ବେଙ୍ଗାଲୁରୁ: ଉତ୍ତର ବେଙ୍ଗାଲୁରୁର ସହକାରନଗରସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ଏବଂ ନୀଳାଦ୍ରି ବିଜେ ଆଦି ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଶ୍ରୀ ଜଗନ୍ନାଥ ସେବା ଟ୍ରଷ୍ଟ ତରଫରୁ ଆୟୋଜିତ ଏହି ମହାପାର୍ବଣ ଉପଲକ୍ଷେ ମନ୍ଦିରକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖା ଯାଇଥିଲା। ରଥଯାତ୍ରା ଦିନ ସକାଳେ ଏଠାରେ ମୁଖ୍ୟ ପୂଜାରୀ ରଞ୍ଜନ ପଣ୍ଡାଙ୍କର ତତ୍ତ୍ଵାବଧାନରେ ସକାଳୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ରୀତିନୀତି ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା।
ଚଳିତବର୍ଷର ଘୋଷଯାତ୍ରାରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତଗଣଙ୍କର ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଅପରାହ୍ନରେ ଦିଅଁମାନଙ୍କୁ ଧାଡ଼ି ପହଣ୍ଡି କରାଯାଇ ସୁନ୍ଦର, ସୁଶୋଭିତ ଏବଂ ବିଭିନ୍ନ ରଙ୍ଗବେରଙ୍ଗର କପଡ଼ା ତଥା ପିପିଲି ଚାନ୍ଦୁଆରେ ସୁସଜ୍ଜିତ ୨୫ ଫୁଟ ଉଚ୍ଚତା ବିଶିଷ୍ଟ ରଥ ଉପରକୁ ନିଆଯାଇଥିଲା। ଏଠାରେ ରାଜା ଭାବରେ ନାମିତ ହୋଇଥିବା ରାଜୁ ଆନ୍ନା ଛେରା ପହଁରା କାର୍ଯ୍ୟ କରିଥିଲେ। ଏହାପରେ ବହୁ ଆକାଂକ୍ଷିତ ଏବଂ ଦୀର୍ଘ ପ୍ରତୀକ୍ଷିତ ରଥଟଣା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସଂଗଠକ ଓ ଦର୍ଶକମାନଙ୍କର ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ଵନି ଏବଂ ଶଙ୍ଖ, ଘଣ୍ଟ, କରତାଳ, ମର୍ଦ୍ଦଳ, ଝାଞ୍ଜ ଓ ମୃଦଙ୍ଗ ବାଜଣାର ଗହଗହ ନାଦ ତଥା ଭଜନ, କୀର୍ତ୍ତନ ର ମୃଦ୍ୟୁମନ୍ଦ ଝଙ୍କାର ମଧ୍ୟରେ ରଥଟିକୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଟଣାଯାଇ ପୁଣି ମନ୍ଦିର ସାମ୍ନାକୁ ଫେରାଇ ଅଣାଯାଇଥିଲା। ଚଳିତବର୍ଷର ରଥଯାତ୍ରାକୁ କେନ୍ଦ୍ର କରି ଉପସ୍ଥିତ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଅପୂର୍ବ ଉଲ୍ଲାସ, ଅଜସ୍ର ଉତ୍ସାହ, ଅସୀମ ଉନ୍ମାଦନା ଓ ଅଫୁରନ୍ତ ଉଦ୍ଦୀପନା ପରିଲ୍ଲକ୍ଷିତ କରାଯାଇଥିଲା। ବେଙ୍ଗାଳୁରୁର ରାଜରାସ୍ତାରେ ରାଜକୀୟ ଠାଣିରେ ରଥାରୂଢ଼ ଜଗତର ନାଥ ଜଗନ୍ନାଥଙ୍କର ଯାତ୍ରା ଏବଂ ଭକ୍ତ ଓ ଭଗବାନଙ୍କର ମହା ମିଳନର ଦୃଶ୍ୟ ବେଶ୍ ମର୍ମସ୍ପର୍ଶୀ ଓ ଅବିସ୍ମରଣୀୟ ଥିଲା।
ରଥଟି ମନ୍ଦିର ପରିସରକୁ ଫେରିବା ପରେ ଛଅ ତାରିଖରେ ଠାକୁର ମାନଙ୍କୁ ପୁରୀ ମନ୍ଦିର ଶୈଳୀରେ ସୁନାବେଶ କରାଯାଇଥିଲା। ସାତ ତାରିଖରେ ଅଧରପଣା ଅର୍ପଣ କରାଯାଇଥିଲା। ଗତକାଲି ଏଠାରେ ନୀଳାଦ୍ରୀ ବିଜେ ଉତ୍ସବ ଭକ୍ତିପୂତ ପରିବେଶ ମଧ୍ୟରେ ପାଳନ କରାଯାଇଥିଲା। ଠାକୁର ମାନଙ୍କୁ ସାହି ରୋଷଣୀ କରି ଗର୍ଭଗୃହ ଭିତରକୁ ନିଆଯାଇ ରତ୍ନସିଂହାସନରେ ଆସୀନ କରାଯାଇଥିଲା। ସନ୍ଧ୍ୟାରେ ଆଳତି ଅନୁଷ୍ଠିତ ହୋଇଥିଲା।
ଦୀର୍ଘ ବାର ଦିନର ରଥଯାତ୍ରା ପର୍ବକୁ ସକ୍ଷମତାର ସହିତ ଆୟୋଜନ ଏବଂ ସଫଳତା ସହିତ ସମାପନ କରାଯିବାରେ ମନ୍ଦିର ପରିଚାଳନା କମିଟି ଶ୍ରୀ ଜଗନ୍ନାଥ ସେବା ଟ୍ରଷ୍ଟର ସୁଦକ୍ଷ ସଂଗଠକ ବୃନ୍ଦ ଯଥା -: ସଂସ୍ଥାପକ ସଦସ୍ୟ ନୀଳମଣି ବେହୁରା, ସଭାପତି ବିଷ୍ଣୁ ଚରଣ ରାଉତ, ସମ୍ପାଦକ ଜିତେନ୍ଦ୍ର ରାଉତ, ପରିଚାଳନା ଟ୍ରଷ୍ଟି ବବୃବାହନ ବିଶ୍ୱାଳ, ସଞ୍ଜୟ କୁମାର ରାଉତ ତଥା ସଦସ୍ୟଗଣ ପ୍ରତାପ କୁମାର ପଣ୍ଡା,ସୁବ୍ରତ କୁମାର ସାହୁ, ନିରଦ କୁମାର ସ୍ୱାଇଁ, କାର୍ତ୍ତିକ ଚନ୍ଦ୍ର ନାୟକ, ସୁନୀଲ ପାଢ଼ୀ, ରାଜେଶ ମହାରଣା, ଶଙ୍କରଜିତ ପଟ୍ଟନାୟକ, ଚିନ୍ମୟ କୁମାର ଜେନା, ରୁପେଶ ମହାରଣା, ସିଦ୍ଧାର୍ଥ ସାମନ୍ତରାୟ, ସମୀର ସାମନ୍ତରାୟ, ବିଶ୍ୱଜିତ ମିଶ୍ର, ପ୍ରଜ୍ଞା ମହାନ୍ତି, ନବୀନ କିଶୋର ନାହାକ,ସତ୍ୟ ରଞ୍ଜନ ପଟ୍ଟନାୟକ, ପ୍ରିୟବ୍ରତ ସାମଲ ଏବଂ ମାନସ ରଞ୍ଜନ ସାହୁ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା
।rath yatra
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/09/69b77fab-8be5-4117-82f6-d31824a30b33-2025-07-09-17-01-48.jpeg)