କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିବା ଆଉ ଦୁଇ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଛି। ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଓ ଅନ୍ୟ ଜଣେ ଅଭିଯୁକ୍ତ ପ୍ରଶାନ୍ତ କୁମାର ଖମାରିଙ୍କ ଜାମିନ ଆବେଦନ କଟକ ତୃତୀୟ ଅତିରିକ୍ତ ଦୌରା ଜଜ ଅଦାଲତ ଶୁଣାଣି କରି ଖରି ଖାରଜ କରିଛନ୍ତି।
କଟକ ଜେଏମଏଫସି-୩ (କଗନିଜାନ୍ସ ଟେକିଂ) ଅଦାଲତରେ ଜାମିନ ଖାରଜ ହେବା ପରେ ଉଭୟ ଅଭିଯୁକ୍ତ ପୃଥକ ଜାମିନ ଆବେଦନ ଦୌରା ଅଦାଲତରେ ଦାୟର କରିଥିଲେ। ଜାମିନ ଆବେଦନ ଶୁଣାଣି ପାଇଁ ତୃତୀୟ ଅତିରିକ୍ତ ଦୌରା ଅଦାଲତକୁ ସ୍ଥାନାନ୍ତର ହୋଇ ଆସିଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ କେସ୍ ଡାଏରି ଦାଖଲ କରାଯାଇଥିଲା। ତଦନ୍ତର ସାନି ସ୍ଥିତି ନେଇ ଅବଗତ କରାଯାଇଥିଲା।
ପୂର୍ବରୁ ଏହି ଘଟଣାରେ ଚାରି ଜଣ ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଥିବା ବେଳେ ତଦନ୍ତ ଏବେ ଚାଲିଛି ବୋଲି ଦର୍ଶାଯାଇଥିଲା। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ଜିତନ ଓ ପ୍ରଶାନ୍ତଙ୍କ ଦୁଇ ଜାମିନ ଆବେଦନକୁ ଖାରଜ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ସପ୍ତାହରେ ଅଭିଯୁକ୍ତ ବିଜୟ କୁମାର ମିଶ୍ର, ଜୟନ୍ତ କୁମାର ରାଉତ, ସନାତନ ବିଶୋୟୀ ଓ ରାମଜୀ ପ୍ରସାଦ ଗୁପ୍ତାଙ୍କ ଜାମିନ ଆବେଦନ ତୃତୀୟ ଅତିରିକ୍ତ ଦୌରା ଜଜ୍ ଅଦାଲତ ଖାରଜ କରିଥିଲେ। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଉପ-ସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତିଙ୍କ ଜାମିନ ଆବେଦନର ଶୁଣାଣି ଅଗଷ୍ଟ ୨୬ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି।