ବୈଶିଙ୍ଗା: ସରକାରୀ କାମର ତଦାରଖ ପାଇଁ ଫିଲ୍ଡକୁ ଗଲେ। ଶ୍ରମିକଙ୍କୁ ଉତ୍ସାହିତ କରିବା ପାଇଁ କୋଦାଳ ଧରି ମାଟି ଖୋଲିଲେ ଓ ମାଟି ଭାର ବୋହିଲେ। ମନରେଗା ଯୋଜନାରେ ହେଉଥିବା ପୋଖରୀ ଖନନ କାମରେ କୋଦାଳରେ ମାଟି ଖୋଲିବା ସହିତ ଭାରରେ ମାଟି ବୋହିଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକର ବିଡ଼ିଓ ସୁଶାନ୍ତ କୁମାର ସୁତାର। କେବଳ ବିଡ଼ିଓ ନୁହେଁ ସାଙ୍ଗରେ ଥିବା ଅନ୍ୟ କର୍ମଚାରୀମାନେ ମଧ୍ୟ ମାଟି ଭାର ବୋହି ଶ୍ରମିକଙ୍କୁ ଉତ୍ସାହିତ କରିଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ମହିଷାଶୋଳ ପଞ୍ଚାୟତର ହେମପୁର ଗ୍ରାମରେl
ବେତନଟୀ ବ୍ଲକ ଅଞ୍ଚଳରେ ଦାଦନ ଶ୍ରମିକ ଚାଲାଣକୁ ବନ୍ଦ କରିବା ପାଇଁ ଅଣ୍ଟା ଭିଡ଼ିଥିବା ଖୋଦ୍ ବିଡ଼ିଓ ସୁଶାନ୍ତ ସୁତାର ଗତ ଜାନୁଆରି ମାସରେ ଉକ୍ତ ବ୍ଲକରେ ଯୋଗଦାନ ପର ଠାରୁ ବିଭିନ୍ନ ସମୟରେ ଶ୍ରମିକଙ୍କୁ ଉତ୍ସାହିତ କରିବା ନେଇ ଚର୍ଚ୍ଚାକୁ ଆସୁଛନ୍ତି। ପୂର୍ବରୁ ମାଟି ଖୋଳିଥିଲେ, ଏବେ ଭାର ବୋହି ଚର୍ଚ୍ଚାକୁ ଆସିଛନ୍ତି।
ହେମପୁରସ୍ଥିତ ଏକ ନୂଆ ପୋଖରୀରେ ଶ୍ରମିକମାନେ ମାଟି ଖନନ କରି ମୁଣ୍ଡରେ ବୋହୁଥିବା ବେଳେ ସେଠାରେ ବିଡ଼ିଓ ଶ୍ରୀ ସୁତାରଙ୍କ ସହିତ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସୌମ୍ୟଶ୍ରୀ ଭୋଇ, କନିଷ୍ଠ ଯନ୍ତ୍ରୀ ଝିଲନ ଲେଙ୍କା, ସ୍ଥାନୀୟ ଏଡିଓ ଓ ପିଇଓଙ୍କ ସମେତ ଏକାଧିକ କର୍ମଚାରୀ ପହଂଚିଥିଲେ।l ପରେ ଶ୍ରମିକମାନେ କିଭଳି ପରିଶ୍ରମ କରୁଛନ୍ତି ତାକୁ ପରଖିବା ପାଇଁ କୋଦାଳରେ ମାଟି ଖୋଲିଥିଲେ ବିଡ଼ିଓ ଓ ଭାରକୁ ବୋହି ଉଠାଇ ପୋଖରୀରୁ ଉପରକୁ ଟେକି ନେଇଥିଲେl
ବିଡ଼ିଓ ଶ୍ରୀ ସୁତାର ଶ୍ରମିକମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ମାଟି ଖୋଳିବା, ମାଟି ବୋହିବା ଶ୍ରମିକ ମାନଙ୍କ ମନରେ ନୂତନ ଆତ୍ମପ୍ରତ୍ୟୟ ଯୋଗାଇ ଦେଇଛି। ସେମାନେ ଦୟନୀୟ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନଯାଇ ନିଜ ଗାଁରେ ପରିବାର ସହିତ ରହି ଶ୍ରମଦାନ କରି ସ୍ୱାଭିମାନ ସହିତ ବଞ୍ଚିବା ପାଇଁ ସାହସ ଜୁଟାଇ ପାରୁଛନ୍ତିl
Mayurbhanj