ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଆଗ୍ରିଆ ଛକ ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ୧୦୦ମିଟର ଦୂର ପର୍ଯ୍ୟନ୍ତ ବାଇକକୁ ଘୋଷାଡି ନେଇଛି। ମୃତ ଯୁବକ ହେଲେ ଶିଳପୁରିଆ ଗ୍ରାମର ସ୍ବର୍ଗତଃ ଗୌର ମହାନ୍ତଙ୍କ ପୁଅ ଟିଟୁ ମହାନ୍ତ। 

Advertisment

ସୂଚନା ଅନୁଯାଇ ଆଜି ସନ୍ଧ୍ୟାରେ ଟିଟୁ ଏକ ବାଇକ୍‌ (ଓଆର ୦୧ଏମ-୫୯୪୭)ରେ ଆଗ୍ରିଆ ଛକସ୍ଥିତ ଡାଇଭର୍ସନରେ ଜାତୀୟ ରାଜପଥ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବାବେଳେ ବୈଶିଙ୍ଗା ପଟରୁ ବେତନଟୀ ଆଡ଼କୁ ଯାଉଥିବା ଦ୍ରୁଗାମୀ ମାଲ ବୋଝେଇ ଟ୍ରକ୍‌ (ଜେଏଚ ୦୯ ବିଡି-୨୧୬୦) ଶକ୍ତ ଧକ୍କା ଦେଇଥିଲା। ଟ୍ରକ ଚାଳକ ବ୍ରେକ ଲଗେଇ ମଧ୍ୟ ଗତିକୁ ନିୟନ୍ତ୍ରଣ କରିନପାରି ବାଇକ ଉପରେ ଚଢ଼ି ଯାଇଥିଲା ଓ ବାଇକକୁ ରାସ୍ତାରେ ୧୦୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ବାଇକ ଚାଳକ ଟିଟୁ ଉପରେ ମଧ୍ୟ ଟ୍ରକ ଚକ ଚଢିଯାଇଥିଲା ଓ ଘଟଣାସ୍ଥଳରେ ହିଁ ଟିଟୁଙ୍କ ପ୍ରାଣବାୟୁ ଉଡିଯାଇଥିଲା। 

ଏହି ଦୁର୍ଘଟଣା ପରେ କିଛି ସମୟ ପାଇଁ ଉକ୍ତ ସ୍ଥାନରେ ସ୍ଥାନୀୟ ଲୋକଙ୍କ ସହିତ ଗାଡ଼ିମୋଟର ଜମା ହୋଇଥିଲା। ଫଳରେ ଯାତାୟତରେ ସାମାନ୍ୟ ବାଧା ଉପୁଜିଥିଲେ ବି ସ୍ଥାନୀୟ ସମାଜସେବୀ ଜୀବନ କୁମାର ପରିଡା ଓ ତାଙ୍କ ସହଯୋଗୀ ମିଶି ରାସ୍ତାରେ ଯାତାୟତଳୁ ସ୍ୱାଭାବିକ କରିଥିଲେ।

ଖବର ପାଇ ବୈଶିଙ୍ଗା ଥାନା ଏସଆଇ ଦେବାଶିଷ ମଣ୍ଡଳ ଘଟଣାସ୍ଥଳରେ ପହଞ୍ଚି ଉଭୟ ଦୁର୍ଘଟଣାଗ୍ରସ୍ତ ଟ୍ରକ ଓ ବାଇକକୁ ଜବତ କରିବା ସହିତ ମୃତ ଟିଟୁର ଶବ ଜବତ ପୂର୍ବକ ବେତନଟୀ ଡାକ୍ତରଖାନା ନେବାର ବ୍ୟବସ୍ଥା କରିଥିଲେ।