ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ନିମାପଡ଼ା- ସରଦେଇପୁର ରାସ୍ତାର ଗାରେଡି ପାଞ୍ଚଣ ଛକ ନିକଟରେ ଆଜି ଏକ ପର୍ଯ୍ୟଟକଙ୍କ ଗାଡ଼ି ଦୁର୍ଘଟଣା ହୋଇଛି | ଗାଡ଼ି ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି | ଗୁରୁତର ଯୁବକ ହେଲେ ଗାରେଡି ପାଞ୍ଚଣର ଲିଟୁ | ସେଠାରେ ଥିବା ଲୋକେ ଯୁବକଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି | ଦୁର୍ଘଟଣା ରେ ପର୍ଯ୍ୟଟକଙ୍କ ଗାଡି ଭାଙ୍ଗି ଯାଇଥିବା ବେଳେ ଆଗ ଚକା ଫାଟି ଯାଇଥିଲା | ତେବେ ଗାଡ଼ିରେ ବସିଥିବା ୮ ଜଣ ଯାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି | 

Advertisment

ସୂଚନା ଅନୁସାରେ, ପଶ୍ଚିମବଙ୍ଗରୁ ଗୋଟିଏ ପରିବାରର ଜଣେ ମହିଳାଙ୍କ ସମେତ ୭ ପର୍ଯ୍ୟଟକ ପୁରୀ ବୁଲିବାକୁ କିଛି ଦିନ ହେଲା ଆସିଛନ୍ତି | ଆଜି ସକାଳୁ ପୁରୀରୁ ଏକ ଗାଡି ଭଡ଼ା କରି କୋଣାର୍କ ବୁଲିବାକୁ ବାହାରିଥିଲେ | ସେଠାରୁ ନନ୍ଦନକାନନ ବୁଲିବାକୁ ନିମାପଡ଼ା ରାସ୍ତାରେ ଉତ୍ତରା ଦେଇ ଭୁବନେଶ୍ୱର ଯିବାର ଥିଲା | ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ବାଲିପାଟଣା ଥାନା ଗାରେଡି ପାଞ୍ଚଣ ଗାଁ ରାସ୍ତାରୁ ବାହାରି ମୁଖ୍ୟ ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ପର୍ଯ୍ୟଟକଙ୍କ ଗାଡ଼ି(ଓଡି ୩୦ ଏ ୪୦୫୦) ଟ୍ରାଭେରା ସାମ୍ନାକୁ ବାଇକ ଚାଳକ ହଠାତ ପଶି ଯାଇଥିଲେ | ଫଳରେ ଟ୍ରାଭେରା ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା | ଦୁର୍ଘଟଣାରେ ଯୁବକ ଜଣଙ୍କ ରାସ୍ତାରେ ଛିଟିକି ପଡ଼ିଥିଲେ |

ଆଗ ଚକା ଖୁବ ଜୋରରେ ଫାଟିଥିଲା 

ପର୍ଯ୍ୟଟକଙ୍କ ଗାଡ଼ି ଚାଳକ ଯୁବକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ବ୍ରେକକୁ ସମ୍ପୂର୍ଣ୍ଣ ଚାପି ଦେଇଥିଲେ | ଟ୍ରାଭେରା ଗାଡ଼ିଟି ରାସ୍ତାରେ ଶହେ ଫୁଟ ପର୍ଯ୍ୟନ୍ତ ଘୁଷୁରି ଯାଇଥିଲା | ଗାଡ଼ି ଚାଳକଙ୍କ ପଟ ଆଗ ଚକା ଖୁବ ଜୋରରେ ଫାଟିଥିଲା | ପ୍ରଚଣ୍ଡ ଶବ୍ଦ ଶୁଣି ଲୋକେ ଘଟଣା ସ୍ଥଳକୁ ଧାଇଁ ଆସିଥିଲେ | ଗାଡ଼ିଟି ପଲଟିବା ଆଗରୁ ଅଳ୍ପକେ ଅଟକି ଯାଇଥିଲା | ଦୁର୍ଘଟଣା ପରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି | ସ୍ଥାନୀୟ ଯୁବକ ସେମାନଙ୍କୁ ସହଯୋଗ କରୁଥିବା ଜଣା ପଡ଼ିଛି | ଦୁର୍ଘଟଣାରେ ଯୁବକଙ୍କ ମୁଣ୍ଡ, ହାତ, ଗୋଡ଼ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଶକ୍ତ ଆଘାତ ଲାଗିଛି | କ୍ଷତ ସୃଷ୍ଟି ହୋଇ ରକ୍ତସ୍ରାବ ହୋଇଛି |