ନବରଙ୍ଗପୁର: ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିଅନମାନଙ୍କ ଆହ୍ବାନ କ୍ରମେ ଆଜି ସର୍ବଭାରତୀୟ ଧର୍ମଘଟ ଭାରତବନ୍ଦକୁ ନବରଙ୍ଗପୁର କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ କୃଷକ ସଂଗଠନର ସମର୍ଥନ କରିଥିଲା। ଏହି ବନ୍ଦରେ ସିଆଇଟୁୟୁ, ଆଇଏନଟିୟୁସି, ଏଆଇଟିୟୁସି, ଟିୟୁସିସି, ଏଆଇସିସିୟୁ, ଏଆଇକେଏସ୍, ଡିୱାଇଏଫଆଇ,ରାଷ୍ଟ୍ରୀୟ କିଷାନ ମଜଦୁର ସଂଘ, ସମାଜ ବିକାଶ କର୍ମଜିବୀ ସଂଗଠନ, ଓଡିଶା ଆଦିବାସୀ ଅଧିକାର ମଂଚ,ଓଡିଶା କୃଷକ ସଭା, ଜିଲ୍ଲା ମିସ୍ତ୍ରୀ ମହାସଂଘ ସହ ଅନ୍ୟ ସଂଗଠନ ମାନେ ସାମିଲ ହୋଇଥିଲେ। ଏପରିକି ରାସ୍ତାରୋକରେ କଂଗ୍ରେସ ଓ ବିଜେଡି ନେତାମାନେ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଚାଉଁରିଆଗୁଡା, ମାଝିଗୁଡା ଛକ, ହିର୍ଲିଫାୟରଷ୍ଟେସନ୍ ଛକ ଆଦି ସ୍ଥାନରେ ଆନ୍ଦୋଳନକାରୀ ମାନେ ରାସ୍ତାରୋକ କରିଥିଲେ। ସକାଳୁ ସହରକୁ ଆସୁଥିବା ସମସ୍ତ ଦ୍ରୁତଗାମୀ ବସ ଓଭାରୀଯାନ ଗୁଡିକ ଚାଉଁରିଆଗୁଡା ଓ ମାଝିଗୁଡା ଛକରେ ସେଭଳି ରହିଥିବା ଦେଖିବାକୁ ମିଳିଥିଲା।

Advertisment

ଏହି ବସ ଗୁଡିକରେ ଆସୁଥିବା ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟସ୍ଥାନକୁ ଯାଇ ନ ପାରି ହଇରାଣ ହରକତ ହୋଇଥିଲେ। ଖାସ୍ କରି ଉମରକୋଟ, ରାଇଘର, ଚନ୍ଦାହାଣ୍ଡି, ଝରିଗାଁ, କୋଷାଗୁମୁଡା ଆଦି ଅଂଚଳକୁ ଯିବା ଯାତ୍ରୀମାନେ ହଇରାଣ ହୋଇଥିଲେ। ସେହିପରି ସହରର ଦୋକାନବଜାର ବନ୍ଦ ରହିଥିଲା। ବନ୍ଦରେ ବ୍ୟାଙ୍କ, ପୋଷ୍ଟଅଫିସ ଖୋଲା ରହିଥିଲେ ହେଁ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ଆମ୍ବୁଲାନସକୁ ବାଦ୍ ଦେଇ ଆଉ ବଡ ଗାଡିକୁ ଛାଡିନଥିଲେ ଆନ୍ଦୋଳନକାରୀ। 

ରାସ୍ତାରୋକରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଜିଲ୍ଲା ଆବାହକ ରାଜେଶ ଜାନୀ, ସିରାଜୁଦ୍ଧିନ ଅହମ୍ମଦ, ଭଗବାନ ବୈରାଗୀ, ବିଘ୍ନ ରାଜ ନାୟକ, ସନାତନ ସାହୁ, ସୁଶାନ୍ତ କୁମାର ସୁନା, ପଙ୍କଜ ଖୁରା, ଦେବରାଜ ନାଗ, ଦୟାନିଧି ସୁନା, ଆବିଦ୍ ଆଲ୍ଲୀ, ରତନ କନ୍ଦପାନ, ସୁଧିର ପାତ୍ର, ନୂଆଖାଉ ଭତରା, ଧରମଦାସ ଭତରା, ବିପିନ୍ ନାଗ , କଂଗ୍ରେସରୁ ମୁନା ତ୍ରିପାଠୀ, ଦିଲ୍ଲୀପ ବେହେରା, ଅଖିଳ ଭତରା, ତୋଫାନ ଷଡଙ୍ଗୀ, ଅବଦୁଲ ଫିରୋଜ,ବୃନ୍ଦା ତ୍ରିପାଠୀ, ବିଜେଡିରୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ସରୋଜ ପାତ୍ର ପ୍ରମୁଖ ଭାଗ ନେଇଥିଲେ। 

ଦାବି ମଧ୍ୟରେ ୪ଶ୍ରମ କୋଡ ବାତିଲ କରିବା, ସର୍ବନିମ୍ନ ମଜୁରୀ ୨୬୦୦ଟଙ୍କା ଘୋଷଣା କରିବା, ଆଶା, ଅଙ୍ଗନବାଡି, ପାଚିକା, ସହାୟିକା ସମସ୍ତଙ୍କୁ ଶ୍ରମିକ ମାନ୍ୟତା ଦେବା, ସର୍ବନିମ୍ନ ପେନସନ ୯ହଜାର ଟଙ୍କା ଘୋଷଣା କରିବା, ଦରଦାମ ବୃଦ୍ଧି ରୋକିବା, ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା, ସମସ୍ତ ସରକାରୀ ପଦପଦବିକୁ ପୂରଣ କରିବା ଆଦି ଦାବି ରହିଛି।  

Nabarangpur