ଭୁବନେଶ୍ବର: ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣାରେ ତାଙ୍କର ଅନ୍ୟତମ ସହଯୋଗୀ ଆୟୁଷ୍ମାନ ସାହୁଙ୍କୁ ପୁଲିସ ବାନ୍ଧିଛି। ଆୟୁଷ୍ମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଗତକାଲି ଭିଡିଓ କରି ଉଦିତଙ୍କର ଦୋଷ ନଥିବା କହିଥିଲେ ଆୟୁଷ୍ମାନ। ସେପଟେ ମାମଲାର ନୂଆ ମୋଡ଼ ନେଇଛି। ଦୁଷ୍କର୍ମ ମାମଲାକୁ ଗଣଦୁଷ୍କର୍ମ ଭାବେ କନଭର୍ଟ କଲା ପୁଲିସ। ଆୟୁଷ୍ମାନ ବିରୋଧରେ ପୁଲିସ ପୀଡିତା ବୟାନ ଦେଇଥିବା ସୂଚନା ଦେଇଛି।
ସୂଚନାଯୋଗ୍ୟ, ଦୁଷ୍କର୍ମ ଅଭିଯୋଗରେ ଗିରଫ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଜାତୀୟ ଯୁବ କଂଗ୍ରେସ ସଭାପତି ପଦ ଓ ଦଳରୁ ନିଲମ୍ବନ କରିଛି।
ମୃଦୁ ପାନୀୟରେ ନିଶା ଦେଇ ହୋଟେଲ୍ରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଗିରଫ କରିଥିଲା। ମଞ୍ଚେଶ୍ବର ଥାନା ପୁଲିସ ଗତ ରାତିରେ ଉଦିତଙ୍କୁ ଉଠାଇ ନେଇଥିଲା। ଗତକାଲି ତାଙ୍କୁ କୋର୍ଟ ଚାଲାଣ କରିଥିଲା। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ୧୮ତାରିଖ ଅପରାହ୍ଣରେ ସେ, ତାଙ୍କର ଜଣେ ବାନ୍ଧବୀ ଓ ଜଣେ ସହପାଠୀଙ୍କ ସହ ମିଶି ମାଷ୍ଟରକ୍ୟାଣ୍ଟିନ୍ ଛକକୁ ବୁଲିବାକୁ ଯାଇଥିଲେ। ସେଠାରେ ସହପାଠୀଜଣକ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ। ଏହାପରେ ଉଦିତଙ୍କ ଗାଡ଼ିରେ ସେମାନେ ନୂଆପଲ୍ଲୀସ୍ଥିତ ଏକ ହୋଟେଲକୁ ଯାଇଥିଲେ।
ହୋଟେଲ୍ରେ ସେମାନେ ମଦ ପିଇଥିଲେ। କିନ୍ତୁ ପୀଡ଼ିତା ମଦ ପିଇବାକୁ ମନା କରିଥିଲେ। ତେଣୁ ଉଦିତ ତାଙ୍କୁ ମୃଦୁପାନୀୟ ପିଇବାକୁ କହିଥିଲେ। ସେ କୌଶଳକ୍ରମେ ସେଥିରେ କୌଣସି ନିଶା ମିଶାଇ ତାଙ୍କୁ ପିଇବାକୁ ଦେଇଥିଲା। ମୃଦୁ ପାନୀୟ ପିଇବାର କିଛି ସମୟ ପରେ ତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା। ତେଣୁ ତୁରନ୍ତ ଘରେ ଛାଡ଼ିଦେବାକୁ ସେ କହିଥିଲେ। ମାତ୍ର ଉଦିତ ଓ ଅନ୍ୟମାନେ ତାଙ୍କୁ ଯିବାକୁ ଦେଇ ନଥିଲେ। ଏହାପରେ ସେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତାଙ୍କର ହୋସ୍ ଫେରିବା ବେଳକୁ ସେ ଦେଖିଲେ ଯେ ଉଦିତ ତାଙ୍କ ସହିତ କିଛି ଖରାପ କାମ କରିଛି। ପରେ ସେ ବୁଝିଲେ ଯେ ଉଦିତ ତାଙ୍କୁ ଦୁଷ୍କର୍ମ କରିଛି। ଏନେଇ ସେ ପଚାରିବାରୁ ଉଦିତ ତାଙ୍କୁ ଧମକ ଦେଇଥିଲେ। ଅଭିଯୋଗ କଲେ, ତାଙ୍କୁ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି କହିଥିଲେ। ଉଦିତ ଜଣେ ଛାତ୍ରନେତା ହୋଇଥିବାରୁ ପୀଡ଼ିତା ଡରିଯାଇଥିଲେ ଏବଂ ନିରବ ରହିବାକୁ ବାଧ୍ୟ ହୋଇଥିଲେ ବୋଲି ଏତଲାରେ ଦର୍ଶାଇଛନ୍ତି।
congress