ଘୁ.ଉଦୟଗିରି,: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିର ଅଧିଷ୍ଠାତ୍ରୀ ଦେବୀ ମା’ ବଡ଼ରାଉଳ। ମାଙ୍କ ଏହି ମନ୍ଦିର ଏକ  ପ୍ରସିଦ୍ଧ ଶକ୍ତି ପୀଠ ଭାବେ ଜଣାଶୁଣା। ପୂର୍ବରୁ ଏଠି ବହୁ ଅଲୌକିକ ଘଟଣା ଘଟିଥିବାର କିମ୍ବଦନ୍ତୀ ରହିଛି। ମା ବଡ଼ରାଉଳ ମାଟିତଳୁ ଫୁଟି ବାହାରି ଥିବାରୁ  ସ୍ୱୟଂ ଆବିର୍ଭୁତ ପ୍ରତକ୍ଷ୍ୟ ଦେବୀ ଭାବେ ଭକ୍ତମାନଙ୍କ ରହିଛି ଅଗାଢ ବିଶ୍ବାସ। ତେବେ ମା ବଡ଼ରାଉଳ ମନ୍ଦିର ଦ୍ୱାର ପ୍ରତିଦିନ ଖୋଲା ଯାଉନଥିବା ବେଳେ, ବର୍ଷ କୁ କେବଳ ପାଞ୍ଚ ଥର ଦ୍ୱାର ଖୋଲେ। 
Advertisment
ଜ୍ୟେଷ୍ଠ ଶୁକ୍ଲ ପକ୍ଷ ନବମୀ ଏବଂ ଦଶମୀ ତିଥିରେ ଦୁଇ ଦିନ ମାଙ୍କ ଦ୍ୱାର ଖୋଲାଯାଇ ବଡ ପୂଜା ତଥା ଜନ୍ତାଳ ଯାତ୍ରା ହୋଇଥାଏ। ଦ୍ୱତୀୟରେ ଚାଷ କାମ ଶେଷରେ ଭାଦ୍ରବ ମାସ ପୂର୍ଣ୍ଣିମାରେ ମାଙ୍କ ଦ୍ୱାର ଖୋଲାଯାଇ ପୂଜାର୍ଚ୍ଚନା କରାଯାଏ। ତୃତୀୟ ଥର ପାଇଁ ଆଶ୍ୱିନ ମାସ ଶୁକ୍ଲ ପକ୍ଷରେ ମାଙ୍କ ନବାହ୍ନ ଅନ୍ନ ଭୋଗ ଲାଗି ହୋଇଥାଏ। ଚତୁର୍ଥରେ ପୌଷ ମାସ ପୂର୍ଣ୍ଣିମା ତିଥିରେ ଦ୍ୱାର ଖୋଲାଯାଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଏ। ପଞ୍ଚମରେ ଦଣ୍ଡ ଯାତ୍ରା ପୂର୍ବରୁ ଫାଲଗୁନ ମାସରେ ମାଙ୍କ ଦ୍ୱାର ଖୋଲାଯାଇ ଆମ୍ବ ମହୁଲ ସହିତ ପାଳିତ ହୁଏ ନୁଆ ଖିଆ ପର୍ବ। ଏହା ବ୍ୟତୀତ ଅନ୍ୟ ଦିନରେ ମନ୍ଦିର ଦ୍ୱାର ବନ୍ଦ ହୋଇ ରହିଥିବା ବେଳେ ଭକ୍ତମାନେ ବାହାରୁ ପୂଜା କରି ଯାଇଥାନ୍ତି। 
ଘୁମୁସର ରାଜା ଉପେନ୍ଦ୍ର ଭଂଜ ସପ୍ତଦଶ ଶତାବ୍ଦୀରେ ଏଠିକାର ଗୁନା ବଂଶୀୟ ପୂଜାରୀମାନଙ୍କ ଦ୍ୱାରା ନିର୍ମାଣ କରିଥିଲେ  ଏହି ମନ୍ଦିର ବୋଲି କହନ୍ତି ବରିଷ୍ଠ ଲୋକେ। ଲୋକକଥା ମୁତାବକ ବହୁ ବର୍ଷ ପୂର୍ବରୁ ଘୁ.ଉଦୟଗିରି ଏକ ଛୋଟ ଗାଁ ଥିଲା। ଦେବୀ ଯେଉଁ ସ୍ଥାନରେ ଫୁଟି ବାହାରିଛନ୍ତି। ସେ ସ୍ଥାନରେ ମକା ଚାଷ କରିବା ପାଇଁ ଦୁଇ ଜଣ ଆଦିବାସୀ ହଳ କରୁଥିଲେ। ସେମାନେ ହଳ କରିବା ସମୟରେ ଗୋଟିଏ ସ୍ଥାନରୁ ପ୍ରଚୁର ରକ୍ତଶ୍ରାବ ହୋଇଥିଲା। ଏହା ଦେଖି ଭୟଭୀତ ହୋଇ ସମସ୍ତେ କୁରୁମିଙ୍ଗିଆ ନିକଟ ଜଙ୍ଗଲ ପାହାଡ଼ ପାଦଦେଶରେ ଥିବା  ରେଟୁଡିକୁ ଯାଇ ରହିଲେ।

