ଭୁବନେଶ୍ବର: ରାଜ୍ୟ ସରକାରଗୁଡ଼ିକରଙ୍କ ସହଯୋଗରେ କେନ୍ଦ୍ର ସରକାର ୨୦୨୬ ଡିସେମ୍ବର ଶେଷ ସୁଦ୍ଧା ଦେଶରୁ ମାଓବାଦୀଗତିବିଧି ମୂଳୋତ୍ପାଟନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆତ୍ମସମର୍ପଣ କରୁଥିବା ମାଓବାଦୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏଥି ପାଇଁ ମାଓ ଅଧ୍ୟୁଷିତ ରାଜ୍ୟ ତଥା ଓଡ଼ିଶା, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମା, ଛତିଶଗଡ଼, ମହାରାଷ୍ଟ୍ର ଓ ତେଲେଙ୍ଗାନା ସୀମା ବ୍ୟତୀତ, ଓଡ଼ିଶା, ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ସୁରକ୍ଷାବାହିନୀର ଯବାନମାନେ ମୁତୟନ ରହିବା ସହିତ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଦୁର୍ଗମ ଅଞ୍ଚଳରେ ମାଓବାଦୀମାନେ ଯଦିଓ ବିପୁଳ କ୍ଷୟକ୍ଷତି ଜାରି ରଖିଛନ୍ତି, ଆଗାମୀ ଦିନରେ ନିଜେ ନିପାତ ହୋଇଯିବାର ସମ୍ଭାବନା ଅଧିକ ଦେଖାଯାଉଛି। ଏହାର କାରଣ ହେଲା ମାଓ ଅଧ୍ୟୁଷିତ ଅଞ୍ଚଳରେ ରାଜ୍ୟ ପୁଲିସ, ବିସଏସ୍ଏଫ୍, ସିଆରପିଏଫ୍ ଓ ଆଇଟିବିପିର ଯବାନମାନେ ମୁତୟନ ଅଛନ୍ତି। ସୁରକ୍ଷାକର୍ମୀମାନେ ଆସନ୍ତା ଅକ୍ଟୋବର ଠାରୁ ବଡ଼ଧରଣର ଅପରେସନରେ ବାହାରିବେ। ନୂତନ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ଏହି ଅପରେସନ୍ ଆରମ୍ଭ କରିବେ, ଯେଉଁଥିରେ ମାଓବାଦୀମାନେ ବର୍ତ୍ତିବା କଠିନକର ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି।
ବସ୍ତରରେ ୧୫୦୦ ମାଓବାଦୀ: ସୂତ୍ର
ଗୁଇନ୍ଦା ସୂତ୍ର ଆଧାରରେ ପୁଲିସକୁ ସୂଚନା ମିଳିଛି ଯେ, ଛତିଶଗଡ଼ର ବସ୍ତର ଅଞ୍ଚଳରେ କେବଳ ୧୫୦୦ରୁ ଊର୍ଦ୍ଧ୍ବ ମାଓବାଦୀ ଅଛନ୍ତି। ସରକାର ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରି ବିକାଶମୂଳକ ଯୋଜନାରେ ସାମିଲ ହେବା ପାଇଁ ପରାମର୍ଶ ଦେଇଛନ୍ତି। ଯଦି ସେମାନେ ପୁଲିସ ନିକଟରେ ଆତ୍ମସମର୍ପଣ ନକରନ୍ତି, ତାହେଲେ ପରିସ୍ଥିତିର ମୁକାବିଲା ହେବେ। ବର୍ତ୍ତମାନ ଏହି ଅଭିଯାନ ନିର୍ଣ୍ଣାୟକ ସଂଘର୍ଷ, ମର କିମ୍ବା ଆତ୍ମସମର୍ପଣ ଅଧୀନରେ ପରିଚାଳିତ ହେବ ବୋଲି ଆଶା କରାଯାଉଛି।
ମାଓ ବିରୋଧରେ ଉଚ୍ଚସ୍ତରୀୟ ବୈଠକ
ନିକଟରେ ଛତିଶଗଡ଼ର ରାଜଧାନୀ ରାୟପୁରରେ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକର ଶୀର୍ଷସ୍ତରରର ପୁଲିସ ଅଧିକାରୀମାନଙ୍କୁ ନେଇ ଏକ ରଣନୈତିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଲକ୍ଷ୍ୟ ହାସଲର ଠୋସ୍ କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିବା ସୂଚନା ସାମ୍ନାକୁ ଆସିଛି। ବୈଠକରେ ସିଆରପିଏଫ୍, ବିଏସ୍ଏଫ୍ ଏବଂ ଆଇଟିବିପିର ବରିଷ୍ଠ ଅଧିକାରୀମାନଙ୍କ ସହିତ ଛତିଶଗଡ଼, ମଧ୍ୟପ୍ରଦେଶ, ଓଡ଼ିଶା ଏବଂ ତେଲେଙ୍ଗାନାର