ରାଉରକେଲାମ: ପୁରୁଷ ହକି ଇଣ୍ଡିଆ ଲିଗ୍‌ର ପୁଲ୍‌ ପର୍ଯ୍ୟାୟ ମ୍ୟାଚ୍‌ ଶେଷ ହେବାସହ ସେମିଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଯାଇଛି। ପଏଣ୍ଟ ତାଲିକାର ଶୀର୍ଷ ୪ଟି ସ୍ଥାନରେ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ, ସୁର୍‌ମା ହକି କ୍ଲବ, ହାଇଦ୍ରାବାଦ ତୁଫାନ୍ସ ଓ ତାମିଲନାଡ଼ୁ ଡ୍ରାଗନ୍ସ ରହି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଶୁକ୍ରବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ବେଙ୍ଗଲ ଟାଇଗର୍ସ ଓ ତାମିଲନାଡ଼ଉ ଡ୍ରାଗନ୍ସ ଏବଂ ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ ସୁର୍‌ମା ହକି କ୍ଲବ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ଖେଳାଯିବ।
Advertisment
ମଙ୍ଗଳବାର ଶେଷ ପୁଲ୍‌ ମ୍ୟାଚ୍‌ରେ ହାଇଦ୍ରାବାଦ ତୁଫାନ୍ସ ୧-୩ ଗୋଲ୍‌ରେ ଟିମ୍‌ ଗୋନାସିକାଠାରୁ ପରାଜୟ ଭୋଗିବାସତ୍ତ୍ବେ ୧୮ ପଏଣ୍ଟ୍‌ ସହ ପ୍ରଥମ ଦଳଭାବେ ସେମି ଫାଇନାଲ ସ୍ଥାନ ସୁରକ୍ଷିତ କରିଥିଲା। ବୁଧବାର ଦୁଇଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ସୁର୍‌ମା ହକି କ୍ଲବ ଓ ବେଙ୍ଗଲ ଟାଇଗର୍ସ ମୁହାଁମୁହିଁ ହୋଇଥିଲେ। ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ତେବେ ସୁଟ୍‌ଆଉଟ୍‌ରେ ସୁର୍‌ମା ୩-୦ ଗୋଲ୍‌ରେ ବିଜୟୀ ହୋଇ ୧୯ ପଏଣ୍ଟ୍‌ ସହ ସେମିଫାଇନାଲ ପ୍ରବେଶ କରିଛି। ଆଜିର ପରାଜୟ ସତ୍ତ୍ବେ ବେଙ୍ଗଲ ଟାଇଗର୍ସ ୧୯ ପଏଣ୍ଟ୍‌ ପାଇ ସେମି ସ୍ଥାନ ସୁରକ୍ଷିତ କରିଥିଲା। ତେବେ ସେମିଫାଇନାଲ ସୂଚୀର ଚତୁର୍ଥ ସ୍ଥାନ ପାଇଁ ତାମିଲନାଡ଼ୁ ଡ୍ରାଗନ୍ସ ଓ ୟୁପି ରୁଦ୍ରସ୍‌ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଶୈଳୀ ଆପଣେଇଥିଲେ।
ତେବେ ପ୍ରଥମ କ୍ବାର୍ଟର୍‌ରେ ଏହାର ଫଳ ୟୁପି ରୁଦ୍ରସକୁ ମିଳିଥିଲା। ୮ମ ମିନିଟ୍‌ରେ ଓଡ଼ିଆ ତାରକା ସୁଦୀପ ଚିରମାକୋ ଓ ୧୫ତମ ମିନିଟ୍‌ରେ ଲଳିତ କୁମାର ଉପାଧ୍ୟାୟ ଗୋଟିଏ ଲେଖାଏ ଗୋଲ୍‌ଦେଇ ରୁଦ୍ରସ୍‌କୁ ୨-୦ ଗୋଲରେ ଆଗୁଆ କରିଥି‌େଲ। ଉଭୟ ଦଳର ଏକାଧିକ ପ୍ରୟା‌ସ ସତ୍ତ୍ବେ ଦ୍ବିତୀୟ କ୍ବାର୍ଟର ଗୋଲ୍‌ଶୂନ୍ୟ ରହିଥିଲା। ତୃତୀୟ କ୍ବାର୍ଟର ଆରମ୍ଭ ହେବାର ଦୁଇ ମିନିଟ୍‌ପରେ ଡ୍ରାଗନ୍ସର ଜିପ୍‌ ଜାନସେନ୍‌ ଏକ ଗୋଲ୍‌ଦେଇ ବ୍ୟବଧାନକୁ ୧-୨ ଗୋଲକୁ ଆଣିଥିଲେ। ଶେଷ କ୍ବାର୍ଟରରେ ଡ୍ରାଗନ୍ସ ଆକ୍ରମଣକୁ ଶାଣିତ କରିଥିଲେ, ଯଦ୍ବାରା ଦଳକୁ ୫୩ତମ ମିନିଟ୍‌ରେ ଲାଗ୍‌ଲାଗ୍‌ ଦୁଇଟି ପେନାଲ୍‌ଟି କର୍ଣ୍ଣର ସୁଯୋଗ ମିଳିଥିଲା।
publive-image

ପ୍ରଥମ ସୁଯୋଗକୁ ହାତଛଡ଼ା କରିଥିଲେ ମଧ୍ୟ ଦ୍ବିତୀୟ ସୁଯୋଗକୁ ଥୋମାସ ସୋର୍ସ‌୍ବି ଗୋଲ୍‌ରେ ପରିଣତକରି ସ୍କୋର୍‌କୁ ୨-୨ ଗୋଲ୍‌ରେ ବରାବର କରିଥିଲେ, ଯାହାକି ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିବାରୁ ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ କିନ୍ତୁ ୟୁପି ରୁଦ୍ରସ ୩-୨ ଗୋଲ୍‌ରେ ବାଜି ମାରିନେଇଥିଲା। ପରାଜୟ ସତ୍ତ୍ବେ ଡ୍ରାଗନ୍ସ ୧୮ ପଏଣ୍ଟ୍‌ ସହ ସେମିଫାଇନାଲ ପ୍ରବେଶ କରିଛି।