କୋରାପୁଟ/ବୈପାରିଗୁଡା: ରାଜ୍ୟବାସୀଙ୍କ ପାଇଁ ସେବା କରିବାର ଦୀର୍ଘ ଦିନର ଅଭିଜ୍ଞତା ହାସଲ ହୋଇପାରି ନାହିଁ। ଯନ୍ତ୍ରୀ ଭାବେ ସେବା ଦେବାର ଅଭିଜ୍ଞତା ଦୀର୍ଘ ଦିନର ନଥିଲେ ବି ଦୁର୍ନୀତି କରିବାରେ ସିଦ୍ଧ ହସ୍ତା ହୋଇଥିଲେ। ସମ୍ଭବତଃ ପୂର୍ବ ଭଳି ଆଜି ମଧ୍ୟ ଲାଞ୍ଚ ନେଉଥିବା ବେଳେ ଧରାପଡ଼ି‌ଗଲେ କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ। ଜଣେ ହିତାଧିକାରୀଙ୍କୁ ଗାଈ ଗୁହାଳ ନିର୍ମାଣ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଜୟପୁର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Advertisment

ରାଜ୍ୟ ସରକାର ଗୋପାଳନକୁ ପ୍ରୋତ୍ସାହନ ଦେଉଛନ୍ତି। ଗାଈ ପାଳନ କରି ଗ‌ୋପାଳକମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଚାହୁଁଛନ୍ତି। ତେବେ ଏହି କାମ ପାଇଁ ନିୟୋଜିତ କର୍ମଚାରୀ ଅସାଧୁ ଉପାୟରେ ଅର୍ଥ ରୋଜଗାର କରୁଛନ୍ତି। ମୋଟା ଅଙ୍କର ଦରମା ପାଉଥିଲେ ମଧ୍ୟ ଗରିବ, ଖଟିଖିଆ, ମୁଲିଆଙ୍କ ଠାରୁ ଲାଞ୍ଚ ନେଉଛନ୍ତି। ଭାନୁମତୀ ଟୁଡୁ କୁନ୍ଦୁରା ବ୍ଲକର ଜଣେ ହିତାଧିକାରୀଙ୍କ ଗାଈ ଗୁହାଳ ବିଲ୍‌ କରିଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି। 

ଭାନୁମତୀ ଲାଞ୍ଚ ମାଗିବା ପରେ ହିତାଧିକାରୀ ଜଣକ ଏନେଇ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ଭିଜିଲାନ୍ସ ବିଭାଗ ଭାନୁମତିଙ୍କୁ ପାନେ ଦେବା ପାଇଁ ଯୋଜନା କରିଥିଲା। ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ଆଜି ଭାନୁମତୀ ବ୍ଲକ କାର୍ଯ୍ୟାଳୟରେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ଅତର୍କିତ ଚଢ଼ାଉ କରି ଲାଞ୍ଚ ଟଙ୍କା ଜବତ କରିଥିଲେ।  

ରଙ୍ଗବୋଳା ଟଙ୍କା ଜବତ ହେବା ପରେ ତାଙ୍କ ଅଫିସ ଚାମ୍ବର, ସୁନାବେଡ଼ାସ୍ଥିତ ନିଜ ଘର ସମେତ ୩ଟି ଠିକଣାରେ ତନାଘନା ଚାଲିଛି। ସହକାରୀ ଯନ୍ତ୍ରୀଙ୍କୁ ପଚରାଉଚରା ଚାଲିଛି।  ସେ ଜଣେ ଲାଞ୍ଚୁଆ ଅଧିକାରୀ ହେଇ ଥିବାରୁ ତିନି ଦିନ ଧରି ସହକାରୀ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ରେଡ୍‌ହ୍ୟାଣ୍ଡରେ ଧରିବାକୁ ଚେଷ୍ଟା କରାଯାଉଥିଲା। କିନ୍ତୁ କୌଶଳରେ ଖସି ଯାଉଥିଲେ। ଆଜି ଭିଜିଲାନ୍ସ ଜାଲରେ ଫସିଥିଲେ। ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ ଏକ ଦାମୀ କାରରେ ସୁନାବେଡ଼ା ଠାରୁ କୁନ୍ଦୁରା ବ୍ଲକ କାର୍ଯ୍ୟାଳୟକୁ ପ୍ରାୟ ୯୦ କିଲୋମିଟର ଦୂର ଯିବା ଆସିବା କରିଥାନ୍ତି। 

ସୂଚନାଯୋଗ୍ୟ, ଭାନୁମତୀ ଟୁଡୁ ୨୦୨୩ ଫେବ୍ରୁଆରି ୧୭ ତାରିଖରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରିରେ ଯୋଗ ଦେଇଥିଲେ। ସେ କୋରାପୁଟ ଜିଲ୍ଲା ନନ୍ଦପୁର ଠାରୁ ସରକାରୀ ଇଂଜିନିୟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ତାଙ୍କର କୁନ୍ଦୁରାକୁ ବଦଳି ହୋଇଥିଲା। ଏଠାରେ ସେ ୨୦୨୩ ଡିସେମ୍ବର ୨୦ରେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି ପାଇଥିଲେ।