ଭୁବନେଶ୍ୱର: ୨୦୨୫ରେ ନିଯୁକ୍ତି ପାଇଥିବା ରାଜ୍ୟର ୧୩ ହଜାରରୁ ଊର୍ଦ୍ଧ୍ୱ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କୁ ‘ନିୟମିତ ଶିକ୍ଷକ’ ଭାବେ ନିଯୁକ୍ତି ଦେବାପାଇଁ ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ରାଜ୍ୟ ଅତିଥି ଭବନ ଠାରେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ଧନ୍ୟବାଦ ଜଣାଇଛନ୍ତି। ସଂଘ ପକ୍ଷରୁ ଗୁରୁ ଦିବସ ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କନିଷ୍ଠ ଶିକ୍ଷକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇବା ସହିତ ଏହି ନିଷ୍ପତ୍ତି ସହିତ ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।

Advertisment

ଏହି ଅବସରରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଥା ହେବା ସହିତ ସେମାନଙ୍କୁ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ଉପଦେଶ ଦେଇଥିଲେ।ଜୀବନରେ ଅନେକ ସମସ୍ୟା ଆସିବ, କିନ୍ତୁ ସମସ୍ତ ସମସ୍ୟାକୁ ସୁଯୋଗରେ ପରିଣତ କରି ଆଗକୁ ବଢିବା ପାଇଁ ଏବଂ ଜଣେ ଶିକ୍ଷକର ମୌଳିକ କର୍ତ୍ତବ୍ୟକୁ କଦାପି ଭୁଲିଯିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ।

ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟର ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ମହାନ ରାଷ୍ଟ୍ରନୀତିଜ୍ଞ, ଆଦର୍ଶ ଶିକ୍ଷକ ତଥା ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଡଃ ରାଧାକ୍ରଷ୍ଣନ ପ୍ରତ୍ୟେକ ବିଦ୍ୟାର୍ଥୀ ତଥା ପ୍ରତ୍ୟେକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ହେଉଛନ୍ତି ଆଦର୍ଶ। ସେ କେବଳ ଜଣେ ବିଶିଷ୍ଟ ଶିକ୍ଷାବିତ, ଦାର୍ଶନିକ କିମ୍ବା ରାଷ୍ଟ୍ରନୀତିଜ୍ଞ ନଥିଲେ, ସେ ଥିଲେ ଭାରତବର୍ଷର ଜଣେ ଶ୍ରେଷ୍ଠ ଗୁରୁ। 
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଶିକ୍ଷା ପଦ୍ଧତିରେ ଆମ ପାଇଁ ସବୁଠାରୁ ବଡ ଦୁଇଗୋଟି ଆହ୍ୱାନ ରହିଛି। ପ୍ରଥମଟି ହେଲା ଡ୍ରପଆଉଟ୍ ହାରକୁ ଆଶାତୀତ ଭାବେ ହ୍ରାସ କରିବା ଏବଂ ଦ୍ୱିତୀୟଟି ହେଉଛି ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନ ବ୍ୟବସ୍ଥା। ଡ୍ରପ ଆଉଟ୍ ହାରକୁ ରୋକିବା ପାଇଁ ମିଡ୍‌ ଡେ ମିଲ ବା ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଏକ ସଫଳ ପଦକ୍ଷେପ ଭାବେ ସାବ୍ୟସ୍ତ ହୋଇଛି। ବର୍ତ୍ତମାନ ଆମେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛୁ ଏବଂ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟର ମଧ୍ୟ ବ୍ୟବସ୍ଥା କରିଛୁ। ଜନଜାତି ବର୍ଗର ପିଲାମାନଙ୍କୁ ମଧ୍ୟ ମଧୋ ସିଂ ହାତଖର୍ଚ୍ଚ ଯୋଜନା ଜରିଆରେ ସହାୟତା ପ୍ରଦାନ କରାଯାଉଛି। ଏହି ସବୁ ଯୋଜନା ଆଗାମୀ ଦିନରେ ଡ୍ରପଆଉଟ୍ ହାର କମ୍‌ କରିବାରେ ନିଶ୍ଚିତ ରୂପେ ସଫଳ ହେବ।  ସେହିଭଳି ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନୂତନ ଶିକ୍ଷାନୀତି ଲାଗୁ କରାଯାଇଛି।

CM Mohan Charan Majhi | Education