ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଛାତ୍ରୀ ଶନିବାର ଦିନ ଆତ୍ମାହୁତି ଉଦ୍ୟମ ମାମଲାରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଟାର୍ଗେଟ ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଜବାବ ଦେଇଛନ୍ତି। ବାଲେଶ୍ବର ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଭକ୍ତ ଦାସଙ୍କ ଉପରେ ଦୟା ଲାଗୁଛି। ଗର୍ଜ୍ଜନ ତର୍ଜ୍ଜନ କରି କହୁଛନ୍ତି। ଶହେ ଛେଳିର ଚିତ୍କାର ଗୋଟେ ସିଂହର ଗର୍ଜ୍ଜନ ଆଗରେ ତୁଚ୍ଛ। ବିଜେପି ପାର୍ଟି କଣ ତାଙ୍କ ପାଖରେ ଚାକିରି କରିଛି କି?
ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, କଂଗ୍ରେସରେ କ’ଣ ଚାଲିଛି ତାହା ସମସ୍ତେ ଜାଣିଛନ୍ତି। ୬ ମାସ ହେଲେ ଦିଲ୍ଲୀ ଯାଆନ୍ତି ସଭାପତି ବଦଳାଇବା ପାଇଁ। ସେଭଳି ଆମ ଦଳକୁ ଭାବନ୍ତୁ ନାହିଁ। ମୁଁ ତାଙ୍କ ଭଳି ମିଡ଼ିଆ ଆଗରେ ଦେଖାଇ ହେଉନି। ଜାଣି ରଖନ୍ତୁ ପ୍ରତାପ ଷଡଙ୍ଗୀ ତୁମ ଭଳି ଦାୟିତ୍ୱହୀନ ନୁହଁ। ମିଡ଼ିଆ ଆଗରେ କେବଳ ପ୍ରଦର୍ଶନୀ ନକରନ୍ତୁ। ଲୋକ ସେମାନଙ୍କୁ ରିଜେକ୍ଟ କରି ସାରିଲେଣି। ଭକ୍ତ ଦାସ ଜଣେ କଥା କୁହା କପିଳା। ପ୍ରତାପ ଷଡ଼ଙ୍ଗୀ କଣ ନିଜେ ଥାନାରେ ପୁରାଇ ଦେଇଥାନ୍ତେ କି? ବିତର୍କ କରିବାକୁ ମୁଁ ରାଜି ଅଛି। କିଏ ମର୍ଦ୍ଦଛୁଆ ଅଛନ୍ତି ଆସନ୍ତୁ?
ପୀଡ଼ିତା ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବାକୁ ଏମ୍ସ ହସ୍ପିଟାଲର ବର୍ଣ୍ଣ ୱାର୍ଡ଼ ପହଞ୍ଚି ପରିବାର ସହ ଭେଟିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ଭେଟିବା ପରେ ସେ କହିଛନ୍ତି ଯେ ବର୍ତ୍ତମାନ ସ୍ୱାସ୍ଥ୍ୟବସ୍ଥା ଗତକାଲିଠାରୁ ଭଲ ଅଛି। ଅନ୍ୟ କୌଣସି ଉନ୍ନତି ହୋଇନାହିଁ। ଦିଲ୍ଲୀ ଏମ୍ସ ସହ ଯୋଗାଯୋଗ କରି ଦାୟିତ୍ୱର ସହ ଚିକିତ୍ସା ହେଉଛି। ଡାକ୍ତରମାନଙ୍କ ନିଷ୍ଠାପୂର୍ବକ ଚିକିତ୍ସା ଚାଲିଛି। ପୂର୍ବରୁ ପୀଡିତାଙ୍କ ବାପା ମା ସହ ଭେଟି ନଥିଲି। ୭-୮ ଦିନ ତଳେ ଅଭିଯୋଗ ନେଇ ଯେତେବେଳେ ଆସିଥିଲେ ସେତେବେଳେ ଏସ୍ପିଙ୍କ ସହ ଆଲୋଚନା କରିଥିଲି। ୫-୭ ଦିନ ଭିତରେ ରିପୋର୍ଟ ମିଳିବା ପ୍ରତିଶ୍ରୁତି ଦିଆଯାଇଥିଲା। ତେଣୁ ସମସ୍ତେ ସ୍ଥିର କରିଥିଲୁ ୭ ଦିନ ପରେ ନିଷ୍ପତ୍ତି ନେବୁ। ମେସରେ ଡିପ୍ରେସନରେ ଥିଲା ଝିଅ। କିନ୍ତୁ ଇଣ୍ଟରନାଲ ଅଭିଯୋଗ କମିଟି ଉପସ୍ଥାପନ କରିଥିବା ରିପୋର୍ଟରେ ସମୀର ଚାଲିଶା ଗାନ କରାଯାଇଛି। ୩ ତାରିଖରେ ବାପା ଝିଅଙ୍କ ଷ୍ଟେଟମେଂଟ ରହିଛି, ଯାହା କି ତଦନ୍ତ ରିପୋର୍ଟ ସହ ତାଳମେଳ ଖାଇନି।
