ନୂଆଦିଲ୍ଲୀ: ବଦ୍ରିନାଥଧାମ, ଜଗନ୍ନାଥଧାମ, ରାମେଶ୍ୱରମ୍ ଏବଂ ଦ୍ୱାରକାଧାମକୁ ପ୍ରତ୍ୟେକ ଭାରତୀୟ ପରିଦର୍ଶନ କରିବାକୁ ଇଚ୍ଛା କରନ୍ତି। ଦେଶର ଏହି ଚାରିଧାମକୁ ଟ୍ରେନରେ ଯାତ୍ରା କରିବା ସମ୍ଭବ ହୋଇପାରିଛି। ଏଥିପାଇଁ ଭାରତୀୟ ରେଳବାଇ ଦ୍ୱାରା ‘ଭାରତ ଗୌରବ ଡିଲକ୍ସ ପର୍ଯ୍ୟଟନ ଟ୍ରେନ୍’ ଚଳାଚଳ କରାଯାଉଅଛି। ଚାରିଧାମକୁ ସଂଯୋଗ କରିବା ପାଇଁ ଭାରତୀୟ ରେଳବାଇ ପୂର୍ବରୁ ଦୁଇଥର ଭାରତ ଗୌରବ ଡିଲକ୍ସ ପର୍ଯ୍ୟଟନ ଟ୍ରେନ୍ ଚଳାଚଳ କରିସାରିଛି। 

Advertisment

ଚଳିତ ବର୍ଷ ୧୭ ଦିନିଆ ଚାରିଧାମ ଭାରତ ଗୌରବ ଡିଲକ୍ସ ଯାତ୍ରା ଆସନ୍ତା ୨୭ ତାରିଖ ଠାରୁ ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଆରମ୍ଭ ହେବ। ଏହା ଅଧୀନରେ ବଦ୍ରିନାଥ, ମାନା ଗ୍ରାମ, ନରସିଂହ ମନ୍ଦିର, ଯୋଶୀମଠ, ଋଷିକେଶ, ଜଗନ୍ନାଥ ମନ୍ଦିର, ପୁରୀ ବେଳାଭୂମି, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚନ୍ଦ୍ରଭଗା ବେଳାଭୂମି, ରାମନାଥସ୍ୱାମୀ ମନ୍ଦିର ଏବଂ ଧନୁଶକୋଡି, ଦ୍ୱାରକାଧୀଶ, ଜ୍ୟୋତିର୍ଲିଙ୍ଗ ଏବଂ ଭେଟଦ୍ବାରକା ପରି ସ୍ଥାନଗୁଡିକ ପରିଭ୍ରମଣ କରାଯିବ। ଏହି ଯାତ୍ରାରେ ଯାଉଥିବା ଯାତ୍ରୀମାନଙ୍କୁ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର, ପୁଣେର ଭୀମାଶଙ୍କର ମନ୍ଦିର ଏବଂ ନାସିକର ତ୍ରୟମ୍ବକେଶ୍ୱର ମନ୍ଦିର ପରିଦର୍ଶନରେ ମଧ୍ୟ ସୁଯୋଗ ଉପଲାବଧା କରାଯିବ।  ୧୭ ଦିନର ଯାତ୍ରା ମଧ୍ୟରେ ସମସ୍ତ ଭକ୍ତମାନେ ୮୪୨୫ କିଲୋମିଟର ଯାତ୍ରା କରିବେ।

ଭାରତ ଗୌରବ ଡିଲକ୍ସ ଏସି ଟୁରିଷ୍ଟ ଟ୍ରେନରେ ଅନେକ ଆଧୁନିକ ଆରାମଦାୟକ ବୈଶିଷ୍ଟ୍ୟ ଯୋଡାଯାଇଛି, ଯେଉଁଥିରେ ଦୁଇଟି ଡାଇନିଂ ରେଷ୍ଟୁରାଣ୍ଟ, ଏକ ଆଧୁନିକ ରୋଷେଇ ଘର ଏବଂ ଗାଧୋଇବା ପାଇଁ କ୍ୟୁବିକ୍ ବାଥରୁମ୍ ସାମିଲ କରାଯାଇଛି। ସମସ୍ତ କୋଚରେ ବାୟୋ-ଟଏଲେଟ୍ ସହିତ ଶୌଚାଳୟ ଯୋଗାଇ ଦିଆଯାଇଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ପାଦ ମସାଜର ମଧ୍ୟ ଉପଲବ୍ଧ କରାଯାଇଅଛି। ଏହି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଟ୍ରେନ୍‌ରେ ପ୍ରଥମ ଏସି, ଦ୍ୱିତୀୟ ଏସି ଏବଂ ତୃତୀୟ ଏସିରେ ଟିକେଟ ବୁକ୍ କରାଯାଇପାରିବ।ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସିସି କ୍ୟାମେରା ଏବଂ ସୁରକ୍ଷାକର୍ମୀଙ୍କ ବ୍ୟବସ୍ଥା ମଧ୍ୟ କରାଯାଇଛି। 

 

ଏହି ଟ୍ରେନ୍ ଭାରତୀୟ ରେଳବାଇ କ୍ୟାଟରିଂ ଏବଂ ପର୍ଯ୍ୟଟନ ନିଗମ ମାଧ୍ୟମରେ ପରିଚାଳିତ ହେବ। ଆଇଆରସିଟିସି ୱେବସାଇଟ୍ ମାଧ୍ୟମରେ ମଧ୍ୟ ଟିକେଟ୍ ବିକ୍ରି କରାଯିବ। ଏଥିପାଇଁ ଏକ ପ୍ୟାକେଜ୍ ହାର ସ୍ଥିର କରାଯାଇଛି, ଯେଉଁଥିରେ ଯାତ୍ରା ଟିକେଟ୍ ସହିତ ତିନି ତାରକା ହୋଟେଲରେ ରହିବା, ଦିନକୁ ତିନିଥର ଭୋଜନ, ସମ୍ପୂର୍ଣ୍ଣ ଦର୍ଶନୀୟ ସ୍ଥାନ ବ୍ୟବସ୍ଥା, ଯାତ୍ରା ବୀମା ଏବଂ ଟୁର୍ ପରିଚାଳକଙ୍କ ସେବା ଅନ୍ତର୍ଭୁକ୍ତ। ଏହି ଟ୍ରେନରେ ବୁକିଂ ପାଇଁ ୧୫୦ଟି ସିଟ୍ ଉପଲବ୍ଧ ଅଛି, ଯାହା ପ୍ରଥମେ ଆସ ପ୍ରଥମେ ସେବା ଆଧାରରେ ବୁକ୍ କରାଯିବ। 

ଭାରତୀୟ ରେଳବାଇର ସୂଚନା ଏବଂ ପ୍ରଚାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦିଲୀପ କୁମାର କହିଛନ୍ତି ଯେ ଦେଶର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ସଂଯୋଗ କରିବା ଉଦ୍ଦେଶ୍ୟରେ ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍ ପରିଚାଳିତ ହେଉଛି। ଏହି ଟ୍ରେନ୍ ଗୁଡିକର ପରିଚାଳନା ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିବା ସହଜ ହୋଇଯାଇଛି। 

 Indian Railways | Puri Jagannath temple