ପ୍ରଶ୍ନ: ମୁଁ ଜଣେ ସରକାରୀ କର୍ମଚାରୀ। ମୋ ବୟସ ୩୦ ବର୍ଷ। ଏସ୍‌ଆଇପି ଜରିଆରେ ମୁଁ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିଛି। ବର୍ତ୍ତମାନ ମୋ ପୋର୍ଟଫୋଲିଓ ମୂଲ୍ୟ ୩୦ ହଜାର ଟଙ୍କା ରହିଛି। ମୁଁ ୧୦ଟି ଫଣ୍ଡ୍‌ରେ ମାସିକ ୮୦୦୦ ଟଙ୍କା ନିବେଶ କରୁଛି। ଏସ୍‌ବିଆଇ ସ୍ମଲ୍‌ କ୍ୟାପ୍ ଫଣ୍ଡ୍‌, ଏସ୍‌ବିଆଇ କଣ୍ଟ୍ରା ଫଣ୍ଡ୍‌, ପରାଗ ପାରିଖ ଫ୍ଲେକ୍ସି କ୍ୟାପ୍ ଫଣ୍ଡ୍‌, ଟାଟା ସ୍ମଲ୍‌ କ୍ୟାପ୍‌ ଫଣ୍ଡ୍‌, କ୍ବାଣ୍ଟ ସ୍ମଲ୍ କ୍ୟାପ୍ ଫଣ୍ଡ୍‌, ନିପନ୍ ଇଣ୍ଡିଆ ସ୍ମଲ୍‌ କ୍ୟାପ୍ ଫଣ୍ଡ୍‌, ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ୍ ବ୍ଲୁ ଚିପ୍ ଫଣ୍ଡ୍‌, କୋଟକ୍ ଇକ୍ବିଟି ଅପର୍ଚୁନିଟିଜ୍ ଫଣ୍ଡ୍‌, ମୋତିଲାଲ ଓସ୍ବାଲ୍ ମିଡ୍‌କ୍ୟାପ୍ ଫଣ୍ଡ୍‌ ଓ ଆଦିତ୍ୟ ବିର୍ଲା ସନ୍‌ ଲାଇଫ୍‌ ପିଏସ୍‌ୟୁ ଇକ୍ବିଟି ଫଣ୍ଡ୍‌ରେ ମୁଁ ନିବେଶ କରିଛି। ନିବେଶ ଉପରେ ମୁଁ ବିଶେଷଜ୍ଞ ପରାମର୍ଶ ଚାହୁଛି? - ଜଗନ୍ନାଥ ନାୟକ

