ବାଲେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବିଏସଇ) ପକ୍ଷରୁ ଆଜି ଚଳିତବର୍ଷର ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ବାଲେଶ୍ୱର ଜିଲ୍ଲାର ପାସହାର ୯୭.୫୬ ପ୍ରତିଶତ ହୋଇଥିବା ବେଳେ ପୂର୍ବବର୍ଷ ଠାରୁ ଏହା ଅଧିକ ରହିଥିବା ଜଣାପଡ଼ିଛି। ଗତବର୍ଷ ଜିଲ୍ଲାରେ ପାସହାର ୯୬.୦୫ପ୍ରତିଶତ ରହିଥିଲା। ଅନ୍ୟପଟେ ଚଳିତବର୍ଷ ଜିଲ୍ଲାରେ ସବୁଠୁ ଅଧିକ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ କୃତକାର୍ଯ୍ୟ ହୋଇଛନ୍ତି।
ଚଳିତବର୍ଷର ବାଲେଶ୍ୱର ଜିଲ୍ଲାର ୫୨୪ଟି ହାଇସ୍କୁଲରେ ମୋଟ ୨୯,୯୪୬ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଏଥିରୁ ୨୮,୫୨୫ ଜଣ ପାସ କରିଛନ୍ତି। ସେଥିରୁ ୧୪,୧୧୭ଜଣ ଛାତ୍ର ରହିଥିବା ବେଳେ ୧୪,୪୦୮ଜଣ ଛାତ୍ରୀ ରହିଛନ୍ତି। ତେବେ ଛାତ୍ରଙ୍କ ଠାରୁ ଅଧିକ ୨୯୧ ଜଣ ଛାତ୍ରୀ ପାସ କରିଛନ୍ତି।
ସେହିପରି ବିଭିନ୍ନ କାରଣ ପାଇଁ ଏଥର ୭୦୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ଥିଲେ। ଏହାଛଡ଼ା ଜଣେ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ କୌଣସି କାରଣ ପାଇଁ ପ୍ରକାଶ ପାଇନଥିବା ବେଳେ ୧୦ ଜଣ ଛାତ୍ରଛାତ୍ରୀ ଏମପିରେ ବୁକ ହୋଇଥିବା ଜଣାଯାଇଛି। ତେବେ ଗତବର୍ଷ ପରି ଏ ବର୍ଷ ମଧ୍ୟ ଜିଲ୍ଲାରେ ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାତ୍ରଙ୍କ ଠାରୁ ଅଧିକ ଛାତ୍ରୀଙ୍କ ସଂଖ୍ୟା ରହିଛି ।
ଚଳିତ ବର୍ଷ ଜିଲ୍ଲାରେ ଏ-୧ରେ ୨୬୭ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ଏ-୨ରେ ୧୬୯୬ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ବି-୧ରେ ୪୫୦୦ ଜଣ, ବି-୨ରେ ୬୭୦୨ ଜଣ, ସି'ରେ ୬୯୯୦ ଜଣ, ଡି'ରେ ୫୮୬୯ ଜଣ, ଇ'ରେ ୨୫୦୧ ଜଣ ପାସ କରିଛନ୍ତି। ତେବେ ଚଳିତବର୍ଷ ଜିଲ୍ଲାରେ ମୋଟ ୭୦୩ ଜଣ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି।
Balasore | Education | BSE Odisha