ଉଚ୍ଚ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ। ସୂଚନା ବ୍ୟବସ୍ଥା ଏବଂ ସମନ୍ୱୟକୁ ପ୍ରଭାବଶାଳୀ କରାଯିବ, ଯାହା ଦ୍ୱାରା ମାଓବାଦୀଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇପାରିବ। ଛତିଶଗଡ଼ ପୁଲିସ ମହାନିର୍ଦ୍ଦେଶକ ଅରୁଣ ଦେବ ଗୌତମ କହିଛନ୍ତି ଯେ, ମାଓବାଦୀଙ୍କ ବିରୁଦ୍ଧରେ ଚାଲିଥିବା ଅଭିଯାନର ସମୀକ୍ଷା କରାଯାଇଥିଲା।
କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଭିମୁଖ୍ୟ
ଗତ ସପ୍ତାହରେ ଦିଲ୍ଲୀରେ ଏକ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଥିଲେ ଯେ ସମସ୍ତ ମାଓବାଦୀ ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ କେନ୍ଦ୍ର ସରକାର ବିଶ୍ରାମ ନେବେ ନାହିଁ। ଯେଉଁମାନେ ଆତ୍ମସମର୍ପଣ କରିବେ ନାହିଁ ସେମାନଙ୍କୁ ଗିରଫ କରାଯିବ କିମ୍ବା ନିପାତ କରାଯିବ। ଏହା ପୂର୍ବରୁ ମଧ୍ୟ ଅମିତ ଶାହ କହିଛନ୍ତି ଯେ, ୨୦୨୬ ସୁଦ୍ଧା ଦେଶକୁ ମାଓମୁକ୍ତ କରାଯିବାର ଲକ୍ଷ୍ୟ ରହିଛି।
୨୦୨୩ ପରଠାରୁ ୪୫୩ ଜଣ ମାଓବାଦୀ ନିପାତ
ମାଓ ଅଧ୍ୟୁଷିତ ଅଞ୍ଚଳରେ ସୁରକ୍ଷାବାହିନୀ କମ୍ବିଂ ଅପରେସନ ଜାରି ରଖିଚି। ଗୁପ୍ତଚର ରିପୋର୍ଟରୁ ଜଣାଯାଇଛି ଯେ, ମାଓ ସଂଗଠନରେ ନୂତନ ନିଯୁକ୍ତି ବନ୍ଦ ହୋଇଯାଇଛି। ସଶସ୍ତ୍ର ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଗ୍ରାମ୍ୟସ୍ତରରେ ମଧ୍ୟ ସ୍ୱତନ୍ତ୍ର ଅଭିଯାନ ଚଳାଯିବ। ଛତିଶଗଡ଼ରେ କ୍ଷମତା ପରିବର୍ତ୍ତନ ପରେ ୨୦୨୩ ଡିସେମ୍ବର ପରଠାରୁ ସୁରକ୍ଷା ବାହିନୀ ଦ୍ୱାରା ୪୫୩ ଜଣ ମାଓବାଦୀ ନିହତ ହୋଇଛନ୍ତି।
ଅସ୍ତ୍ର ପରିତ୍ୟାଗ କରୁଛନ୍ତି ମାଓବାଦୀ
୨୦୨୪ ଓ ୨୦୨୫ରେ ଛତିଶଗଡ଼ରେ କେବଳ ପ୍ରାୟ ୧୦୦୦ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ୪୦୦ରୁ ଊର୍ଦ୍ଧ୍ବ ଓ ତେଲେଙ୍ଗାନାରେ ପ୍ରାୟ ୫୦୦ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେହିପରି ଓଡ଼ିଶାରେ ୩୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଅନ୍ୟପଟରେ ଝାଡ଼ଖଣ୍ଡରେ ମାଓବାଦୀମାନେ ସକ୍ରିୟ ଥିଲେ ମଧ୍ୟ ସୁରକ୍ଷା ବାହିନୀର ଗୁଳିମାଡ଼ର ଶିକାର ହେଉଛନ୍ତି। ମହାରାଷ୍ଟ୍ରରେ ମାଓାବାଦୀଙ୍କ ଦୁର୍ଗ ଏକ ପ୍ରକାର ଭୁଶୁଡ଼ି ଯାଇଛି।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ କ’ଣ ମିଳେ
-ସରକାର ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ପାଇଁ ସୁବ୍ୟବସ୍ଥା କରିଛନ୍ତି
-ଆତ୍ମସମର୍ପଣ ସମୟରେ ନଗଦ ୫୦,୦୦୦ ଟଙ୍କା ମିଳିଥାଏ
-ପରିବାର ଚଳାଇବା ପାଇଁ ତଥା ସ୍ଵାବଲମ୍ବୀ ପାଇଁ ତାଲିମ ପ୍ରଦାନ କରାଯାଏ
-ରହିବା ପାଇଁ ଆବାସ ଯୋଜନାରେ ଘର ଉପଲବ୍ଧ ହୋଇଥାଏ
-ଚଳିବା ପାଇଁ ମାସକୁ ୧୦ ହଜାର ଟଙ୍କା ୩ ବର୍ଷ ପାଇଁ ଦେଇଥାନ୍ତି
Malkangiri | maoists