ଭେଡ଼େନ: ବରଗଡ଼ ଜିଲ୍ଲାରେ ଡକାୟତି ଆତଙ୍କ ଖେଳାଇଥିବା କୁଖ୍ୟାତ ଡକାୟତ ଦୁଷ୍ମନ୍ତ ମେହେର ସମେତ ୫ ଜଣିଆ ଡକାୟତ ଦଳକୁ ଗିରଫ କରିବାର ବଡ଼ ସଫଳତା ମିଳିଛି ଭେଡ଼େନ ପୁଲିସକୁ। ଅଭିଯୁକ୍ତମାନେ ହେଲେ ଭେଡ଼େନ ଥାନା ବାଞ୍ଜିପାଲି ଗ୍ରାମର ଦୁଷ୍ମନ୍ତ ମେହେର (୩୧), ବରଗଡ଼ ବ୍ଲକ୍ ରେଙ୍ଗାଲପାଲି ଗ୍ରାମର ବଳିଷ୍ଠ ସେଟ ଓରଫ ଗହଦୁ (୨୮), ଭୁବନ ଗଡ଼ତିଆ ଓରଫ ପିଣ୍ଟୁ (୩୭), ଜିତେନ୍ଦ୍ରୀୟ ବନଛୋର ଓରଫ୍ ଧନ (୩୦) ଓ ବରଗଡ଼ ବ୍ଲକ୍ ନୂଆ ସରସରାର ତୁଷାର ଭୋଇ (୨୫)। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏମାନେ ଭେଡ଼େନ ଥାନା ଅନ୍ତର୍ଗତ ଭେଡ଼େନ, ଦେଶପଥର୍ଲା ଓ ପପଙ୍ଗା ଏବଂ ବରପାଲିରେ ବ୍ୟାଙ୍କ ଡକାୟତି ଘଟଣାରେ ସଂପୃକ୍ତ ଥିବା ପୁଲିସ ପ୍ରକାଶ କରିଛି।
ପୁଲିସର ସୂଚନା ଅନୁଯାୟୀ, ଭେଡ଼େନ-କୁଦପାଲି ରାସ୍ତାର ତାଳବୁରେଇ ବୁଲାଣି ଠାରେ ଗତ ଏପ୍ରିଲ ୧୦ ରାତିରେ ବୃଦ୍ଧ ଦମ୍ପତି ଅନ୍ତର୍ଯ୍ୟାମୀ ମେହେର (୭୦) ଓ ତପସ୍ବିନୀ ମେହେର (୬୦)ଙ୍କ ଘରକୁ ଘରଭଡ଼ା ବାହାନାରେ ଯାଇ ସେମାନଙ୍କୁ ବାନ୍ଧି ଟଙ୍କା ଓ ସୁନା ଅଳଙ୍କାର ଲୁଟ୍ ଘଟଣାରେ ଅଭିଯୁକ୍ତ ୫ ଜଣଙ୍କ ସଂପୃକ୍ତି ରହିଥିଲା। ସେମାନେ ଆଲମିରା ଭାଙ୍ଗି ନଗଦ ୪୦ ହଜାର ଟଙ୍କା, ୨୫ ଗ୍ରାମ ସୁନା ଅଳଙ୍କାର, ୨ଟି ମୋବାଇଲ ସମେତ ଅନେକ ସାମଗ୍ରୀ ଚୋରି କରି ଫେରାର ମାରିଥିଲେ। ପୁଣି ଏପ୍ରିଲ ୨୩ ତାରିଖ ରାତିରେ ଋଷୁଡ଼ା ଫାଣ୍ଡି ଅନ୍ତର୍ଗତ ଦେଶପଥର୍ଲା ଗ୍ରାମରେ ହୋଇଥିବା ଡକାୟତି କରିଥିଲେ। ସେମାନେ ଗୀତାଞ୍ଜଳି ସିଂଙ୍କ ଘରକୁ ପଶି ପରିବାର ଲୋକଙ୍କୁ ଭୟଭୀତ କରି ୫ ହଜାର ଟଙ୍କା ଓ କିଛି ସୁନାର ଅଳଙ୍କାର ଚୋରି କରିଥିଲେ। ଉଭୟ ଡକାୟତି ଘଟଣାରେ ଅଭିଯୁକ୍ତ ୫ ଜଣଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି।
