ବଅଁରପାଳ: ଅନୁଗୁଳଜିଲ୍ଲା ବଅଁରପାଳ ବ୍ଲକ୍ ବୁଢ଼ାପଙ୍କ ପଞ୍ଚାୟତର ପନ୍ଦରଭରଣୀଆ ଗ୍ରାମରେ ପାଞ୍ଚବର୍ଷ ହେଲା ଚାଲିଛି ବିଜୁ ସେତୁ ନିର୍ମାଣ। ଏହି ସେତୁ ନିର୍ମାଣ ସରୁନି କି ଏହା ଉପରେ ନିର୍ଭରଶୀଳ ପନ୍ଦରଟି ଗାଁର ଲୋକଙ୍କ ଦୁର୍ଦ୍ଦଶାର ଅନ୍ତଃ ନେଉନାହିଁl ମାଟିହୁଡ଼ା ରାସ୍ତାରେ ପୂର୍ବରୁ ଚଳୁଥିଲେ ଗ୍ରାମବାସୀ। ଚାଷ କାମ ଓ ଅନ୍ୟାନ୍ୟ କାମ ପାଇଁ ଚାଲିଚାଲି ନନ୍ଦିରା ନାଳ ପାର ହେଉଥିବା ବେଳେ ଏବେ ଠିକା ସଂସ୍ଥା ବ୍ରିଜର ଉପର ଅଂଶ ଛାତ ପଡ଼ିଥିବା ବେଳେ ମଝି ଭାଗରେ ଛାତ ନପଡ଼ି ଛାଡ଼ି ଦିଆଯାଇଛି, ଯାହାକି ରଡ଼ ପାଣି ଲାଗି କଳଙ୍କି ଲାଗି ନଷ୍ଟ ହେଲାଣିl
ବଡ଼ ପରିତାପର ବିଷୟ ବ୍ରିଜ୍ର ସାମ୍ନାରେ ମାଟି ଗଣ୍ଡିଏ ନପକାଇ ପାଞ୍ଚ ଫୁଟ ଉଚ୍ଚତା ଖାଲରେ ସାଇକେଲ ଚଢ଼ାଉଛନ୍ତି ଏବଂ ଲୋକମାନେ ଟ୍ରକ ଟାୟାର ପକାଇ ବ୍ରିଜି ଉପରକୁ ଚଢି ବ୍ରିଜି ପାର ହେଉଛନ୍ତି ଏବଂ ତାପରେ ନିଶୁଣୀରେ ତଳକୁ ଓଲ୍ଲାଉଛନ୍ତିl ବ୍ରିଜ ଉପରକୁ ଚଢିବା ବେଳେ କେତେବେଳେ କାହାର ଗୋଡ଼ ଭାଙ୍ଗି ଯାଉଛିତ କେତେବେଳେ କାହାର ମୁଣ୍ଡ ଫାଟୁଛିl ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ର ଦାନା ବାନ୍ଧୁଛିl
ନନ୍ଦିରା ନାଳ ଉପରେ ନିର୍ମାଣ ହେଉଥିବା ବିଜୁ ସେତୁ ଢେଙ୍କାନାଳ, ଅନୁଗୋଳ, ତାଳଚେରର ମୁଖ୍ୟରାସ୍ତାକୁ ସଂଯୋଗ କରିବା ଯୋଜନା ରହିଥିବା ବେଳେ ନନ୍ଦିରା ନାଳର ଗୋଟିଏ ପାଖରେ ଜନବସତି ରହିଥିବା ବେଳେ ଅନ୍ୟ ପଟେ ରହିଛି ଚାଷଜମିl କିନ୍ତୁ ନାଳ ଆରପଟକୁ ଗମନା ଗମନ ରେ ବାହ୍ୟଜଗତରୁ ବିଛିନ୍ନ ହୋଇଥିବା ଯୋଗୁଁ ଶହ ଶହ ଏକର ଚାଷ ଜମିରେ ଚାଷ ହୋଇନାହିଁl
ଉକ୍ତ ଅଞ୍ଚଳବାସୀଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ ହେଉଛି ଚାଷ ଧାନ ଠାରୁ ଆରମ୍ଭ କରି ରବି ଫସଲ ଏବଂ ପନିପରିବା ଚାଷ ଉପରେ ଅଞ୍ଚଳବାସୀ ନିର୍ଭରଶୀଳ ବୁଢାପଙ୍କ ଏବଂ ପନ୍ଦରଭରଣୀଆ ଅଧିବାସୀଙ୍କୁ ନିଜ ଚାଷ ଜମିକୁ ଯିବାକୁ ହେଲେ ନନ୍ଦିରା ନାଳ ପାର ହେବାକୁ ପଡ଼ିବl ନଚେତ ୭ କିଲୋମିଟର ବୁଲିଯାଇ ଚାଷ ଜମି ଉପରେ ପହଞ୍ଚିବେl
ସେହିପରି ମଣ୍ଡାପାଳ ଉପଖଣ୍ଡ ଡାକ୍ତରଖାନା ଠାରୁ ଆରମ୍ଭ କରି ତାଳଚେର ଟାଉନୁକୁ ଯିବାର ଦୂରତ୍ୱ ବି ଏହି ସେତୁ ନିର୍ମାଣ ଦ୍ୱାରା ହ୍ରାସ ପାଇବl ସରକାରଙ୍କ ପକ୍ଷରୁ ବିଜୁ ସେତୁ ଯୋଜନାରେ ୨୦୧୯ ମସିହାରେ ତତ୍କାଳୀନ ସରକାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୨ ଡିସେମ୍ବର ମାସରେ କାର୍ଯ୍ୟସରିବା ଳକ୍ଷ୍ୟ ରଖିଥିଲେ। କଥା କିନ୍ତୁ ଠିକା ସଂସ୍ଥାର ମନମାନି, ନିମ୍ନମାନର କାମ କରି ସରକାରୀ ଅର୍ଥକୁ ଲୁଟ କରିବା ଚକ୍କରରେ ୧୫ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛିl
ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଜଣାପଡ଼ିଛିl ଏହି ସେତୁ ଦ୍ୱାରା ବୁଢାପଙ୍କ, ମାନପୁର, କୁରୁଣ୍ଟି, କୁସୁପଙ୍ଗା, କମଳାଙ୍ଗ, ମସାଣିଆ, ଶିବପୁର, ଖଡ଼କପ୍ରସାଦ, କଣ୍ଟାବଣିଆ, ମଙ୍ଗଳପୁର, ତାଳଡ଼ଙ୍ଗା, ବିଡୋ, ମେରାମଣ୍ଡଳୀ, ଅଚଳକୂଟ, ଭଙ୍ଗାମୁଣ୍ଡା, ୩୦ ହଜାର ଲୋକ ଉପକୃତ ହେବେl ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ୍ୟ ତାହା ସମ୍ଭବ ହୋଇପାରି ନଥିଲାl କିନ୍ତୁ ବିଜୁ ସେତୁ କେବେ ସରିବ ସେ ସଂପର୍କରେ ବିଭାଗୀୟ ଅଧିକାରୀ ସ୍ପଷ୍ଟ ସୂଚନା ଦେଉନଥିବାରୁ ଅଞ୍ଚଳ ବାସୀ ଙ୍କ ମଧ୍ୟ୍ୟ ରେ ଅସନ୍ତୋଷ ଦେଖା ଦେଇଛିl
ଯଥା ଶୀଘ୍ର ଠିକା ସଂସ୍ଥା ପକ୍ଷରୁ ୫ ଫୁଟ ଚଢି ଯାଉଥିବା ଜାଗାରେ ମାଟି କିମ୍ବା ମୋରମ ପକେଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତିl ଯଦି ଠିକା ସଂସ୍ଥା ପକ୍ଷରୁ ମାଟି ମୋରମ ନପକାଯାଏ ଆଗାମୀ ଦିନରେ ରାଜ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତିl
angul
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/07/26/29df6e45-d9db-43f7-a632-48d539bceb11-2025-07-26-19-15-01.jpg)