ଉଷାପାନ କଥା ଅନେକେ ଜାଣିଥିବେ। ଉଷା କାହାକୁ କହନ୍ତି? ପକ୍ଷୀ ଡାକେ ନ ଛାଡେ ବସା, ବୋଲେ ଖନା ସେଇ ତ ଉଷା। ବ୍ରାହ୍ମମୁହୂର୍ତ୍ତରୁ ଶଯ୍ୟାତ୍ୟାଗ କରି ୪୫ ମିନିଟ୍ରୁ ଏକଘଣ୍ଟା ପର୍ଯ୍ୟନ୍ତ ନାମଧ୍ୟାନ କରିବା ଓ ଇଷ୍ଟାର୍ଘ୍ୟ ଅର୍ପଣ କରିବା ପରେ ସୂର୍ଯ୍ୟୋଦୟ ପୂର୍ବରୁ ଯେଉଁ ଜଳ ପ୍ରଥମେ ପାନ କରାଯାଏ, ତାହା ହେଉଛି ଉଷାପାନ। ରାତିରେ ତମ୍ବାପାତ୍ରରେ ପାଣି ଘୋଡେଇ ରଖିଦେବେ। ଶୋଇବା ପୂର୍ବରୁ ଦାନ୍ତ ଘଷି ପାଟି ସଫା କରି ଶୋଇବେ। ଉଷା ସମୟରେ ବା ନିଦ୍ରାତ୍ୟାଗ ପରେ ପରେ ତାହା ଅଘଷାପାଟିରେ ପିଇବେ। ଏହାକୁ ଉଷାପାନ କୁହାଯାଏ।
ଅନେକେ ପ୍ରଶ୍ନ କରିପାରନ୍ତି, ସକାଳେ ଉଠି ପାଣି ପିଇବା ଭଲ, କିନ୍ତୁ ତମ୍ବାପାତ୍ରରେ କାହିଁକି ଏବଂ ଅଦାନ୍ତଘଷା କାହିଁକି? ତମ୍ବା ଏକ ଧାତୁସାର। ଏହା ମୁଖ୍ୟତଃ ଆମ ଯକୃତ, ମସ୍ତିଷ୍କ, ହୃତ୍ପିଣ୍ଡ, ବୃକ୍କ ଓ ମେରୁଦଣ୍ଡୀୟ ମାଂସପେଶୀରେ ଥାଏ। ଏହାର ଅଭାବରେ ଉପରୋକ୍ତ ଅଙ୍ଗରେ ସମସ୍ୟା ଦେଖାଦେଇପାରେ। ଏହା ଆମ ଶରୀରରେ ଲୌହସାରର ଅବଶୋଷଣରେ ମୁଖ୍ୟ ଭୂମିକା ଗ୍ରହଣ କରେ। ତେଣୁ ତମ୍ବାପାତ୍ରରେ ପାଣି ପିଇଲେ ତମ୍ବାର କିଛି ସୂକ୍ଷ୍ମ କଣିକା ଆମ ଶରୀରକୁ ଯାଇପାରେ।
ଦାନ୍ତ ନ ଘଷି ବା କୁଳୁକୁଚା ନ କରି ଉଷାପାନ କରିବାର ତାତ୍ପର୍ଯ୍ୟ ହେଉଛି, ଦାନ୍ତ ଘଷିବା ପୂର୍ବରୁ ପାଟିରେ ଅନେକ ଲାଳ ଥାଏ। ଏହି ଲାଳ ଅତ୍ୟନ୍ତ କ୍ଷାରୀୟ। ତେଣୁ ସକାଳେ ପ୍ରଥମେ ପାଣି ପିଇବା ପୂର୍ବରୁ ଦାନ୍ତଘଷି ଓ କୁଳୁକୁଚା କରି ଏହି ଅତି ଉପକାରୀ ଓ ମୂଲ୍ୟବାନ୍ ପଦାର୍ଥକୁ ଫୋପାଡ଼ି ଦେବା ଅନୁଚିତ। ଏହି ଲାଳ ପାଣି ସହ ଆମ ପେଟ ଭିତରକୁ ଗଲେ ଅମ୍ଳତା ହ୍ରାସ କରିବା, ହଜମ ହୋଇ ନ ଥିବା ବଳକା ଖାଦ୍ୟ ହଜମ କରିବା ସହ ପାଇଖାନା ସଫା କରିବାରେ ମଧ୍ୟ ସାହାଯ୍ୟ କରେ।
ଅନେକେ ପ୍ରଶ୍ନ କରି ପାରନ୍ତି, ଦାନ୍ତ ନ ଘଷିଲେ ଆମ ପାଟି ଗନ୍ଧାଏ। କାରଣ ଦାନ୍ତରେ ଲାଗିଥିବା ରାତିଖାଦ୍ୟର କିଛି କଣିକା ପଚି ଜୀବାଣୁ ସୃଷ୍ଟି ହୋଇଥାନ୍ତି। ତେଣୁ ଆମେ ଅଦାନ୍ତଘଷା ପାଣି ପିଇଲେ ସେହି ଜୀବାଣୁ ଆମ ପେଟ ଭିତରକୁ ଯାଇପାରନ୍ତି। ତାହା ଠିକ୍। ସେଥିପାଇଁ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଭଲକରି ସଫା କରି ଶୋଇବାକୁ ପରାମର୍ଶ ଦିଆଯାଏ। ତା’ ଛଡ଼ା ଏ ଜୀବାଣୁଙ୍କ ସଂଖ୍ୟା ଏତେ କମ୍ ଯେ ଆମ ଭିତରେ ଥିବା ଉପକାରୀ ବୀଜାଣୁ ସେମାନଙ୍କୁ ସହଜରେ ମାରିଦେଇ ପାରନ୍ତି। ପୁଣି ଭବିଷ୍ୟତରେ ଶତ୍ରୁ ଆସିବାର ଆଶଙ୍କା କରି ଉପକାରୀ ଜୀବାଣୁମାନେ ନିଜର ବଂଶବୃଦ୍ଧି ଅର୍ଥାତ୍ ଶକ୍ତିବୃଦ୍ଧି କରିଚାଲନ୍ତି। ଫଳରେ ଆମର ରୋଗନିରୋଧକ କ୍ଷମତା ବୃଦ୍ଧି ପାଏ। ସକାଳେ ଖାଲି ପେଟରେ ଅଧିକ ପାଣି ପିଇବା ଦ୍ବାରା ଦେହରେ ଜମା ହୋଇ ରହିଥିବା ଟକ୍ସିନ୍ ପରିସ୍ରା ବାଟେ ବାହାରିଯାଇ ଆମ ଦେହକୁ ଫୂର୍ତ୍ତି ଯୋଗାଏ। ଅମ୍ଳତ୍ବର ଡାଇଲ୍ୟୁସନ ହୁଏ। ହଜମ ହୋଇ ନ ଥିବା ଅବଶିଷ୍ଟ ଖାଦ୍ୟ ବି ହଜମ ହୋଇ ପାଇଖାନା ସଫା କରିବାରେ ସାହାଯ୍ୟ କରେ।