ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା-କରପଡ଼ା ରାସ୍ତା କାଣ୍ଡେସର ଗ୍ରାମର ହରିଜନ ସାହି ନିକଟରେ ଆଜି ମଧ୍ୟାହ୍ନ ୧୨ଟାରେ ଏକ ଯାତ୍ରୀବାହୀ ଓ ଅଟୋ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ, କାଣ୍ଡେସର ଗ୍ରାମର ସୀମାଞ୍ଚଳ ରେଡ୍ଡୀ (୪୯) ଓ କୁନ୍ତୀ ଗୌଡ଼ (୬୫)। ସୀମାଞ୍ଚଳ କୌଣସି କାମରେ ଦିଗପହଣ୍ଡି ଯାଇ ବାଇକ୍‌ରେ ଗାଁକୁ ଫେରିଥିଲେ। ଏହି ସମୟରେ ଗୋକର୍ଣ୍ଣପୁର ଛକରେ ବସ୍ ପାଇଁ ଅପେକ୍ଷା କରିଥିବା କୁନ୍ତୀଙ୍କୁ ସେ ଲିଫ୍‌ଟ୍ ଦେଇଥିଲେ।

Advertisment

ତେବ‌େ କୁନ୍ତୀଙ୍କ ଘରଠୁ ଅଳ୍ପ ଦୂରରେ ବିପରୀତ ଦିଗ ବଡ଼ଡୁମ୍ବୁଳା ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଅଟୋ ସାମ୍ନାପଟୁ ବାଇକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କୁନ୍ତୀ ଓ ସୀମାଞ୍ଚଳ ଉଭୟ ଛିଟିକି ପଡ଼ି ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।

ଆଉ ଅଟୋକୁ ଘଟଣାସ୍ଥଳରେ ରଖି ଚାଳକ ଫେରାର ହୋଇ ଯାଇଥିଲା। ଦିଗପହଣ୍ଡି ପୁଲିସ ପହଞ୍ଚି ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି। ସନ୍ଧ୍ୟାରେ ଉଭୟଙ୍କ ଶବ ଗ୍ରାମକୁ ଅଣାଯିବା ପ‌ରେ ସରପଞ୍ଚ ବି.ଲିଙ୍ଗରାଜ ଦୋରାଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶରେ ଅନ୍ତିମ ସତ୍କାର ହୋଇଛି।