ସହିତ ଭାରତର ନୂତନ ପିଢ଼ିର ସ୍ୱଚ୍ଛ ସହର ରୂପେ ମାନ୍ୟତା ଲାଭ କରିଛନ୍ତି। ମହାକୁମ୍ଭ ପାଇଁ ଏକ ବିଶେଷ ସ୍ୱୀକୃତି ସହିତ ୪୩ଟି ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ପ୍ରମୁଖ ସୁପର ସ୍ୱଚ୍ଛ ଲିଗରେ ଇନ୍ଦୋର, ସୁରଟ, ନଭି ମୁମ୍ବାଇ ସ୍ଥାନ ପାଇଛନ୍ତି।

Advertisment

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରକୁ ସମ୍ଭାବନାପୂର୍ଣ୍ଣ ସ୍ୱଚ୍ଛ ସହର ବର୍ଗରେ ପୁରସ୍କୃତ କରାଯାଇଛି। ଏହାଛଡ଼ା ୨୦ ହଜାରରୁ ୫୦ ହଜାର ମଧ୍ୟରେ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମ ଜିଲ୍ଲାର ଆସିକା ଏବଂ ୨୦ ହଜାରରୁ କମ୍ ଜନସଂଖ୍ୟା ଥିବା ସ୍ୱଚ୍ଛ ସହର ତାଲିକାରେ ଗଞ୍ଜାମର ଚିକିଟିକୁ ସ୍ୱତନ୍ତ୍ର ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି।


ସମ୍ମାନଜନକ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ସମାରୋହରେ, କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ ପ୍ରୟାଗରାଜକୁ ଶ୍ରେଷ୍ଠ ଗଙ୍ଗା ନଗର ପୁରସ୍କାର ପ୍ରଦାନ କରିଥିଲେ। ସିକନ୍ଦରାବାଦ କ୍ୟାଣ୍ଟନମେଣ୍ଟକୁ ଏହାର ଅନୁକରଣୀୟ ପରିମଳ ପ୍ରୟାସ ପାଇଁ ଶ୍ରେଷ୍ଠ କ୍ୟାଣ୍ଟନମେଣ୍ଟ ବୋର୍ଡ ଭାବରେ ସମ୍ମାନିତ କରାଯାଇଥିଲା। ସଫେଇ କର୍ମଚାରୀଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦା ପ୍ରତି ଉଲ୍ଲେଖନୀୟ ପ୍ରତିବଦ୍ଧତା ପାଇଁ ଜିଭିଏମସି ବିଶାଖାପାଟଣା, ଜବଲପୁର ଏବଂ ଗୋରଖପୁରକୁ ଶ୍ରେଷ୍ଠ ସଫେଇ ମିତ୍ର ସୁରକ୍ଷିତ ସହର ଭାବେ ଘୋଷଣା କରାଯାଇଥିଲା। ବିଶ୍ୱର ସର୍ବବୃହତ ଧାର୍ମିକ ସମାଗମ ମହାକୁମ୍ଭ ସମୟରେ ଅସାଧାରଣ ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୟୁପି ରାଜ୍ୟ ସରକାର, ପ୍ରୟାଗରାଜ ମେଳା ଅଧିକାରୀ ଏବଂ ପ୍ରୟାଗରାଜ ମ୍ୟୁନିସିପାଲ କର୍ପୋରେସନକୁ ଏକ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ମହାକୁମ୍ଭ ମେଳାରେ ୬୬ କୋଟି ଲୋକଙ୍କର ସମାଗମ ହୋଇଥିଲା।

WhatsApp Image 2025-07-17 at 7.49.33 PM

ଚଳିତ ବର୍ଷର ସ୍ୱଚ୍ଛ ସର୍ବେକ୍ଷଣ କେବଳ ବଡ଼ ସହରଗୁଡ଼ିକ ପାଇଁ ଢାଞ୍ଚାକୁ ବ୍ୟବସ୍ଥିତ ଏବଂ ସୁଗମ କରିନାହିଁ, ବରଂ ଛୋଟ ସହରଗୁଡ଼ିକ ପାଇଁ ଏହାକୁ ସରଳ କରିଛି। ଏସବୁ ସହରଗୁଡ଼ିକୁ ପ୍ରତିଯୋଗିତା କରିବା ଏବଂ ସ୍ୱଚ୍ଛତାର ସିଡ଼ି ଚଢ଼ିବାକୁ ଉତ୍ସାହିତ କରିଛି। ସର୍ବେକ୍ଷଣରେ ବଡ଼ ସହରଗୁଡ଼ିକ ସହିତ ଛୋଟ ସହରଗୁଡ଼ିକୁ ସମାନ ସୁଯୋଗ ମିଳିଛି। ‘ଗୋଟିଏ ସହର, ଗୋଟିଏ ପୁରସ୍କାର’ ନୀତି ଅନୁସରଣ କରି ପ୍ରତ୍ୟେକ ରାଜ୍ୟର ଶ୍ରେଷ୍ଠ ପ୍ରଦର୍ଶନକାରୀ ସହରଗୁଡ଼ିକୁ ପ୍ରତିଶ୍ରୁତିବଦ୍ଧ ସ୍ୱଚ୍ଛ ସହର ଭାବରେ ସ୍ୱୀକୃତି ଦିଆଯାଇଥିଲା। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୩୪ ସହର ପୁରସ୍କାର ହାସଲ କରିଛନ୍ତି। ଏହା ସହରାଞ୍ଚଳ ସ୍ୱଚ୍ଛତା ଏବଂ ପରିମଳ ଉତ୍କୃଷ୍ଟତାରେ ସେମାନଙ୍କର ଉଲ୍ଲେଖନୀୟ ପ୍ରଗତିକୁ ପ୍ରଦର୍ଶନ କରିଛି।

ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ, ରାଷ୍ଟ୍ରପତି ମୁର୍ମୁ ‘‘ରିଡ୍ୟୁସ୍ (ହ୍ରାସ), ରିୟୁଜ୍(ପୁନଃବ୍ୟବହାର), ରିସାଇକ୍ଲିଂ(ପୁନଃଚକ୍ରଣ) (ଥ୍ରୀ ଆର୍)’’ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟକୁ ପ୍ରଶଂସା କରିଛନ୍ତି । ସେ କହିଥିଲେ, ୱେଷ୍ଟ ଇଜ୍ ବେଷ୍ଟ (ବର୍ଜ୍ୟ ହିଁ ସମ୍ପଦ) ମନ୍ତ୍ର ଚକ୍ରାକାର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିଥାଏ। ସେ ଯୁବପିଢ଼ିଙ୍କୁ ସଶକ୍ତ କରିବା, ସବୁଜ ନିଯୁକ୍ତି ସୃଷ୍ଟି କରିବା ଏବଂ ଉଦ୍ୟୋଗ ସୁଯୋଗ ସୃଷ୍ଟି କରିବା, ଏସଏଚଜି ଗୁଡ଼ିକୁ ସାମିଲ କରିବାରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ। ସହରଗୁଡ଼ିକ ଆମର ସ୍ୱଭାବ ଏବଂ ସଂସ୍କାରର ଅଂଶ ଭାବରେ ଏକ ଚକ୍ରାକାର ଅର୍ଥବ୍ୟବସ୍ଥା ଏବଂ ସ୍ୱଚ୍ଛତାର ନୀତିକୁ ଗ୍ରହଣ କରିବା ଖୁସିର ବିଷୟ ବୋଲି ରାଷ୍ଟ୍ରପତି କହିଥିଲେ। ସେ ୧ ଲକ୍ଷ ଜନସଂଖ୍ୟାରୁ କମ୍ ସହରଗୁଡ଼ିକୁ ପ୍ରଶଂସା କରିଥିଲେ ଯେଉଁଗୁଡ଼ିକ ସ୍ୱଚ୍ଛତାର ଉତ୍କୃଷ୍ଟ ମାନଦଣ୍ଡ ସ୍ଥାପନ କରିଛନ୍ତି। ବିଦ୍ୟାଳୟ ସ୍ତରରେ ହସ୍ତକ୍ଷେପ, ଉତ୍ସ ପୃଥକୀକରଣ ଷ୍ଟାର୍ଟଅପ୍ ପାଇଁ ପଦକ୍ଷେପ, ଶୂନ୍ୟ ଅପଚୟ କଲୋନୀ ଆଦି ପ୍ରୟାସ କିପରି ସ୍ୱଚ୍ଛ ଭାରତ ପାଇଁ ସଂକଳ୍ପକୁ ଆହୁରି ମଜବୁତ କରୁଛି ତାହାକୁ ରାଷ୍ଟ୍ରପତି ପ୍ରଶଂସା କରିଥିଲେ। ୨୦୪୭ ସୁଦ୍ଧା ବିକଶିତ ଭାରତ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିବ ବୋଲି ଶେଷରେ ସେ ଆଶା ପ୍ରକାଶ କରିଥିଲେ।

ସ୍ୱଚ୍ଛ ସହର ସହଭାଗୀତା ପ୍ରୟାସର ଶୁଭାରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନୋହର ଲାଲ ସମକକ୍ଷ ଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ସବୁ ଜନସଂଖ୍ୟା ବର୍ଗର ସମସ୍ତ ୭୮ଟି ଶ୍ରେଷ୍ଠ ପ୍ରଦର୍ଶନକାରୀ ସହର ସମ୍ପୃକ୍ତ ରାଜ୍ୟରୁ ଗୋଟିଏ ଲେଖାଏଁ ଖରାପ ପ୍ରଦର୍ଶନକାରୀ ସହରକୁ ଗ୍ରହଣ କରିବେ ଏବଂ ସ୍ୱଚ୍ଛତା ପାଇଁ ପରାମର୍ଶ ଦେବେ। ବ୍ୟାପକ ଅଳିଆଗଦା ପ୍ରତିକାର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଘୋଷଣା କରି କେନ୍ଦ୍ରମନ୍ତ୍ରୀ କହିଥିଲେ, ୧୫ ଅଗଷ୍ଟ, ୨୦୨୫ରୁ ଆରମ୍ଭ ହେଉଥିବା ଏହି ୧ ବର୍ଷର ସ୍ୱତନ୍ତ୍ର କାର୍ଯ୍ୟକ୍ରମ କେବଳ ପୁରୁଣା ବର୍ଜ୍ୟବସ୍ତୁ ପରିଚାଳନାକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ ନାହିଁ ବରଂ ବଡ଼ ସହରାଞ୍ଚଳ ସ୍ଥାନକୁ ମୁକ୍ତ କରିବାରେ ସାହାଯ୍ୟ କରିବ। ଏଥିସହିତ ବୈଜ୍ଞାନିକ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କ୍ଷମତାକୁ ମଧ୍ୟ ବୃଦ୍ଧି କରିବ। 

ganjam | President of India