ସୂଚନାଯୋଗ୍ୟ, ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିବା ବାଲେଶ୍ବର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେ କମିଟି (ପିସିସି) ସଭାପତି ଭକ୍ତଚରଣ ଦାସ ରବିବାର ସନ୍ଧ୍ୟାରେ ଭେଟିଥିଲେ। ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସାଙ୍ଗକୁ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ଶ୍ରୀ ଦାସ ଗଣମାଧ୍ୟମ ଆଗରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ସିଧାସଳଖ ଟାର୍ଗେଟ କରି କହିଥିଲେ, ସାଂସଦ କହିଥିଲେ ପ୍ରଫେସର ଜଣକ ଚାଳିଶା କରୁଛନ୍ତି। ଏହାର ଅର୍ଥ କଣ ବୋଲି ପଚାରିବା ସାଙ୍ଗକୁ ସାଂସଦ ନିଜେ ଜବାବ ଦାୟୀ କି ନୁହଁ ବୋଲି ପଚାରିଥିଲେ ଭକ୍ତ ଦାସ। ଏହା ସହ ପ୍ରିନ୍ସିପାଲଙ୍କୁ ସମ୍ପୂର୍ଣ୍ଣ ଦାୟୀ କରିବା ସହ କୌଣସି କଲେଜରେ ସ୍ଥାୟୀ ପ୍ରିନ୍ସିପାଲ ନାହାନ୍ତି କାହିଁକି ପଚାରିଛନ୍ତି। ନୈତିକତା ଦୃଷ୍ଟିରୁ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଜଗନ୍ନାଥ ରଥଯାତ୍ରାରେ କାକରା ଖାଇ ରଥଯାତ୍ରା ବନ୍ଦ କଲେ। ଡାଇରିଆ ସମୟରେ ଉତ୍ସବ ମନାଇଛି ସରକାର। ଆଗକୁ ଛାତ୍ର ଓ ଯୁବକମାନେ ସମଗ୍ର ରାଜ୍ୟରେ ଚିତ୍କାର କରିବେ।
ରାଜ୍ୟରେ ମହିଳା ଏକ ପ୍ରସଙ୍ଗ ନୁହଁ ବୋଲି କହୁଥିବା ସରକାର ଏଥିପାଇଁ ସମ୍ପୂର୍ଣ୍ଣ ଦାୟୀ। ମୁଖ୍ୟମନ୍ତ୍ରୀ ନୀରିହ ବ୍ୟକ୍ତି ହେଲେ ବି ଆପଣଙ୍କ ଲୋକ ଓ ଶାସନ କ୍ଷମତାରେ ଥିବା ଲୋକମାନେ ଆପଣଙ୍କୁ କମଜୋର କରି ରଖିଛନ୍ତି। ଯଦି ନୈତିକତା ଅଛି ଏମାନଙ୍କୁ ଗାଦି ଚ୍ୟୁତ କର ବହିଷ୍କାର କର ବୋଲି କହିବା ସାଙ୍ଗକୁ ଆଗକୁ କଂଗ୍ରେସ ପକ୍ଷରୁ ପ୍ରତିନିଧି ଦଳ ବାଲେଶ୍ୱର ଯିବେ ଓ ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇବ ବୋଲି କହିଛନ୍ତି ଭକ୍ତଚରଣ ଦାସ।
ଉଲ୍ଲେଖଯୋଗ୍ୟ, ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ ବିଇଡି ଦ୍ବିତୀୟ ବର୍ଷର ଛାତ୍ରୀ ଜଣକ ଅଧ୍ୟକ୍ଷ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ କଲେଜ କର୍ତ୍ତୃପକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଶୀଘ୍ର ନେଇ ନଥିବାରୁ ଅଶାନ୍ତିରେ ଦିନ କାଟୁଥିଲେ। ଏହି ମାମଲାର କୌଣସି ଦୃଷ୍ଟାନ୍ତମୂଳକ ସମାଧାନ ପାଇଁ ମଧ୍ୟ ଉଦ୍ୟମ କରାଯାଇନଥିଲା। ଏହି କାରଣରୁ ଛାତ୍ରୀ ଜଣକ ମାନସିକ ଚାପରେ ଥିଲେ। ଶେଷରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଶନିବାର ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ।
ଦେହରେ ନିଆଁ ଲାଗିବା ପରେ ଛାତ୍ରୀଜଣକ ଗୁରୁତର ଅବସ୍ଥାରେ ଛଟପଟ ହେଉଥିବା ବେଳେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି। ସେମାନେ ବାଲେଶ୍ୱର ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ଛାତ୍ରୀ ୧୨ ଦିନ ହେଲା ମାନସିକ ଚାପରେ ଥିଲେ।
Balasore | pratap sarangi | Bhakta Charan Das