Advertisment

ଉତ୍ତର: ଆପଣଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ଆପଣଙ୍କ ନିବେଶ ପୋର୍ଟଫୋଲିଓରେ ୩୦ ହଜାର ଟଙ୍କା ରହିଛି। ଆପଣଙ୍କ ଦୀର୍ଘକାଳୀନଭିତ୍ତିରେ ମାସିକ ୧୦ ହଜାର ଟଙ୍କା ନିବେଶ କରିବାକୁ ଯୋଜନା କରିଛନ୍ତି। ଲମ୍ବା ସମୟରେ ବଡ଼ ପାଣ୍ଠି ସୃଷ୍ଟି କରିବା ଲାଗି ୧୦% ଷ୍ଟେପ୍ ଅପ୍ ସହ ନିବେଶ କରିବାକୁ ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ। ପୋର୍ଟଫୋଲିଓ‌ରେ ନଗଦ ଓ ସ୍ଥିରତା ବଜାୟ ରଖିବା ଲାଗି ପାଣ୍ଠିର ୮୦ ପ୍ରତିଶତକୁ ଇକ୍ବିଟି ଓ ୨୦ ପ୍ରତିଶତ ଡେବ୍‌ଟରେ ନିବେଶ କରନ୍ତୁ। କ୍ଷେତ୍ରଭିତ୍ତିକ ଓ ଥେମାଟିକ୍ ଫଣ୍ଡ୍‌‌ରେ ନିବେଶଠାରୁ ଦୂରେଇ ରୁହନ୍ତୁ, କାରଣ ସେଗୁଡ଼ିକର ପ୍ରଦର୍ଶନ ଅସ୍ଥିର ରହିଥାଏ। ଟିକସ ସଞ୍ଚୟ କରିବା ଲାଗି ଇଏଲ୍‌ଏସ୍‌ଏସ୍‌ ଫଣ୍ଡ୍‌ରେ ନିବେଶ ପାଇଁ ଆପଣ ବିଚାର କରିପାରିବେ। ସେଥିରେ ଆପଣ ଆୟକର ନିୟମ ଧାରା ୮୦ସି ଅନୁସାରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାଟ ସୁବିଧା ପାଇପାରିବେ। ନିଜ ପୋର୍ଟଫୋଲିଓ ପ୍ରତି ରହିଥିବା ବିପଦ କମ୍ କରିବା ଲାଗି ଏକାଧିକ କମ୍ପାନି ଓ ଫଣ୍ଡ୍‌ରେ ନିବେଶ କରନ୍ତୁ। ଆପଣ ପରାଗ ପାରିଖ ଫ୍ଲେକ୍ସି କ୍ୟାପ୍ ଫଣ୍ଡ, ନିପନ୍ ଇଣ୍ଡିଆ ସ୍ମଲ କ୍ୟାପ୍ ଫଣ୍ଡ, ଟାଟା ସ୍ମଲ କ୍ୟାପ୍ ଫଣ୍ଡ, ଏସ୍‌ବିଆଇ କଣ୍ଟ୍ରା ଫଣ୍ଡ, ମୋତିଲାଲ ଓସ୍ବାଲ୍‌ ମିଡ୍‌କ୍ୟାପ୍ ଫଣ୍ଡ, କୋଟକ୍‌ ଇମର୍ଜିଂ ଇକ୍ବିଟି ଫଣ୍ଡ ଓ ଆଇସିଆଇସିଆଇ ପ୍ରୁ ବ୍ଲୁଚିପ୍ ଫଣ୍ଡ୍‌କୁ ନିଜ ପାଖରେ ରଖିପାରିବେ। ଆଦିତ୍ୟ ବିର୍ଲା ଏସ୍‌ଏଲ୍‌ ପିଏସ୍‌ୟୁ ଇକ୍ବିଟି ଫଣ୍ଡ୍‌ ଓ ଏସ୍‌ବିଆଇ ସ୍ମଲ୍‌ କ୍ୟାପ୍ ଫଣ୍ଡ୍‌ରୁ ଆପଣ ବାହାରିଯାଇପାରିବେ। ନିବେଶ ପାଇଁ ଆଇସିଆଇସିଆଇ ପ୍ରୁ ଫୋକସ୍‌ଡ ଇକ୍ବିଟି ଫଣ୍ଡ ଓ କ୍ବାଣ୍ଟ ଆକ୍ଟିଭ୍ ଫଣ୍ଡ୍‌କୁ ଆପଣ ବିଚାରକୁ ନେଇପାରିବେ।

 

ପ୍ରଶ୍ନ: ମୁଁ ଷ୍ଟକ୍ ବଜାରରେ ପ୍ରାୟ ୨ ଲକ୍ଷ ଟଙ୍କା ନିବେଶ କରିଛି। ମୋ ପୋର୍ଟଫୋଲିଓରେ ଗ୍ରିନ୍ ଏନର୍ଜି କମ୍ପାନିର ଷ୍ଟକ୍ ଅଧିକ ରହିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ ବିଜୟୀ ହେବା ପରେ ମୋ ନିବେଶକୁ ନେଇ ମୋର ଚିନ୍ତା ବଢ଼ିବ କି?

-କଲ୍ୟାଣ ଶଙ୍କର ମିଶ୍ର, ଭୁବନେଶ୍ବର

ଉତ୍ତର: ଆପଣ ସିଧାସଳଖ ଭାବେ ଦୁଇ ଲକ୍ଷ ଟଙ୍କା ଇକ୍ବିଟି ବଜାରରେ ନିବେଶ କରିଛନ୍ତି। ଇକ୍ବିଟି ବଜାରରେ ନିବେଶ ଲାଗି ବଜାରରେ ପ୍ରବେଶ କରିବା ଓ ବାହାରିବା ଲାଗି ଆବଶ୍ୟକ ମୌଳିକ ଜ୍ଞାନ, ଅନୁଶୀଳନ ଦକ୍ଷତା ରହିବା ଦରକାର। ତେଣୁ ଏହା ସାଧାରଣ ନିବେଶକଙ୍କ ଲାଗି ଉପଯୁକ୍ତ ବିଚାର କରାଯାଇନଥାଏ। ସିଧାସଳଖ ଇକ୍ବିଟିରେ ନିବେଶ ନ କରି ଆପଣ ନିବେଶ ପାଇଁ ଡାଇଭର୍ସିଫାଏଡ୍‌ ଇକ୍ବିଟି ଫଣ୍ଡ୍‌କୁ ବିଚାରକୁ ନେଇପାରିବେ। ସେଥିରେ ଆପଣ ବିଭିନ୍ନ କ୍ଷେତ୍ର ଓ ଷ୍ଟକ୍‌ରେ ନିବେଶ କରିବାର ସୁଯୋଗ ପାଇବେ ଏବଂ ଆପଣଙ୍କ ନିବେଶକୁ ବିଶେଷଜ୍ଞମାନେ ପରିଚାଳନା କରି ଆଲ୍‌ଫା ସୃଷ୍ଟି କରିପାରିବେ। ଆପଣ ଆଇସିଆଇସିଆଇ ପ୍ରୁ ଡିଭିଡେଣ୍ଟ ୟିଲ୍‌ଡ ଇକ୍ବିଟି ଫଣ୍ଡ, ଏଚ୍‌ଡିଏଫସି ସ୍ମଲ କ୍ୟାପ୍ ଫଣ୍ଡ, କୋଟକ୍ ଇମର୍ଜିଂ ଇକ୍ବିଟି ଫଣ୍ଡ ଓ ଆଦିତ୍ୟ ବିର୍ଲା ଏସ୍‌ଏଲ୍‌ ମଲ୍‌ଟି କ୍ୟାପ୍ ଫଣ୍ଡ୍‌କୁ ନିବେଶ ଲାଗି ବିଚାରକୁ ନେଇପାରିବେ।

 

ପ୍ରଶ୍ନ: ମୋ ମାସିକ ଆୟ ୩୦ ହଜାର ଟଙ୍କା। ମୁଁ ଷ୍ଟକ୍ ବଜାରରେ କିଭଳି ମାସକୁ ୫୦୦୦ ଟଙ୍କା ନିବେଶ କରିପାରିବି। ମୋ ପାଇଁ କ’ଣ ସବୁ ବିକଳ୍ପ ରହିଛି? ଦୟାକରି ପରାମର୍ଶ ଦିଅନ୍ତୁ।

 -ବି ମହାନ୍ତି, ପୁରୀ

ଉତ୍ତର: ଆପଣ ମାସକୁ ୫୦୦୦ ଟଙ୍କା ଏସ୍‌ଆଇପି ଜରିଆରେ ନିବେଶ କରିବାକୁ ଯୋଜନା ରଖିଛନ୍ତି। ନିବେଶ କରିବା ଲାଗି ଆମେ ଆପଣଙ୍କୁ କେତେକ ମ୍ୟୁଚୁଆଲ୍ ଫଣ୍ଡ୍‌ ସମ୍ପର୍କରେ ଏଠାରେ ସୂଚନା ଦେଉଛି। ସେଗୁଡ଼ିକ ହେଉଛି ଇନ୍‌ଭେସ୍କୋ ଇଣ୍ଡିଆ ଫୋକସ୍‌ଡ ଫଣ୍ଡ, ମୋତିଲାଲ ଓସ୍ବାଲ୍ ଲାର୍ଜ ଆଣ୍ଡ୍ ମିଡ୍‌ କ୍ୟାପ୍ ଫଣ୍ଡ୍‌, କ୍ବାଣ୍ଟ ଭାଲ୍ୟୁ ଫଣ୍ଡ, କାନାରା ରୋବୋକୋ ମଲ୍‌ଟି କ୍ୟାପ୍ ଫଣ୍ଡ ଓ ଏଚ୍‌ଡିଏଫ୍‌ସି ସ୍ମଲ୍‌ କ୍ୟାପ୍ ଫଣ୍ଡ। ଲମ୍ବା ସମୟରେ ବଡ଼ ପାଣ୍ଠି ସୃଷ୍ଟି କରିବା ଲାଗି ପ୍ରତି ବର୍ଷ ନିବେଶକୁ ୧୦-୧୫% ବଢ଼ାଇବା ଲାଗି ଆମେ ଆପଣଙ୍କୁ ପରାମର୍ଶ ଦେଉଛୁ।

 

ଷ୍ଟକ୍ ବଜାର ଓ ମ୍ୟୁଚ୍ୟୁଆଲ୍ ଫଣ୍ଡ୍‌ ନିବେଶ
ସମ୍ପର୍କିତ ପ୍ରଶ୍ନ ପଚାରିବା ପାଇଁ 
[email protected]କୁ ଇ-ମେଲ୍‌ କରିପାରିବେ କିମ୍ବା 
ସମ୍ବାଦ ଭବନ, ବି/୨୭, ଶିଳ୍ପାଞ୍ଚଳ, ରସୁଲଗଡ଼, ଭୁବନେଶ୍ବର, ଖୋର୍ଦ୍ଧା, ୭୫୧୦୧୦ ଠିକଣାରେ ଚିଠି ଲେଖିପାରିବେ