ମଦୁଆମାନେ ପାନ କହିଲେ ମଦ୍ୟପାନକୁ ହିଁ ବୁଝନ୍ତି। ଥଣ୍ଡା ପାନୀୟକୁ ଭଲ ପାଉଥିବା ଲୋକମାନେ କ୍ୱଚିତ୍ ଏହାକୁ ମୃଦୁ ପାନୀୟ (ସଫ୍ଟ ଡ୍ରିଙ୍କ) ବୋଲି ବୁଝିଥାନ୍ତି, ଯାହା ମଦ୍ୟ ପରି ହାର୍ଡ ଡ୍ରିଙ୍କର ବିପରୀତ। କିନ୍ତୁ ଦୁଗ୍ଧପାନ କଥା ପଚାରେ କିଏ? ଆଜିକାଲି ତ ଭଲ ଅପେକ୍ଷା ଭେଲର ଆଦର ବେଶୀ। ଗଉଡ଼ୁଣୀ ଗଳି ଗଳି ବୁଲି କ୍ଷୀର ବିକ୍ରି କରେ, କିନ୍ତୁ ମଦ ବିକ୍ରି ହେଉଥିବା ସ୍ଥାନରେ ମଦ୍ୟପମାନେ ଖୋଜି ଖୋଜି ଆସି ପହଞ୍ଚନ୍ତି- ‘‘ସଚ୍ଚା ବୋଲେ ତୋ ମାରେ ଲାଠି ଝୁଠା ଦୁନିଆ ଭୁଲାୟ। ଗୋରସ ଗଲୀ ଗଲୀ ଫିରୈ ମଦିରା ବୈଠ ବିକାୟ।। (କବୀର)।
ଆଜିକାଲି କ୍ଷୀର ବି ଭେଜାଲ ହେଲାଣି। ତେଣୁ ବଜାରରେ ମିଳୁଥିବା ତାଜା ଫଳରସ ପିଅନ୍ତୁ, ନ ହେଲେ ଆଖୁରସ ବା ପଇଡ଼ ପାଣି ପିଅନ୍ତୁ। ତାହା ସବୁଠାରୁ ନିରାପଦ। ପଇଡ଼ପାଣିର ବିକଳ୍ପ ନାହିଁ, ଯେଉଁଥିରେ ପୋଟାସିୟମ୍, ସୋଡିୟମ୍, ମ୍ୟାଗ୍ନେସିୟମ୍, ଭିଟାମିନ୍ ସି ଓ ଅନ୍ୟାନ୍ୟ ପୋଷକତତ୍ତ୍ବ ଥାଏ। ଦାମ୍ ଦୃଷ୍ଟିରୁ ବି ଏହା ଶସ୍ତା କାରଣ ଏକ ଲିଟର ମୃଦୁ ପାନୀୟର ଦାମ୍ ୫୦ରୁ ୭୦ ଟଙ୍କା ହୋଇଥିବା ବେଳେ ଗୋଟିଏ ପଇଡ଼ର ଦାମ୍ ୨୫ରୁ ୩୫ ଟଙ୍କା। ତୃଷା ନିବାରଣ ପାଇଁ ପଇଡ଼ର ପାଣି ପିଇବା ସହ କ୍ଷୁଧା ନିବାରଣ ପାଇଁ ତା’ର ନାଳି ବି ଖାଇପାରିବେ।
ଆମେ ଏଠାରେ ମୃଦୁପାନୀୟ ଉପରେ ଚର୍ଚ୍ଚା କରିବାକୁ ଯାଉଛୁ, ଯାହାକୁ ବାବା ରାମଦେବ ‘ଟୟଲେଟ୍ କ୍ଳିନର’ ବୋଲି ସମ୍ବୋଧନ କରନ୍ତି। ବାବାଙ୍କ ଉପହାସ ବି ଯଥାର୍ଥ କାରଣ ସମସ୍ତ ମୃଦୁ ପାନୀୟରେ ମାତ୍ରାଧିକ ଏସିଡ୍ ଥାଏ। ଆପଣ ଗୋଟିଏ ବୋତଲ ମୃଦୁ ପାନୀୟ ନେଇ ଅପରିଷ୍କାର ପାଇଖାନାରେ ଢାଳିଦିଅନ୍ତୁ ଓ ପାଞ୍ଚମିନିଟ୍ ପରେ ବ୍ରସ୍ ମାରି ପାଣି ଢାଳିଦିଅନ୍ତୁ। ଦେଖିବେ ପାଇଖାନା ପୂରା ଚିକ୍ଚିକ୍ ହୋଇଯାଇଛି। ତେଣୁ ଏ ଧରଣର ପାନୀୟ ଯଦି ଆପଣ ନିୟମିତ ପାନ କରନ୍ତି, ତେବେ ଆପଣଙ୍କ ଶରୀର ଏସିଡିକ୍ ହୋଇଯିବ। ଶରୀରର ରକ୍ତର ଧର୍ମ ହେଲା ତାହା ଈଷତ୍ କ୍ଷାରୀୟ ବା ଅତି କମ୍ରେ ନିରପେକ୍ଷ ରହିବାକୁ ଚାହେ। ଏସିଡ୍ ବା ଅମ୍ଳ ଅଧିକ ହେଲେ ତାହା ଆମ ଦାନ୍ତ ଓ ହାଡ଼ରୁ କ୍ୟାଲ୍ସିୟମ୍ ଶୋଷଣ କରି ନିଜକୁ ନିରପେକ୍ଷ କରିବାକୁ ଚେଷ୍ଟା କରେ। ତେଣୁ ଆମ ଦାନ୍ତ କ୍ଷୟ ହୁଏ ଓ ହାଡ଼ ପାପରା ହୁଏ। ଆପଣ ଅଷ୍ଟିଓପୋରୋସିସ୍ ବା ହାଡ଼ପୋରିହା ରୋଗର ଶିକାର ହୁଅନ୍ତି। ୫୦ରୁ ଊର୍ଦ୍ଧ୍ବ ବୟସରେ ଏ ରୋଗ ବେଶି ହୁଏ। ଟିକିଏ କେଉଁଠି ପଡ଼ିଗଲେ ଆପଣଙ୍କ ହାଡ଼ ଭାଙ୍ଗିଯିବାଟା ଥୟ। କିଛିବର୍ଷ ତଳେ ମୃଦୁ ପାନୀୟରେ ପେଷ୍ଟିସାଇଡ୍ (କୀଟନାଶକ) ଅନୁମୋଦିତ ମାତ୍ରାଠାରୁ ଯଥେଷ୍ଟ ଅଧିକ ଥିବା ପ୍ରମାଣିତ ହୋଇଥିଲା। ଗଣମାଧ୍ୟମରେ ପ୍ରକାଶ ପାଇ ସେତେବେଳେ ତାହା ଚର୍ଚ୍ଚାର ବିଷୟ ହୋଇଥିଲା।
ଫଳରସ ବୋଲି କୁହାଯାଉଥିବା ମୃଦୁପାନୀୟରେ ଫଳରସ ଥାଏ ମାତ୍ର ପ୍ରାୟ ୧୦ ପ୍ରତିଶତ। ବାକି ୯୦ ପ୍ରତିଶତ ହେଉଛି ପାଣି, ଚିନି, ରଙ୍ଗ ଓ ଅନ୍ୟାନ୍ୟ ରାସାୟନିକ। ଚିନିର ଅଧିକ ମାତ୍ରା ଯୋଗୁ ଆପଣ ମେଦବହୁଳତାର ଶିକାର ହୋଇପାରନ୍ତି। ମାତ୍ରାଧିକ ଏସିଡ୍, ପେଷ୍ଟିସାଇଡ୍ ଓ ଚିନି ଥିବା ମୃଦୁ ପାନୀୟ କେତେ ପରିମାଣରେ ସ୍ବାସ୍ଥ୍ୟ ପାଇଁ ହିତକର ତାହା ଆପଣମାନେ ବିଚାର କରନ୍ତୁ। କେତେକ ମୃଦୁ ପାନୀୟରେ କୋଲାଜେନ ବା ଜିଲାଟିନ ଥିବାର ଜଣାପଡ଼େ। ଷ୍ଟାବିଲାଇଜର/ଟେକ୍ସଚରାଇଜର ହିସାବରେ ଜିଲାଟିନ ଏବଂ କ୍ଲାରିଫାଇଂ ଏଜେଣ୍ଟ ଭାବରେ କୋଲାଜେନକୁ ମୃଦୁପାନୀୟରେ ମିଶାଯାଇଥାଏ। ବିଶେଷକରି ହଳଦିଆ ରଙ୍ଗର ପାନୀୟରେ ଏହା ଥିବା ନେଇ ଆପଣ ସନ୍ଦେହ କରିପାରନ୍ତି।
ଇନ୍ଗ୍ରେଡିଏଣ୍ଟ (ଉପାଦାନ) ତାଲିକାରେ କିନ୍ତୁ ଏହା ପ୍ରାୟତଃ ଉଲ୍ଲେଖ କରାଯାଇ ନ ଥାଏ। ତଥାପି ଆପଣ ସତର୍କତାର ସହ ଇନଗ୍ରେଡିଏଣ୍ଟ ତାଲିକା ପଢ଼ନ୍ତୁ। ସେଥିରେ ଯଦି ବିଟା-କ୍ୟାରୋଟିନ, ମ୍ୟାଙ୍ଗୋ ପଲ୍ପ, ଆପଲ ଜୁସ୍ ପରି କିଛି ଲେଖାଯାଇଥାଏ, ତେବେ ଆପଣ ନିଶ୍ଚିତ ହୋଇପାରିବେ ଯେ ସେଥିରେ ଜିଲାଟିନ ବ୍ୟବହାର କରାଯାଇଛି। ତେବେ ଏହି କୋଲାଜେନ ହେଉ ବା ଜିଲାଟିନ ତାହା ମାଛ କାତି କିମ୍ବା ବିଶେଷକରି ଗୋରୁ ଓ ଘୁଷୁରି ଚମଡ଼ାରୁ ତିଆରି ହେଉଥିବାରୁ ତାହା ନିରାମିଷାଶୀ ଓ ଭିଗନମାନଙ୍କ ପାଇଁ ଆଦୌ ଗ୍ରହଣୀୟ ନୁହେଁ। କିନ୍ତୁ ଅଧିକାଂଶ ନିରାମିଷାଶୀ ଅଜାଣତରେ ଏହା ପିଇଥାନ୍ତି। ଆପଣ ଯଦି ଏ ଲେଖା ଉପରେ ବିଶ୍ବାସ କରୁ ନ ଥାନ୍ତି, ତେବେ ଇଣ୍ଟରନେଟ୍ରେ ବା ଚାଟଜିପିଟି ବା କୋପିଲଟରେ ସର୍ଚ୍ଚ ମାରି ଦେଖିନିଅନ୍ତୁ। ଏହାପରେ ନିଶ୍ଚୟ ଆପଣ ମୃଦୁ ପାନୀୟ ଓ ହେଲ୍ଥ ଡ୍ରିଙ୍କ ବା ଫ୍ରୁଟ୍ଜୁସ୍ ନାମରେ ବିକ୍ରି ହେଉଥିବା ବିଭରେଜ ପିଇବା ସବୁଦିନ ପାଇଁ ବନ୍ଦ କରିଦେବେ।