ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଆରଆଇସି-ଆଇଏଲଏସ ପରିସରରେ ଜୀବ ବିଜ୍ଞାନ ଷ୍ଟାର୍ଟଅପ୍ ଶିଖର ସମ୍ମିଳନୀ ଉଦଘାଟିତ ହୋଇଛି। ଆଜି ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନ ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ ଏବଂ ଜୈବ ପ୍ରଯୁକ୍ତି ବିଦ୍ୟା ଗବେଷଣା ଓ ନବସୃଜନ ପରିଷଦ (ବିଆରଆଇସି) ମହାନିର୍ଦ୍ଦେଶକ ପ୍ରଫେସର ଡକ୍ଟର ରାଜେଶ ଏସ. ଗୋଖଲେ ଏହାକୁ ଉଦଘାଟନ କରିଥିଲେ।

Advertisment

ଉଦଘାଟନୀ ବକ୍ତବ୍ୟ ରଖି ପ୍ରଫେସର ଗୋଖଲେ ନିକଟରେ ଅଣାଯାଇଥିବା ବାୟୋ-ଇଥ୍ରୀ ନୀତି (ଅର୍ଥବ୍ୟବସ୍ଥା, ନିଯୁକ୍ତି ଓ ପରିବେଶ ପାଇଁ ଅର୍ଥବ୍ୟବସ୍ଥା) ଏବଂ ବାୟୋ-ରାଇଡର (ଜୈବ ପ୍ରଯୁକ୍ତି ବିଦ୍ୟା ଗବେଷଣା ଉଦ୍ଭାବନ ଓ ଉଦ୍ୟମିତା ବିକାଶ) ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିବା ବିଷୟରେ ଅବତାରଣା କରିଥିଲେ। ଏସବୁ ନୀତି ଓ ଯୋଜନାଗୁଡ଼ିକ ଭାରତରେ ଜୈବ ଉତ୍ପାଦନକୁ ବ୍ୟାପକ ପ୍ରୋତ୍ସାହନ ଦେବ ଏବଂ ୨୦୩୦ ସୁଦ୍ଧା ଜୈବପ୍ରଯୁକ୍ତିବିଦ୍ୟା କ୍ଷେତ୍ର ଭାରତୀୟ ଅର୍ଥବ୍ୟବସ୍ଥାରେ ୪-୬ ପ୍ରତିଶତ ଯୋଗଦାନ ଦେବ ବୋଲି ଆଶା କରାଯାଉଛି ବୋଲି ସେ କହିଥିଲେ।

ପ୍ରଫେସର ଗୋଖଲେ ଆହୁରି କହିଥିଲେ, ନୂଆ ବାୟୋ-ଇଥ୍ରୀ ନୀତି ଅଧୀନରେ ୬ଟି ମଧ୍ୟରୁ ୫ଟି ବିଷୟବସ୍ତୁ କ୍ଷେତ୍ରରେ ବିଆରଆଇସି-ଆଇଏଲଏସ ଯୋଗଦାନ କରିବ ବୋଲି ଆଶା କରାଯାଉଛି। ଏଥିରେ ସାମିଲ ରହିଛି: ୧) ଉଚ୍ଚ-ମୂଲ୍ୟଯୁକ୍ତ ଜୈବ-ଆଧାରିତ ରାସାୟନିକ, ବାୟୋପଲିପର୍ସ ଓ ଏଞ୍ଜାଇମ୍ସ; ୨) ସ୍ମାର୍ଟପ୍ରୋଟିନ୍ ଓ ଫଙ୍କସନାଲ୍ ଫୁଡ୍ସ; ୩) ସଠିକ୍ ବାୟୋଥେରାପିକ୍ସ; ୪) ଜଳବାୟୁ ସହନସୀଳ କୃଷି; ଏବଂ ୫) ସାମୁଦ୍ରିକ ଓ ମହାକାଶ ଗବେଷଣା।

ବିଆରଆଇସି-ଆଇଏଲଏସ୍ ଭୂବିଜ୍ଞାନ ମନ୍ତ୍ରଣାଳୟର ପାଣ୍ଠି ସହାୟତାରେ ଗଭୀର ସାଗର ମିସନ ପ୍ରକଳ୍ପ ଆରମ୍ଭ କରିଛି। ନୂଆ ନୀତିର ଲକ୍ଷ୍ୟ ହାସଲ କରିବା ଲାଗି ବିଆରଆଇସି-ଆଇଏସଲ ବିଭିନ୍ନ ମନ୍ତ୍ରଣାଳୟ ବିଭିନ୍ନ ମନ୍ତ୍ରଣାଳୟ ସହିତ ସହଭାଗିତା ସ୍ଥାପନ କରିଥିବାରୁ ଡକ୍ଟର ଗୋଖଲେ ଖୁସି ବ୍ୟକ୍ତ କରିଥିଲେ। ଓଡ଼ିଶା ସରକାରଙ୍କ ସହଭାଗିତାରେ ଜୈବଉତ୍ପାଦନ ଏବଂ ଜୈବଏଆଇ କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ସେ ନିଜର ସମର୍ଥନ ବ୍ୟକ୍ତ କରିଥିଲେ। ଏ ସମ୍ପର୍କରେ ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କୁ ଭେଟିସାରିଛନ୍ତି।