ସେହି ଦିନ ରାତିରେ ଦେବୀ ମା ଗୁନା ବଂଶ ମୁଖିଆଙ୍କୁ ସ୍ୱପ୍ନାଦେଶ ଦେଲେ। କହିଲେ- ମୁଁ ଏଠି ଉଭା ହୋଇଛି। ଲଙ୍ଗଳ ବାଜିବାରୁ ମୋ ମୁଣ୍ଡରୁ ରକ୍ତ ବାହାରୁଛି। ତେଣୁ ଏଠି ହିଁ ମୋତେ ପୂଜାର୍ଚ୍ଚନା କରିବ। ଯୋଗ ଲଗ୍ନ ଦେଖି ଦ୍ୱାର ଖୋଲି ମୋ ପୂଜା କରିବ। ଅନ୍ୟ ଦିନରେ କେହି ଦ୍ୱାର ଖୋଲିବ ନାହିଁ। ସେହି ଅନୁଯାୟୀ ବର୍ଷକୁ ୫ ଥର ହିଁ ମା’ଙ୍କ ଦ୍ୱାର ଖୋଲା ହୋଇ ପୂଜା ପାଇ ଆସୁଛନ୍ତି ମା ବଡ଼ରାଉଳ। 

ମା ବଡ଼ରାଉଳଙ୍କ ଆବିର୍ଭାବକୁ ନେଇ ରହିଛି ଅନେକ ଲୋକକଥା। ସେଥିମଧ୍ୟରୁ ଗୋଟିଏ ହେଲା କଳାହାଣ୍ଡି ଜିଲ୍ଲାର ମାଣିକେଶ୍ଵରୀ ଦେବୀଙ୍କ ସାତ ଭଉଣୀଙ୍କ ରାଜା ନିଜ ଶାଳକ ବୌଦ୍ଧ ରାଜାଙ୍କୁ ଉପହାରରେ ଦେଇଥିଲେ। କଥା ଥଲା ରାଜା ଯେଉଁ ଯେଉଁ ସ୍ଥାନରେ ଆଶ୍ରୟ ନେବେ ସେହି ସ୍ଥାନରେ ଜଣେ ଜଣେ ଭଉଣୀ ରହିଯିବେ। ସେହି ଅନୁସାରେ ବାଲିଗୁଡା, ମହାସିଙ୍ଗି, ବନ୍ଧଗଡ, ଲିଗାଂଗଡ, ଘୁ.ଉଦୟଗିରି, ବଲସକୁମ୍ପା ଏବଂ ପୁରୁଣା କଟକରେ ଏମିତି ସାତ ଭଉଣୀ ସାତଟି ସ୍ଥାନରେ ପୂଜା ପାଉଛନ୍ତି। ଶହଶହ ବର୍ଷର ପ୍ରତିଷ୍ଠିତ ଦେବୀ ମନ୍ଦିରରେ ସେଇ ପରମ୍ପରାକୁ ନେଇ ଚାଲିଛି ପୂଜାର୍ଚ୍ଚନା।
ଆଜିବି ସେଇ ପୁରୁଣା ପରମ୍ପରା ପୂଜାର୍ଚ୍ଚନା। ଆଦିବାସୀ ପୂଜାର୍ଚ୍ଚନାର ଝଲକ ଦେଖିବାକୁ ମିଳୁଛି। ମାଟି ପୂଜା ହେଉ କି ମହୁଲି, କୁକୁଡ଼ା ପୂଜା, କ୍ଷୀର ଅରୁଆ ଚାଉଳ, ମନ୍ଦାର ଫୁଲ ଚାଙ୍ଗୁ ବାଜା, ଫାର୍ସା ଭଳି ବହୁ ପୁରୁଣା ପରମ୍ପରା ସହ ଭକ୍ତି ପୂଜା ଚଳିଥିବା ବେଳେ ଅଞ୍ଚଳବାସୀଙ୍କ ପ୍ରଘାଡ଼ ଭକ୍ତି ରହିଛି ମାଙ୍କ ପ୍ରତି। ଅଗାଧ ବିଶ୍ୱାସ ମା’ଙ୍କୁ ଡାକିଲେ ମା ଭକ୍ତର ଗୁହାରି ଶୁଣନ୍ତି। ଶହଶହ ବର୍ଷ ପୁରୁଣା ମନ୍ଦିର ଏହା ଭିତରେ ଘୁ.ଉଦୟଗିରି ଗାଁରୁ ସହର ହୋଇସାରିଲାଣି। ସହରର ରୂପରେଖ ବଦଳି ଗଲାଣି କିନ୍ତୁ ମାଙ୍କ ଆବିର୍ଭାବ ସ୍ଥାନ ବା ଆସ୍ଥାନ ସୃଷ୍ଟିରୁ ଯେମିତି ମାଟି ତଳେ ଥିଲା ଆଜି ବି ସେମିତି ଅଛନ୍ତି।