ଭାଲୁମୁଣ୍ଡା: ଦାବି ପରେ ଦାବି ହେଉଛି। ହେଲେ ବଲାଙ୍ଗୀରଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡାକୁ ଏନ୍‌ଏସି ମାନ୍ୟତା ମିଳିପାରୁ ନାହିଁ। ବଙ୍ଗୋମୁଣ୍ଡା ଗ୍ରାମପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ମାନ୍ୟତା ଦେବାପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରାଯାଇଛି। ଏବେ ବିଜେପି ସରକାର ଉପରେ ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା। ବର୍ତ୍ତମାନ ନୂତନ ଭାବେ ରାଜ୍ୟ ସରକାର ଘୋଷିତ ୧୨ ଗୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ତାଳିକାରେ ବଙ୍ଗୋମୁଣ୍ଡା ସ୍ଥାନ ପାଇଲା ନାହିଁ, ଯାହା ବଙ୍ଗୋମୁଣ୍ଡା ଓ ଗୋହିରାପଦର ଗ୍ରାମ ସମେତ ସମଗ୍ର ଅଞ୍ଚଳବାସୀଙ୍କୁ କ୍ଷୁବ୍ଧରେ ରହିଛନ୍ତି।

Advertisment

ବଙ୍ଗୋମୁଣ୍ଡା ଗ୍ରାମପଞ୍ଚାୟତର ଜନସଂଖ୍ୟା ୧୨ ହଜାରରୁ ଅଧିକ ଅଟେ, ଯାହା ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପାଇଁ ମାନଦଣ୍ଡ ପୁରଣ କରୁଛି। ଐତିହାସିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ବଙ୍ଗୋମୁଣ୍ଡା ଗଡ଼ଜାତ ସମୟର ଏକ ପ୍ରମୁଖ ଜମିଦାରୀ ଥିଲା। ସେହି ସମୟରୁ ବଙ୍ଗୋମୁଣ୍ଡା ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ରହି ଆସିଛି। ସେ ସମୟରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିଜୟନଗରମ (ବସ୍ତର ଅଞ୍ଚଳ), ଜୟପୁର, କଳାହାଣ୍ଡି ଆଦି ଇଷ୍ଟେଟ ସହ ସିଧା ସଲଖ ବ୍ୟବସାୟିକ ସମ୍ପର୍କ ରଖିଥିବା ନେଇ ଜଣାପଡ଼ିଛି।

ବଙ୍ଗୋମୁଣ୍ଡା ଗ୍ରାମରେ ଗଡ଼ଜାତ ଶାସନ ସମୟରେ ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଏବଂ ଗୋଟିଏ ଭର୍ଣ୍ଣାକୁଲାର ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଏହି ସହରରେ ନାରୀ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇ ୧୯୦୮ ମସିହାରେ ସ୍ଥାପିତ ବାଳିକା ବିଦ୍ୟାଳୟରୁ ଜଣାପଡ଼େ। ଭୌଗଳିକ ଦୃଷ୍ଟିକୋଣରୁ ବଙ୍ଗୋମୁଣ୍ଡା ଏପରି ଏକ କେନ୍ଦ୍ରସ୍ଥଳୀ ଯାହା ମଧ୍ୟଭାରତ ଏବଂ ଦକ୍ଷିଣ ଭାରତକୁ ପଶ୍ଚିମାଞ୍ଚଳ ସହ ସଂଯୋଗ କରିଥାଏ। ବର୍ତ୍ତମାନ ମଧ୍ୟ ବଙ୍ଗୋମୁଣ୍ଡା ଏପରି କେନ୍ଦ୍ରସ୍ଥଳୀ ଯାହା ପଶ୍ଚିମାଞ୍ଚଳର କଳାହାଣ୍ଡି, ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାକୁ ଗମନାଗମନରେ ସଂଯୋଗ କରିଥାଏ।

ବଲାଙ୍ଗୀର ଜିଲ୍ଲାର ତିନୋଟି ବ୍ଲକ ସମେତ ସୀମାନ୍ତ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଅନେକ ଅଞ୍ଚଳର ଜନସାଧାରଣ ଆବଶ୍ୟକତା ପୁରଣ ପାଇଁ ବଙ୍ଗୋମୁଣ୍ଡା ସହର ଉପରେ ନିର୍ଭର କରିଥାନ୍ତି। ବର୍ତ୍ତମାନ ବଙ୍ଗୋମୁଣ୍ଡା ଦେଇ ଜାତୀୟ ରାଜପଥ ନଂ ୫୯ ଏବଂ ରାଜ୍ୟ ରାଜପଥ ନଂ ୪୨ ସିଧାସଲଖ ସଂଯୋଗ କରୁଥିବାରୁ ଜନସାଧାରଣଙ୍କ ନିର୍ଭରତା ବଢ଼ିବା ସହିତ ଗମନାଗମନ ସରଳ ହୋଇପାରିଛି।

ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ମଧ୍ୟ ବଙ୍ଗୋମୁଣ୍ଡା ସହର ବେଶ ପ୍ରଗତୀ କରିଛି। ୯ ଗୋଟି ଅଙ୍ଗନୱାଡ଼ି କେନ୍ଦ୍ର, ଗୋଟିଏ ବାଲିକା ବିଦ୍ୟାଳୟ ସହ ଛଅଗୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି। ୩ ଗୋଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ବାଳକ ଓ ବାଲିକା ଦୁଇଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ଯୁକ୍ତ ଦୁଇରୁ ସ୍ନାତକ ପର୍ଯ୍ୟନ୍ତ କଳା, ବାଣିଜ୍ୟ ଓ ବିଜ୍ଞାନ ପାଠ୍ୟକ୍ରମ ଥିବା ମହାବିଦ୍ୟାଳୟ ରହିଛି। ଗୋଟିଏ ମହିଳା ମହାବିଦ୍ୟାଳୟ ମଧ୍ୟ ରହିଛି। ଚାରିଗୋଟି ଘରୋଇ ବିଦ୍ୟାଳୟ ରହିଛି। ଆଖପାଖ ଅଞ୍ଚଳର ଲୋକେ ଶିକ୍ଷା ସୁବିଧା ପାଇଁ ବଙ୍ଗୋମୁଣ୍ଡା ଉପରେ ନିର୍ଭର କରିଥାନ୍ତି। ସମସ୍ତ ସୁବିଧା କାରଣରୁ ଅନ୍ୟ ଅଞ୍ଚଳରୁ ଲୋକ ଆସି ବଙ୍ଗୋମୁଣ୍ଡାରେ ସ୍ଥାୟୀ ଭାବରେ ବସବାସ କରୁଛନ୍ତି। ଫଳରେ ଏହାସହ ଏକ କ୍ରମ ବର୍ଦ୍ଧିଷ୍ଣ ସହର ଭାବରେ ପରିଣତ ହେଉଛି।

କଣ୍ଟାବାଞ୍ଜି ରେଳଷ୍ଟେସନ ଏବଂ ଟିଟିଲାଗଡ଼ ରେଳ ଜଙ୍କସନ ଅନତି ଦୂରରେ ଥିବାରୁ ବଙ୍ଗୋମୁଣ୍ଡାକୁ ଲୋକେ ସ୍ଥାୟୀ ବସତି ଭାବେ ରହିବାକୁ ପ୍ରାଥମିକତା ଦେଇଥାନ୍ତି। ବଙ୍ଗୋମୁଣ୍ଡା ଏକ ପୁରୁଣା ପଞ୍ଚାୟତ ସମିତି ମୁଖ୍ୟାଳୟ ହୋଇଥିବା ସହ ବର୍ତ୍ତମାନ ତହସିଲ ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ରହିଥିବା ସତ୍ତ୍ୱେ ବଙ୍ଗୋମୁଣ୍ଡା ସହରର ପୂର୍ବ ମାନ୍ୟତା ଗ୍ରାମପଞ୍ଚାୟତ ଭାବରେ ଅପରିବର୍ତ୍ତିତ ରହିଛି। ବଙ୍ଗୋମୁଣ୍ଡା ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ, ସାଂସଦ, ବିଧାୟକଙ୍କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଦାବିପତ୍ର ଦେବାସହ ବଙ୍ଗୋମୁଣ୍ଡା ବନ୍ଦ ପାଳନ ଓ ଆମରଣ ଅନଶନ ମଧ୍ୟ ହୋଇଥିବା ଜଣାପଡ଼ିଛି। ତେବେ ଦେଖିବାକୁ ବାକି ରହିଲା ବଙ୍ଗୋମୁଣ୍ଡା ଗ୍ରାମପଞ୍ଚାୟତକୁ କେବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ମାନ୍ୟତା ମିଳୁଛି ତାହାହିଁ ଅପେକ୍ଷା। ଆଗାମୀ ଦିନରେ ଏନଏସି ମାନ୍ୟତା ନ ମିଳିଲେ  ବିକାଶ ଜୈନ, ବିନୋଦ ମେହେର, ନରସିଂହ ଥନାପତି, କେଶବ ନାରାୟଣ ଜୈନ, ଅଜିତ କୁମାର ଯୋଶୀଙ୍କ ସହ ଅନ୍ୟ ମାନେ ଚେତାବନୀ ଦେଇଛନ୍ତି।

Balangir