publive-image

ଅତ୍ୟାଧୁନିକ ଜୈବପ୍ରଯୁକ୍ତି ଗବେଷଣା ପାଇଁ ବିଆରଆଇସି-ଆଇଏଲ୍ଏସ୍ ବାୟୋ ଇନକ୍ୟୁବେଟରରେ ସମସ୍ତ ଅତ୍ୟାଧୁନିକ ଉପକରଣ ଓ ଭିତ୍ତିଭୂମି ସୁବିଧା ରହିଛି ଏବଂ ଏହା ଶସ୍ତା ଓ ସୁଲଭ ଉତ୍ପାଦ ବିକାଶ ଉପରେ ଗୁରୁତ୍ୱ ଦେଉଛି ବୋଲି ଆଇଏଲ୍ଏସ ର ନିର୍ଦ୍ଦେଶକ ଡ. ଦେବାଶିଷ ଦାଶ ଉଲ୍ଲେଖ କରିଛନ୍ତି। ସାମ୍ପ୍ରତିକ ସମୟରେ ବିଆରଆଇସି -ଆଇଏଲ୍ଏସ୍ ଦ୍ୱାରା ପ୍ରୋତ୍ସାହିତ ଉଦ୍ଭାବନ ଇକୋସିଷ୍ଟମ କୃଷି, ସ୍ୱାସ୍ଥ୍ୟସେବା, ପରିବେଶ ପରିଚାଳନା, ଉପକରଣ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅନେକ ଉତ୍ପାଦ ଏବଂ ପ୍ରକ୍ରିୟାର ବିକାଶ ପାଇଁ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବାରେ ସକ୍ଷମ ହୋଇଛି । ଦୃଢ଼ ବୈଜ୍ଞାନିକ ଆଧାର ଏବଂ ଭିତ୍ତିଭୂମି ସହିତ ଆଇଏଲ୍ଏସ୍ ଏହି ଅଞ୍ଚଳରେ ଷ୍ଟାର୍ଟଅପ୍ ପାଇଁ ଇକୋସିଷ୍ଟମର ବିକାଶ ଏବଂ ସେଗୁଡ଼ିକୁ ସକ୍ଷମ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି ସେ ପ୍ରକାଶ କରିଥିଲେ।

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୁଗ୍ମ ସଚିବ ପୂଜା ମିଶ୍ର ଜୈବପ୍ରଯୁକ୍ତି କ୍ଷେତ୍ରରେ ଷ୍ଟାର୍ଟଅପ୍ ଏବଂ ଉଦ୍ୟୋଗୀଙ୍କ ପାଇଁ ଏକ ଅଭିନବ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟରେ ସୁଯୋଗ ବିଷୟରେ କହିଥିଲେ। ରାଜ୍ୟର ଉଦ୍ୟୋଗ ଓ ଉଦ୍ଭାବନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଆରମ୍ଭ କରିଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଓଡ଼ିଶାକୁ ବାୟୋଟେକ୍ନୋଲୋଜି ହବରେ ପରିଣତ କରିବା ପାଇଁ ବିଆରଆଇସି -ଆଇଏଲ୍ଏସ୍ ସହ ମିଶି କାର୍ଯ୍ୟ କରିବାକୁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ବକ୍ତାମାନେ ଯୁବ ଗବେଷକ ଓ ଅଧ୍ୟାପକମାନଙ୍କୁ ଗବେଷଣା ଚିନ୍ତାଧାରାକୁ ବ୍ୟବସାୟିକ ସୁଯୋଗରେ ପରିଣତ କରିବା ପାଇଁ ବିପୁଳ ସୁଯୋଗର ଫାଇଦା ଉଠାଇବାକୁ ଅନୁରୋଧ କରିଥିଲେ। ସେମାନେ ଜୈବପ୍ରଯୁକ୍ତି କ୍ଷେତ୍ରରେ ଅନେକ ସଫଳ ଉଦ୍ୟୋଗୀ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ ଏବଂ ଆଗାମୀ ଦିନରେ ଓଡ଼ିଶା ଏହି କ୍ଷେତ୍ରରେ ଏକ ପ୍ରମୁଖ ଖେଳାଳି ଭାବେ ଉଭା ହେବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଶ୍ରେଷ୍ଠା ପଟେଲ ଏବଂ ୱିଶଫିଟ୍ ୱେଲନେସ୍ ପ୍ରଡକ୍ଟ ଅଧୀନରେ ସାଇଲି ୱେଲନେସ୍ ପ୍ରାଇଭେଟ୍ ଲିମିଟେଡ୍ ର ସହ ପ୍ରତିଷ୍ଠାତା ଅମିତ କୁମାର ସାହୁଙ୍କ ଦ୍ୱାରା ବିକଶିତ ଉଦ୍ଭିଦ ଭିତ୍ତିକ ପ୍ରୋଟିନ୍ ପାଉଡର ଉନ୍ମୋଚନ କରାଯାଇଥିଲା। ଏଗୁଡ଼ିକୁ ବିଆରଆଇସି -ଆଇଏଲ୍ଏସ୍ ବାୟୋ ଇନକ୍ୟୁବେଟରରେ ରଖାଯାଇଛି।

ବିଆରଆଇସି-ଆଇଏଲ୍ଏସ୍ ବାୟୋ ଇନକ୍ୟୁବେଟରର ମୁଖ୍ୟ ପରିଚାଳନା ଅଧିକାରୀ ଡକ୍ଟର ନିବେଦିତା ଜେନା ଓ ବ୍ରିକ୍-ଆଇଏଲ୍ଏସର ବରିଷ୍ଠ ବୈଜ୍ଞାନିକ ଡ. ମାମୁନି ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀରେ ଷ୍ଟାର୍ଟଅପ୍, ଉଦ୍ୟୋଗୀ, ଉଦ୍ଭାବକ ଏବଂ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନେ ଏକତ୍ରିତ ହୋଇ ବିଭିନ୍ନ ବିଷୟରେ ବିଚାରବିମର୍ଶ କରିବେ।