ଏହା ବ୍ୟତୀତ ଭେଡ଼େନ ଥାନା ପପଙ୍ଗାରେ ହୋଇଥିବା ଡକାୟତି ଘଟଣାରେ ସେମାନଙ୍କ ମଧ୍ୟରୁ ଦୁଇ ଜଣ ଏବଂ ବରପାଲି ବ୍ୟାଙ୍କ ଡକାୟତି ମାମଲାରେ ଜଣେ ଜେଲ୍ ଯାତ୍ରା କରି ଫେରିଥିବା ପ୍ରକାଶ। ଜେଲରେ ଥିବା ସମୟରେ ବରପାଲି ବ୍ୟାଙ୍କ ଚୋରି ଘଟଣାର ଅଭିଯୁକ୍ତ ଭୁବନ ଗଡ଼ତିଆ (ପିଣ୍ଟୁ ) ସହ ପପଙ୍ଗା ଡକାୟତି ଘଟଣାରେ ଅଭିଯୁକ୍ତଙ୍କ ମଧ୍ୟରେ ବନ୍ଧୁତା ହୋଇ ସେଠାରେ ସେମାନେ ସଂଘବଦ୍ଧ ଡକାୟତି ଯୋଜନାର ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଜେଲରୁ ଉଭୟ ବାହାରିବା ପରେ ପିଣ୍ଟୁ ତାର ଥିବା ଢ଼ାବା ଚଳାଇଥିଲା।
ତୁଷାର ଓ ଜିତେନ୍ଦ୍ରୀୟ ଢାବାକୁ ଖାଇବାକୁ ନିୟମିତ ଆସିବା ଭିତରେ ବନ୍ଧୁତା ସ୍ଥାପନ ହୋଇ ଏହି ଡକାୟତ ଦଳ ୪କୁ ବୃଦ୍ଧି ପାଇଥିଲା। ସେହି ଢାବାର କର୍ମଚାରୀ ବଳିଷ୍ଠ ମଧ୍ୟ ଏମାନଙ୍କ ସହ ମିଶି ୫ ଜଣିଆ ଡକାୟତ ଦଳ ଭେଡ଼େନ ଥାନା ତାଳବୁରେଇ ଡକାୟତି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ। ସେଠାରୁ ଲୁଟିଥିବା ୪୦ ହଜାର ଟଙ୍କା ଓ ସୁନାଗହଣା ମଧ୍ୟରୁ ଟଙ୍କାକୁ ୮ ହଜାର ଲେଖାଏଁ ଭାଗ କରି ଦୁଷ୍ମନ୍ତ ସମସ୍ତ ସୁନାକୁ ରଖି ପିଣ୍ଟୁକୁ ଗୋଟିଏ ହାର ଦେଇ ତୁ ତାକୁ ବିକ୍ରି କରିବୁ ଓ ମୁଁ ରଖିଥିବା ସୁନାକୁ ବିକ୍ରି କଲା ପରେ ପୁଣି ସବୁ ଟଙ୍କା ଭାଗ ହେବ ବୋଲି କଥା ଛିଣ୍ଡିଥିଲା। ପରେ ଉକ୍ତ ସୁନା ସବୁ ବରଗଡ଼ର ବାଜାଜ ଫାଇନାନ୍ସ ଓ ମନପୁରମରେ ଦେଇ ଟଙ୍କା ଆଣି ସମସ୍ତେ ଭାଗ କରିଥିଲେ। ଦେଶପଥର୍ଲା ଡକାୟତି ଘଟଣାରେ ମଧ୍ୟ ଏହି ପାଞ୍ଚ ଜଣଙ୍କ ସଂପୃକ୍ତି ଥିବା ପୁଲିସଠାରେ ସେମାନେ ସ୍ବୀକାର କରିଛନ୍ତି। ପୁଲିସ ସେମାନଙ୍କଠାରୁ ୨ଟି ବାଇକ (ଓଡ଼ି ୧୭ଜି ୬୮୩୨ ଓ ଓଡ଼ି୧୭ଆର୯୮୧୪), ନଗଦ ୪୦ ହଜାର ଟଙ୍କା, ୪ଟି ମୋବାଇଲ, ସୁନାର ଏକ ହାର, ଗୋଟିଏ ଚକୁ ଜବତ କରିଛି।
Bargarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/30/bhedan-2025-07-30-21-58-14.jpg)